ପିଲାଙ୍କ ପାଠ ପଢ଼ା ପାଇଁ ଟିଭି କିଣିବାକୁ ମଙ୍ଗଳସୂତ୍ର ବନ୍ଧକ ରଖିଲେ ମହିିଳା, କଥା ପ୍ରଘଟ ହେବା ପରେ ବିଭିନ୍ନ ଆଡୁ ମିଳିଲା ସହାୟତା

ବେଙ୍ଗାଲୁର: କର୍ଣ୍ଣାଟକର ଗଦାଗ ଜିଲ୍ଲାର ଜଣେ ମହିଳା ନିଜ ପିଲାଙ୍କ ପାଠପଢ଼ା ପାଇଁ ମଙ୍ଗଳସୂତ୍ରକୁ ବନ୍ଧକ ରଖିବା କଥା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଏହି ଗରିବ ମହିଳାଙ୍କର ସମୁଦାୟ ୪ ଜଣ ପିଲା। ଘରେ ଟିଭି ନଥିବାରୁ ଦୂରଦର୍ଶନରେ ଦିଆ ଯାଉଥିବା ଶିକ୍ଷା ଅଧ୍ୟୟନ କରିବାରେ ତାଙ୍କ ପିଲାମାନଙ୍କୁ ଅସୁବିଧା ହେବା କାରଣରୁ ସେ ନିଜ ମଙ୍ଗଳସୂତ୍ରକୁ ବନ୍ଧକ ପକାଇ ପିଲାଙ୍କ ପାଇଁ ଟିଭି କିଣିଥିବା ଜାଣିବାକୁ ମିଳିଛି।

ଏହି ମହିଳାଙ୍କ ନାମ କସ୍ତୁରୀ। ସେ ପିଲାମାନଙ୍କ ପାଇଁ ଟିଭି କିଣିବାକୁ ତାଙ୍କର ୧୨ ଗ୍ରାମ୍‌ ବିଶିଷ୍ଟ ଏକ ମଙ୍ଗଳସୂତ୍ରକୁ ବନ୍ଧକ ରଖିଥିବା ଜାଣିବାକୁ ମିଳିଛି। ଏହି ଘଟଣାଟି ଯେତେବେଳେ ତହସିଲ୍‌ଦାରଙ୍କ କାନକୁ ଗଲା ସେ ମହିଳାଙ୍କ ଗାଁକୁ ଅଧିକାରୀମାନଙ୍କୁ ପଠାଇ ଘଟଣାକୁ ତନଖିବାକୁ କହିଛନ୍ତି।

ମଙ୍ଗଳସୂତ୍ରଟିକୁ ଯିଏ ବନ୍ଧକ ରଖିଥିଲେ ସଂପୂର୍ଣ୍ଣ କଥା ଜାଣିବା ପରେ ତାଙ୍କ ହୃଦୟରେ ଦୟା ଜାତ ହେଲା ଓ ସେ ମହିଳାଙ୍କୁ ତାଙ୍କ ମଙ୍ଗଳସୂତ୍ର ଫେରାଇ ଦେଇ ସୁବିଧା ହେଲେ ଟଙ୍କା ଫେରସ୍ତ କରିବାକୁ କହିଛନ୍ତି।

PTI representative image

ମହିଳାଙ୍କର ଏପରି ଅବସ୍ଥାରେ ତାଙ୍କୁ କିଛି ସ୍ଥାନୀୟ ଲୋକ ଆର୍ଥିକ ସହାୟତା ଦେଇଛନ୍ତି। କିଛି ରାଜନେତା ମଧ୍ୟ ସେମାନଙ୍କ ସହାୟତାର ହାତ ବଢ଼ାଇଛନ୍ତି।

କଂଗ୍ରେସ ବିଧାୟକ ଜମିର୍‌ ଅହମ୍ମଦ ମହିଳାଙ୍କୁ ୫୦ ହଜାର ଟଙ୍କାର ସହାୟତା ଦେଇଥିବା ବେଳେ ମନ୍ତ୍ରୀ ସିସି ପାଟିଲ୍‌ ୫୦ ହଜାର ଟଙ୍କାର ସହାୟତା ଦେଇଛନ୍ତି।

ମହିଳା ଗଣମାଧ୍ୟମରେ ନିଜର ମତ ରଖି କହିଥିଲେ ଯେ ‘ଦୂରଦର୍ଶନରେ ପିଲାଙ୍କ ପାଇଁ ପାଠ ପଢ଼ାଯାଉଛି। ଆମର ଟିଭି ନଥିବାରୁ ଆମ ପିଲାମାନେ ପରଘରକୁ ଟିଭି ଦେଖିବାକୁ ଯାଉଥିଲେ। ପାଖରେ ଟଙ୍କା ନଥିବାରୁ ସେମାନଙ୍କ ଭବିଷ୍ୟତକୁ ଦୃ‌ଷ୍ଟିରେ ରଖି ମୁଁ ମଙ୍ଗଳସୂତ୍ର ବନ୍ଧକ ରଖି ଟିଭି କିଣିବା କଥା ଚିନ୍ତା କଲାି।’

ସମ୍ବନ୍ଧିତ ଖବର