୨୪ ଘଣ୍ଟାରେ ୧ ଲକ୍ଷ ୮୩ ହଜାର ନୂଆ ମାମଲା, ବ୍ରାଜିଲ୍‌ରେ ସର୍ବାଧିକ ୫୪ ହଜାର ୭୭୧

ନୂଆଦିଲ୍ଲୀ: ଗତ ରବିବାର ଦିନ ବିଶ୍ବରେ ସର୍ବାଧିକ ୧ ଲକ୍ଷ ୮୩ ହଜାର ନୂଆ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ତଥ୍ୟ ଦିଆଯିବା ସହ ସଂକ୍ରମଣ ବଢ଼ିଚାଲିଥିବାରୁ ଏନେଇ ଡବ୍ଲ୍ୟୁଏଚ୍ଓ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ତେବେ ନୂଆ ୧ଲକ୍ଷ ୮୩ ହଜାର ମାମଲାରୁ କେବଳ ବ୍ରାଜିଲ୍‌ରେ ଗୋଟିଏ ଦିନରେ ୫୪ ହଜାର ୭୭୧ ସଂକ୍ରମଣ ମାମଲା, ଆମେରିକାରେ ୩୬ ହଜାର ୬୧୭ ମାମଲା ଓ ଭାରତରେ ୧୫ ହଜାର ୪୦୦ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଛି। ରବିବାର ସୁଦ୍ଧା ବିଶ୍ବରେ ମୋଟ୍‌ ୪ ଲକ୍ଷ ୬୧ ହଜାର ୭୧୫ ଜଣଙ୍କ ମୃତ୍ୟୁ ହୋଇଥିଲା ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି।

ସଂକ୍ରମଣ ବଢ଼ୁଥିବାରୁ ବିଶେଷଜ୍ଞମାନେ ଅଧିକରୁ ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ବ ଦେଇଛନ୍ତି। କେବବଳ ରବିବାର ଦିନ ବିଶ୍ବରେ ୪,୭୪୩ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଏଥିରୁ ଦୁଇ ତୃତୀୟାଂଶ କେବଳ ଆମେରିକାରୁ ରେକର୍ଡ କରାଯାଇଛି। ଇତି ମଧ୍ୟରେ ସ୍ପେନ୍ ୩ ମାସର ଲକ୍‌ଡାଉନ୍‌ ପରେ ରାଷ୍ଟ୍ରରୁ ଏମେର୍ଜନ୍ସି ହଟାଇଛି। ତେବେ ବ୍ରାଜିଲ୍‌ରେ ଦିନକରେ ୫୦ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ‌ହେବା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ବ୍ରାଜିଲ୍‌ରେ ମଧ୍ୟ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଛି। ଅନ୍ୟପକ୍ଷେ ଦକ୍ଷିଣ ଆଫ୍ରିକାରେ ଦିନକରେ ୫ ହଜାର ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୪୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଚୀନ୍‌ରେ ୨୫ ନୂ୍ଆ ମାମଲାରୁ ବେଜିଂରେ କେବଳ ୨୨ଟି ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର