ଭୋପାଳ : ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣ‌: ଜଣେ କୃଷକଙ୍କ ମୃତ୍ୟୁ, ୫ ଆହତ

ଭୋପାଳ : ମଧ୍ୟପ୍ରଦେଶର ଧାର ଜିଲ୍ଲା ଅଧୀନସ୍ଥ ବୋରଲାଇରେ ଆଜି ଏକ ଅଭାବନୀୟ ଘଟଣାକ୍ରମରେ ଜଣେ କୃଷକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମିଳିଥିବା ସୂଚନାନୁଯାୟୀ ମୃତ କୃଷକ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ଟଙ୍କା ପାଇଁ ବିବାଦ ଉପୁଜିଥିଲା। ୬ ଜଣ କୃଷକ ସେମାନଙ୍କ କ୍ଷେତରେ କାମ କରିବାପାଇଁ କିଛି ଶ୍ରମିକଙ୍କୁ ଟଙ୍କା ଦେଇଥିଲେ। କିନ୍ତୁ ଏହି ଶ୍ରମିକମାନେ ଟଙ୍କା ନେଇ ଆଉ ଧରାଛୁଆଁ ଦେଇନଥିଲେ। କୃଷକମାନେ ଏଥିରେ ଅତିଷ୍ଠ ହୋଇ ଆଜି ବୋରଲାଇ ଗ୍ରାମକୁ ଯାଇଥିଲେ ଏବଂ ଶ୍ରମିକଙ୍କୁ ଟଙ୍କା ଫେରାଇବା ପାଇଁ କହିଥିଲେ। କିନ୍ତୁ ଟଙ୍କା ନେଇଥିବା ଶ୍ରମିକମାନେ ଟଙ୍କା ଫେରାଇ ନଥିଲେ କି କାମକୁ ଆସିବେନି ବୋଲି ରୋକ୍‌ଠୋକ୍‌ ମନା କରିଦେଇଥିଲେ। ଏହ‌ି ଘଟଣାକୁ ନେଇ ଉଭୟ କୃଷକ ଏବଂ ଶ୍ରମିକଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସ୍ଥିତି ଅତି ଭୟଙ୍କର ରୂପ ନେଇଥିଲା। ଉକ୍ତ ଶ୍ରମିକମାନଙ୍କ ସହ ସେମାନଙ୍କ ଗ୍ରାମବାସୀମାନେ ୬ କୃଷକଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ସେମାନଙ୍କ କାର୍‌ ଭଙ୍ଗାରୁଜା କରିଥିଲେ। ଫଳରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ କୃଷକଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ଉକ୍ତ ଘଟଣା ପରେ ପୁଲିସ ଅଭିଯୁକ୍ତଙ୍କୁ ଧରିବାପାଇଁ ବଡ଼ ଧରଣର ଅଭିଯାନ ଆରମ୍ଭ ‌କରିଛି।

ସମ୍ବନ୍ଧିତ ଖବର