ନୂଆଦିଲ୍ଲୀ: ଶନିବାର ରାତିରେ ଦିଲ୍ଲୀସ୍ଥିତ କାଲ୍କାଜୀ ମନ୍ଦିର ପ୍ରାଙ୍ଗଣରେ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମଞ୍ଚ ଭାଙ୍ଗିପଡ଼ିବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ଓ ଆଉ ୧୭ଜଣ ଆହତ ହୋଇଥିବା କଥା ପୁଲିସ କହିଛି।
ଆହତମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ଏହି ଅଘଟଣ ଯୋଗୁଁ ହାଡ଼ ଭାଙ୍ଗିଥିବା ଓ କ୍ଷତାକ୍ତ ହୋଇଥିବା ବ୍ୟକ୍ତିମାନଙ୍କର ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା କଥା ଜଣାପଡ଼ିଛି।
ପୁଲିସ କହିଛି, ଦୁଇଜଣ ବ୍ୟକ୍ତି ଉକ୍ତ ମହିଳାଙ୍କୁ ଗୋଟାଏ ଅଟୋରିକ୍ସାରେ ଡାକ୍ତଖାନାକୁ ନେଇଯାଇଥିଲେ। କିନ୍ତୁ, ଡାକ୍ତରଖାନାରେ ପହଞ୍ଚିବାକ୍ଷଣି ତାଙ୍କର ମୃତ୍ୟୁ ଘଟିଲା। ସେ ମହିଳାଙ୍କ ପରିଚୟ ଜାଣିବା ଲାଗି ଉଦ୍ୟମ ଚାଲିଛି।
/sambad/media/post_attachments/83df1b612656aeffcce28cd66526f494a2adf5083ad22e853dc6b162d2ee7ee1.jpg)
ସୂଚନାଯୋଗ୍ୟ, କାଲ୍କାଜୀ ମନ୍ଦିରରେ ‘ଜାଗରଣ’ ବା ‘ଜାଗ୍ରତ’ ଉତ୍ସବ ଚାଲିଥିବା ବେଳେ ମଧ୍ୟରାତ୍ରରେ ଏହି ଅଘଟଣ ଘଟିଥିଲା। ଏହି ସମୟରେ ମନ୍ଦିର ପରିସରରେ ଭକ୍ତମାନେ ସାରାରାତି ଉଜାଗର ରହି ଗୀତ, ନାଚ ଆଦି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହିତ ଦେବୀ କାଳୀଙ୍କୁ ପୂଜା କରନ୍ତି। ବୋଲା ଯାଉଥିବା ଭଜନରେ ବିମୁଗ୍ଧ ହୋଇ କେତେକ ଭକ୍ତ ମଞ୍ଚ ଉପରକୁ ଚଢ଼ିଯିବାରୁ ମଞ୍ଚ ଭାଙ୍ଗିପଡ଼ିଲା।
ଗଣମାଧ୍ୟମକୁ ଦକ୍ଷିଣପୂର୍ବ ଦିଲ୍ଲୀ ‘ଡିସିପି’ ରାଜେଶ ଦେଓ କହିଛନ୍ତି, ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ନିଆଯାଇ ନ ଥିଲା। ଏହି କାର୍ଯ୍ୟକ୍ରମରେ ୧୫୦୦ରୁ ୧୬୦୦ ଲୋକ ସମବେତ ହୋଇଥିଲେ।