ଦିନକରେ ୧ ଲକ୍ଷ ସୁସ୍ଥ, ଆରୋଗ୍ୟ ହାର ୮୦.୮୬ ପ୍ରତିଶତକୁ ବୃଦ୍ଧି

୨ ସପ୍ତାହ ପରେ ସଂକ୍ରମଣ ୭୬ ହଜାର ତଳକୁ ଖସିଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଆଜି ୫୫ ଲକ୍ଷ ଟପିଯାଇଛି। ଗତକାଲି ଗୋଟିଏ ଦିନରେ ଦେଶରେ ୧ ଲକ୍ଷ ୧ ହଜାର ୪୬୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିସହ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୪୪ ଲକ୍ଷ ୯୭ ହଜାର ୮୬୭ରେ ପହଞ୍ଚିଥିବା ବେଳେ ଆରୋଗ୍ୟ ହାର ୮୦.୮୬ ପ୍ରତିଶତକୁ ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୫ ହଜାର ୮୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୦୫୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୫୫ ଲକ୍ଷ ୬୨ ହଜାର ୬୬୩ରେ ପହଞ୍ଚିଛି ।

ଏହା ବିଶ୍ବର ମୋଟ ଆକ୍ରାନ୍ତ ସଂଖ୍ୟାର ୧୭.୭% ବୋଲି ଜଣାଯାଇଛି।‌ ଦେଶରେ ୮୮ ହଜାର ୯୩୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ଏବଂ ମୃତ୍ୟୁହାର ୧.୬୦ ପ୍ରତିଶତ ରହିଛି। ୯ ଲକ୍ଷ ୭୫ ହଜାର ୮୬୧ ସକ୍ରିୟ ମାମଲା ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୧୭.୫୪ ପ୍ରତିଶତ। ଦେଶରେ ସଂକ୍ରମଣ ମାମଲା ଅଗଷ୍ଟ ୭ରେ ୨୦ ଲକ୍ଷ ଥିବାବେଳେ ଅଗଷ୍ଟ ୨୩ରେ ୩୦ ଲକ୍ଷ, ସେପ୍ଟେମ୍ବର ୫ରେ ୪୦ ଲକ୍ଷ ଏବଂ ସେପ୍ଟେମ୍ବର ୧୬ ତାରିଖରେ ୫୦ ଲକ୍ଷ ଟପିଥିଲା। ଗତକାଲି ୯ ଲକ୍ଷ ୩୩ ହଜାର ୧୮୫ ନମୁନା ପରୀକ୍ଷା ହୋଇଛି। ତେବେ ଆଇସିଏମ୍‌ଆର ଅନୁଯାୟୀ ଦେଶରେ ମୋଟ୍‌ ୬ କୋଟି ୫୩ ଲକ୍ଷ ୨୫ ହଜାର ୭୭୯ ନମୁନା ପରୀକ୍ଷା ହୋଇଛି।

୨ ସପ୍ତାହ ପରେ ଦେଶରେ ସଂକ୍ରମଣ ମାମଲା ୭୬ ହଜାରରୁ କମ୍‌ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୩୩ ହଜାର ୧୫ ଜଣଙ୍କର କ‌ରୋନାରେ ମୃତ୍ୟୁ ହୋଇଥିବାବେଳେ ତାମିଲନାଡ଼ୁରେ ୮,୮୭୧, କର୍ଣ୍ଣାଟକରେ ୮,୧୪୫, ଆନ୍ଧ୍ରପ୍ରଦେଶରେ ୫,୪୧୦, ଉତ୍ତରପ୍ରଦେଶରେ ୫,୧୩୫, ଦିଲ୍ଲୀରେ ୫,୦୧୪, ପଶ୍ଚିମବଙ୍ଗରେ ୪,୪୨୧ ଏବଂ ଗୁଜରାଟରେ ୩,୩୩୬ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର