ପାକିସ୍ତାନରେ ଇସ୍‌ଲାମୀୟ ମୌଳବାଦୀ ଓ ସୁରକ୍ଷାକର୍ମୀ ସଂଘର୍ଷ, ଜଣେ ମୃତ,୧୫୦ ଆହତ

ଇସଲାମାବାଦ୍‌ : ପାକିସ୍ତାନରେ ସୁରକ୍ଷାକର୍ମୀ ଓ କେତେକ ଇସ୍‌ଲାମୀୟ ସଂଗଠନ ସଦସ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ସୁରକ୍ଷା କର୍ମୀ ନିହତ ହେବା ସହିତ ୧୫୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ପାକିସ୍ତାନର ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଇସ୍‌ଲାମାବାଦ୍‌ର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିବା ଇସଲାମୀୟ ସଂଗଠନର ସଦସ୍ୟ ଓ ସପକ୍ଷବାଦୀଙ୍କୁ ହଟାଇବାକୁ ଯିବା ସମୟରେ ଏହି ସଂଘର୍ଷ ଘଟିଛି।

ଇସଲାମାବାଦ୍‌ ହାଇକୋର୍ଟ ଶୁକ୍ରବାର ପାକିସ୍ତାନର ଘରୋଇ ମନ୍ତ୍ରୀ ଅହସାନ୍‌ ଇକ୍‌ବଲ୍‌ଙ୍କ ବିରୋଧରେ ଅଦାଲତ ଅବମାନନା ନୋଟିସ୍‌ ଜାର କରିବା ପରେ ଆଜି ଏହି ଘଟଣା ଘଟିଛି। ଇସଲାମାବାଦ୍‌ ହାଇକୋର୍ଟଙ୍କ ଏହି ପଦକ୍ଷେପ ପରେ ପୁଲିସ ଓ ଅର୍ଦ୍ଧସାମରିକ ବଳ ରାଜପଥ ଅବରୋଧ ହଟାଇବାକୁ ଉଦ୍ୟମ କରିବା ବେଳେ ଆନ୍ଦୋଳନକାରୀଙ୍କ ସହ ରକ୍ତାକ୍ତ ସଂଘର୍ଷ ଘଟିଥିଲା।

Hindustan Times

ତେହରିକ୍‌-ଇ-ଖାତମ୍‌,ତେହରିକ୍‌-ଆଇ-ଲାବାଏକ ୟା ରସୁଲ୍‌ ଆହ୍ଲା ଏବଂ ସୁନ୍ନି ତେହରିକ୍‌ ପାକିସ୍ତାନ ଆଦି ସଂଗଠନର ପ୍ରାୟ ୨୦୦୦ ସଦସ୍ୟ ପ୍ରାୟ ଦୁଇ ସପ୍ତାହ ଧରି ଇସଲାମାବାଦ୍‌ ଏକ୍ସପ୍ରେସ୍‌ ହାଇେଓ୍ଵ ଏବଂ ମୁରେ ରୋଡ଼୍‍କୁ ଅବରୋଧ କରିଥିଲେ। ଫଳରେ ଏୟାରପୋର୍ଟ ଏବଂ ରାଓ୍ଵଲପିଣ୍ଡିକୁ ସଂଯୋଗ ଛିନ୍ନ ହୋଇଥିଲା। ସେମାନେ ନିର୍ବାଚନୀ ଆଇନରେ ହୋଇଥିବା ଏକ ସଂଶୋଧନ ବିରୋଧରେ ଏହି ପ୍ରଦର୍ଶନ କରୁଥିଲେ। ସଂପ୍ରତି ସେଠାରେ ସରକାର ନିର୍ବାଚନୀ ଆଇନରେ ଥିବା ‘ଅବତାରତ୍ୱ ଶପଥ ପାଠ’ବା ପ୍ରଫେଟ୍‌ ହୁଡ଼୍‍ ଓଥ୍‌କୁ ବାଦ୍‌ ଦେଇଛନ୍ତି। ଏହା ବିରୋଧରେ ଏହି ଇସ୍‌ଲାମୀୟ ସଂଗଠନଗୁଡ଼ିକ ପ୍ରତିବାଦ କରୁଛନ୍ତି।

ପ୍ରଥମେ ପୁଲିସ୍‌ ପକ୍ଷରୁ ରାସ୍ତା ଅବରୋଧକାରୀଙ୍କ ଉପରେ ରବର୍‌ ବୁଲେଟ୍‌ ମାଡ଼ କରାଯାଇଥିଲା। ଏହାପରେ ଆନ୍ଦୋଳନକାରୀ ସୁରକ୍ଷାକର୍ମୀଙ୍କ ଉପରକୁ ଢ଼େଲାମାଡ଼ କରିବା ସହ ପୁଲିସ୍‌ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ପରେ ଏହା ସଂଘର୍ଷରେ ପରିଣତ ହୋଇଥିଲା।

ଘଟଣାର ଗମ୍ଭୀରତାକୁ ଦେଖି ସରକାର ସବୁ ସୋସିଆଲ୍‌ ମିଡ଼ିଆକୁ ବନ୍ଦ କରିବା ସହ ଟେଲିଭିଜନ୍‌ ଚାନେଲ୍‌ଙ୍କୁ ଏହାର ପ୍ରସାରଣ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ କି ୨୦୦୦ ଆନ୍ଦୋଳନକାରୀଙ୍କୁ ହଟାଇବାକୁ ୮,୦୦୦ ପୁଲିସ କର୍ମୀଙ୍କୁ ପାକିସ୍ତାନ ସରକାର ନିୟୋଜିତ କରିଥିଲେ। ଏହି ଅପରେସନ୍‌ର ପ୍ରସାରଣକୁ ନିଷେଧ କରାଯାଇଛି।

ସମ୍ବନ୍ଧିତ ଖବର