କର୍ଣ୍ଣାଟକରେ ମନ୍ଦିର ପ୍ରସାଦ ଖାଇ ଜଣେ ମୃତ, ୧୧ ଅସୁସ୍ଥ

ବାଙ୍ଗାଲୁରୁ : କର୍ଣ୍ଣାଟକରେ ଗତ କିଛି ମାସ ମଧ୍ୟରେ ମନ୍ଦିର ପ୍ରସାଦ ଖାଇ ଭକ୍ତ ମୃତାହତ ଘଟଣା ଏକାଧିକ ଥର ଘଟିଛି । ଆଜି ପବିତ୍ର ଗଣତନ୍ତ୍ର ଦିବସରେ ଏପରି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ରାଜ୍ୟର ଚିକାବଲାପୁର ଜିଲ୍ଲାରେ ଥିବା ଚିନ୍ତାମଣି ଟାଉନରେ ଗଙ୍ଗାମ୍ମା ମନ୍ଦିରରେ ବିଷାକ୍ତ ପ୍ରସାଦ ଖାଇ ଜଣେ ମହିଳା ନିହତ ହୋଇଥିବା ସହ ଆଉ ୧୧ ଜଣ ଅସୁସ୍ଥ ହୋଇଛନ୍ତି । ଏହି ଅସୁସ୍ଥମାନଙ୍କ ମଧ୍ୟରେ ମୃତକ ମହିଳା କବିତା (୨୨)ଙ୍କ ୪ ଜଣ ପରିବାର ସଦସ୍ୟ ଅନ୍ତର୍ଭୁକ୍ତ । ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ଏକ ଅଜଣା ମହିଳା ଆସି ମନ୍ଦିର ବାହାରେ ହାଲଓ୍ଵା ବିତରଣ କରିଥିଲା । ଏହି ପ୍ରସାଦ ଖାଇପରେ ଲୋକମାନେ ଅସୁସ୍ଥ ହୋଇଥିବା ଜଣାପଡିଛି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ଅସୁସ୍ଥ ଲୋକମାନଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଖାଦ୍ୟ ବିଷାକ୍ତକରଣ ଫଳରେ ଏହି ଘଟଣା ଘଟିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ସହାୟତା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲୋକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ୨୪ ଘଣ୍ଟା ନଜର ରଖାଯାଇଛି ବୋଲି ସେ କହିଛନ୍ତି । ଗତ ଡିସେମ୍ବର ମାସରେ ଚମାରାଜନଗର ଜିଲ୍ଲାର କାମଗେରେ ଗ୍ରାମରେ ମନ୍ଦିର ପ୍ରସାଦ ଖାଇ ୧୫ ଜଣ ମୃତ୍ୟୁବରଣ କରିବା ସାରା ଦେଶରେ ଚହଳ ପକାଇଥିଲା ।

ସମ୍ବନ୍ଧିତ ଖବର