ନୂଆଦିଲ୍ଲୀ: ରିସାଇକ୍ଲ ହୋଇ ନ ଥିବା ପ୍ଲାଷ୍ଟିକ୍‌ ଆବର୍ଜନାର ସଦ୍‌ବ୍ୟବହାର କରି କେନ୍ଦ୍ର ସରକାର ସଡ଼କ ନିର୍ମାଣ କରୁଛନ୍ତି। ଏପର୍ଯ୍ୟନ୍ତ ପ୍ଲାଷ୍ଟିକ୍ ଆବର୍ଜନା ଦ୍ବାରା ଏକ ଲକ୍ଷ କିଲୋମିଟର୍ ରାସ୍ତା ନିର୍ମାଣ କରିଲାଣି।

Advertisment

ଏକ କିଲୋମିଟର୍ ରାସ୍ତା ନିର୍ମାଣ ପାଇଁ ୯ ଟନ୍ ବିଟୁମେନ୍ ଏବଂ ୧ ଟନ୍ ପ୍ଲାଷ୍ଟିକ୍ ଆବର୍ଜନା ଆବଶ୍ୟକ ପଡୁଛି। ଅର୍ଥାତ୍ ଏକ କିଲୋମିଟର୍ ରାସ୍ତାପିଛା ଏକ ଟନ୍ ବିଟୁମେନ୍ ବା ୩୦ ହଜାର ଟଙ୍କା ବଞ୍ଚୁଛି।

ପ୍ଲାଷ୍ଟିକ୍‌ ରାସ୍ତାରେ ୬% ରୁ ୮% ପ୍ଲାଷ୍ଟିକ୍‌ ଓ ୯୨% ରୁ ୯୪% ବିଟୁମେନ୍‌ ରହୁଛି। ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ୍ ବ୍ୟବହାର ପାଇଁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ୨୦୧୬ ମସିହାରେ ଘୋଷଣା କରିଥିଲେ। ସେବେଠାରୁ ୧୧ଟି ରାଜ୍ୟରେ ପ୍ଲାଷ୍ଟିକ୍ ବ୍ୟବହାର କରାଯାଇ ଏକଲକ୍ଷ କିଲୋମିଟର୍ ରାସ୍ତା ନିର୍ମାଣ ଶେଷ ହେଲାଣି। ଚଳିତ ଆର୍ଥିକ ବର୍ଷରେ ଏହି ସଂଖ୍ୟା ଦୁଇଗୁଣ ହେବ।

୨୭୦ କିଲୋମିଟର ଦୀର୍ଘ ଜମ୍ମୁ ଓ କଶ୍ମୀର ଜାତୀୟ ରାଜପଥରେ ପ୍ଲାଷ୍ଟିକ୍ ଆବର୍ଜନା ବ୍ୟବହାର ହୋଇଛି। ଦୁଇ କିଲୋମିଟର୍ ଦୀର୍ଘ ଦିଲ୍ଲୀ-ମିରଟ୍ ଜାତୀୟ ରାଜପଥ ତିଆରିରେ ପ୍ରାୟ ୧. ୬ ଟନ୍ ପ୍ଲାଷ୍ଟିକ୍ ଆବର୍ଜନା ବ୍ୟବହାର ହୋଇଛି। ଆସାମ ମଧ୍ୟ ଏ ବର୍ଷ ଠାରୁ ପ୍ଲାଷ୍ଟିକ୍ ଆବର୍ଜନାରେ ରାସ୍ତା ତିଆରି ଆରମ୍ଭ କରିଛି।