ଦୈନିକ ଭାସ୍କରରେ ଆୟକର ଚଢ଼ଉ, ଉଦ୍‌ବେଗ ଜଣାଇଲା ଏଡିଟର୍ସ ଗିଲ୍‌ଡ

କୋଭିଡ୍ ମୁକାବିଲାରେ ସରକାରୀ ବିଫଳତା ଖବର ଯୋଗୁ ଚଢ଼ାଉ!

ନୂଆଦିଲ୍ଲୀ : ହିନ୍ଦି ସମ୍ବାଦପତ୍ର ‘ଦୈନିକ ଭାସ୍କର’ ଅଫିସ‌ରେ ଆୟକର ଚଢ଼ାଉକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ରାଜନୈତିକ ଦଳ ଏବଂ ସାମ୍ବାଦିକ ସଂଗଠନ ଏହାର ନିନ୍ଦା କରିଥିବା ବେଳେ ଏଡିଟରସ ଗିଲଡ୍ ଅଫ୍‌ ଇଣ୍ଡିଆ ମଧ୍ୟ କଡ଼ା ଭ‌ାଷାରେ ଏହାର ସମାଲୋଚନା କରିଛି। ସଂଗଠନ ପକ୍ଷରୁ ଉଦବେଗ ପ୍ରକାଶ କରି କୁହାଯାଇଛି ଯେ କୋଭିଡ୍‌ର ଦ୍ବିତୀୟ ଲହର ମୁକାବିଲାରେ ସରକାରଙ୍କ ବିଫଳତାକୁ ନେଇ ‘ଦୈନିକ ଭାସ୍କର’ ଖବର ପ୍ରକାଶ କରିବାରୁ ଏଭଳି କାର୍ଯ୍ୟାନୁଷ୍ଠାର ଶିକାର ହୋଇଛି। ୟୁପିରେ ଏଦିଗରେ ଯୋଗୀ ସରକାରର ଚରମ ବିଫଳତା ସଂପର୍କରେ ଖବର ପ୍ରସାରଣ ପାଇଁ ଟିଭି ଚାନେଲ ‘ଭାରତ ସମାଚାର’ରେ ମଧ୍ୟ ଆୟକର ଚଢ଼ାଉ କରାଯାଇଛି। ଏହାର ନିନ୍ଦା କରି ଗିଲ୍ଡ ପକ୍ଷରୁ କୁହାଯାଇଛି ଯେ ମୁକ୍ତ ଓ ସ୍ବାଧୀନ ସାମ୍ବାଦିକତାକୁ ଦମନ କରିବା ଲାଗି ସରକାରୀ ଏଜେନସି ଗୁଡ଼ିକର ବ୍ୟବହାର କରାଯାଉଛି। ପେଗାସସ୍ ସଫଟୱେୟର ବ୍ୟବହାର କରି ବହୁ ସଂଖ୍ୟକ ସାମ୍ବାଦିକମାନଙ୍କର ଫୋନ୍ ଟ୍ୟାପିଂ କରାଯିବା ଏବଂ ସେମାନଙ୍କ ଉପରେ ଗୁଇନ୍ଦା ନଜର ରଖିବା ଲାଗି ସରକାରଙ୍କ ପଦକ୍ଷେପକୁ ମଧ୍ୟ ଏହା ସମାଲୋଚନା କରିଛି।

ସୂଚନାଯୋଗ୍ୟ ଯେ ଗତକାଲି ‘ଦୈନିକ ଭାସ୍କର’ର ୬ଟି ରାଜ୍ୟରେ ଥିବା ୩୦ଟି ଅଫିସରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଉତ୍ତର ପ୍ରଦେଶ ସମେତ ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଗୁଜରାଟ ଏବଂ ଦିଲ୍ଲୀର ୩୦ଟି ସ୍ଥା‌ନରେ ରାତି ପର୍ଯ୍ୟନ୍ତ ଚଢ଼ାଉ ଚାଲିଥିଲା। କରୋନା ମୁକାବିଲାରେ‌ ମୋଦୀ ସରକାରଙ୍କ ବିଫଳତା ସଂପର୍କରେ ‘ଦୈନିକ ଭାସ୍କର’ ଅନେକ ଖବର ପ୍ରକାଶ ପାଉଥିବାରୁ ଏଥିରେ ପ୍ରତିଶୋଧ ପରାୟଣ ହୋଇ ସରକାର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଥିବା ବେଳେ ଗତକାଲି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସଫେଇ ଦେଇ କହିଥିଲେ ଯେ ଏହାସହିତ ସରକାରଙ୍କର କୌଣସି ସଂପର୍କ ନାହିଁ। ତେବେ ମମତା ବାନାର୍ଜୀ, ରାହୁଲ ଗାନ୍ଧୀ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନେକ ନେତା ଏଭଳି ସରକାରୀ କାର୍ଯ୍ୟାନୁଷ୍ଠାନର ନିନ୍ଦା କରିଥି‌ଲେ।

କୋଭିଡରେ ପ୍ରାଣ ହରାଇଥିବା ଶହ ଶହ ଲୋକଙ୍କର ମୃତଦେହ ଗଙ୍ଗାରେ ଭାସୁଥିବାର ଖବର ଉଦବେଗ ଜନକ ପରିସ୍ଥିତି ସୃଷ୍ଟି କରିଥିଲା। ଏସଂପର୍କରେ ଉକ୍ତ ସମ୍ବାଦପତ୍ର ଫଟୋ ସହିତ ‌ଅନେକ ଖବର ଆକ୍ରମଣାତ୍ମକ ଢଙ୍ଗରେ ପ୍ରକାଶ କରୁଥିଲା। ଏପରିକି ଏସଂପର୍କରେ ‘ଦୈନିକ ଭାସ୍କର’ର ସଂପାଦକ ଓମ୍ ଗୌରଙ୍କର ଏକ ‌ଲେଖା ‘ଦି ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶ ପାଇଥିଲା। ଏହାର ଶୀର୍ଷକ ଥିଲା ‘ଦି ଗଙ୍ଗାଜ୍ ଇଜ୍ ରିଟର୍ଣ୍ଣିଂ ଦି ଡେଡ୍, ଇଟ୍ ଡଜ୍ ନଟ୍ ଲାଏଜ୍’ (ମୃତଦେହ ଫେରାଉଛି ଗଙ୍ଗା, ଏହା କେବେ ମିଛ କ‌ହେନା)। ଏଥିରେ ସେ ଦର୍ଶାଇଥିଲେ ଯେ ଅକ୍ସିଜେନ ଏବଂ ହସପିଟାଲରେ ଶଯ୍ୟାର ଅଭାବ ଯୋଗୁଁ ଶହ ଶହ ଲୋକ କରୋନାରେ ପ୍ରାଣ ହରାଉଛନ୍ତି। ପବିତ୍ର ଗଙ୍ଗାରେ ଭାସୁଥିବା ମୃତଦେହ ହେଉଛି ଏହାର ସାକ୍ଷୀ। ଏଭଳି ଖବର ପ୍ରକାଶ କରାଯାଉଥିବାରୁ ୟୁପି‌ରେ ଯୋଗୀ ସରକାର କିପରି ସାମ୍ବାଦିକମାନଙ୍କ ବିରୋଧରେ ଆତଙ୍କବାଦ ବି‌ରୋଧୀ ଆଇନ ଏବଂ ଅନ୍ୟାନ୍ୟ ଫୌଜଦାରୀ ମକଦ୍ଦମା ପାଇଁ ଧମକ ଦେଉଛନ୍ତି ସେସଂପର୍କରେ ଏଥିରେ ଉଲ୍ଲେଖ କରାଯାଇଥିଲା। ଏହି ଖବର ଦେଶ ବାହାରେ ଚହଳ ପକାଇଥିଲା।

ଗତକାଲିର ଆୟକର ଚଢ଼ାଉ ସଂପର୍କରେ ଗୌର କହିଛନ୍ତି ଯେ ତାଙ୍କ ସମ୍ବାଦପତ୍ର ସତ କଥା ପ୍ରକାଶ କରିବାକୁ ଡରିବ ନାହିଁ। କୌଣସି ଚଢ଼ାଉ ତାଙ୍କୁ ଚପାଇ ପାରିବ ନାହିଁ। କିଛି ଦିନ ପୂର୍ବରୁ ଏକ ୱେବିନାରରେ ସେ କହିଥିଲେ ଯେ ସରକାରଙ୍କ ବିଫଳତା ସଂପର୍କରେ ଖବର ପ୍ରକାଶ କରୁଥିବା ଯୋଗୁଁ ତାଙ୍କ ସମ୍ବାଦପତ୍ରକୁ ସରକାରୀ ବିଜ୍ଞାପନରେ କାଟ୍ କରାଯାଇଛି। ଉଲ୍ଲେଖଯୋଗ୍ୟ ‌ଯେ ‘ଦୈନିକ ଭାସ୍କର’ର ପ୍ରସାରଣ ସଂଖ୍ୟା ୫୦ ଲକ୍ଷରୁ ଅଧିକ ରହିଛି।

ସମ୍ବନ୍ଧିତ ଖବର