ପ୍ରବାସୀ ଶ୍ରମିକ ନେଇ ହାଇଦ୍ରାବାଦରୁ ଉତ୍ତର ପ୍ରଦେଶ ଯାଉଥିବା ଟ୍ରକ୍ ଦୁର୍ଘଟଣାଗ୍ରସ୍ତ: ୧ ମୃତ, ୨୦ ଆହତ

ତେଲେଙ୍ଗାନା: ଶନିବାର ଦିନ ତେଲେଙ୍ଗାନା ଅନ୍ତର୍ଗତ ୪୪ ନମ୍ବର ଜାତୀୟ ରାଜପଥର ନିର୍ମଳ ଠାରେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟୂନ ୨୦ଜଣ ଶ୍ରମିକ ଆହତ ହୋଇଛନ୍ତି। ଟ୍ରକ୍‌ଟି ହାଇଦ୍ରାବାଦରୁ ୫୦ରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ନେଇ ଉତ୍ତର ପ୍ରଦେଶର ଗୋରଖପୁର ଯାଉଥିଲା।

ତେଲେଙ୍ଗାନା-ମହାରାଷ୍ଟ୍ର ସୀମାନ୍ତବର୍ତ୍ତୀ ନାଗପୁର ରାଜପଥରେ ରାତି ପ୍ରାୟ ୩: ୩୦ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆହତ ହୋଇଥିବା ଅନ୍ୟୂନ ୨୦ଜଣ ଶ୍ରମିକଙ୍କ ମଧ୍ୟରୁ ୯ଜଣ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ସାଙ୍ଘାତିକ ଥିବା କଥା କୁହାଯାଉଛି। ଡ୍ରାଇଭର୍ ଢୋଳାଇ ପଡ଼ିବାରୁ ଟ୍ରକ୍‌ ରାସ୍ତାରୁ ଗଡ଼ିଯାଇଥିଲା।

ଘଟଣା ସଂକ୍ରାନ୍ତରେ ସୂଚନା ପାଇ ତେଲେଙ୍ଗାନା ମନ୍ତ୍ରୀ ଆଇ ରେଡ୍ଡୀ ଏବଂ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକ ଉନ୍ନତ ଚିକିତ୍ସା ନିମନ୍ତେ ଅତି ସାଙ୍ଘାତିକ ଅବସ୍ଥା ହୋଇଥିବା ଦୁଇ ଜଣ ଶ୍ରମିକଙ୍କୁ ହାଇଦ୍ରାବାଦର ଓସ୍‌ମାନିଆ ହସ୍ପିଟାଲ୍‌କୁ ପଠାଯାଇଛି। ଅନ୍ୟ ଆହତ ଶ୍ରମିକମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି।

ବାକି ଶ୍ରମିକମାନଙ୍କର ଘରବାହୁଡ଼ା ଯାତ୍ରା ଓ ଖାଦ୍ୟପାନୀୟ ନିମନ୍ତେ ମନ୍ତ୍ରୀ ବ୍ୟବସ୍ଥା କରିଛନ୍ତି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର