ଭୁବନେଶ୍ବର: ଏଣିକି ରାଜ୍ୟର ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ ଯେଉଁଠି ବି ଚାଷ ଜମିକୁ କୃଷି ବ୍ୟତୀତ ଯେ କୌଣସି ଅଣ କୃଷି ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ କିସମ ପରିବର୍ତ୍ତନ କଲେ ପ୍ରତି ଏକର ଚାଷ ଜମିର ବଜାର ଦରର ଏକ ପ୍ରତିଶତ ଦେୟ ଦେବାକୁ ପଡ଼ିବ। ଆଜି ଏନେଇ ବିଧାନସଭାରେ ଓଡ଼ିଶା ଭୂ-ସଂସ୍କାର (ସଂଶୋଧନ) ବିଧେୟକ-୨୦୨୩ ପାରିତ ହୋଇଛି।

Advertisment

ଆଜି ଏହି ବିଧେୟକକୁ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଗୃହରେ ଉପସ୍ଥାପନ କରି କହିଛନ୍ତି ଯେ ଓଡ଼ିଶା ଭୂ-ସଂସ୍କାର ଆଇନ ୧୯୬୦ର ଧାରା ୮-ଏରେ କୃଷି ଜମିକୁ ଅଣ କୃଷି ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ବ୍ୟବସ୍ଥା ରହିଛି। ଏହି ଆଇନରେ ଧାରା ୮-ଏର ଉପଧାରା ୨ ଆଧାରରେ କୃଷି ଜମିକୁ ଅଣ କୃଷି ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ପ୍ରିମିୟମ ବାବଦକୁ ବିଭିନ୍ନ ଦର ଧାର୍ଯ୍ୟ କରାଯାଇଛି। ମ୍ୟୁନିସପାଲଟି କର୍ପୋରେସନ, ମ୍ୟୁନିସପାଲଟି ଅଞ୍ଚଳରେ ଏବଂ ଜାତୀୟ ରାଜପଥର ଉଭୟ ପାର୍ଶ୍ବର ୫୦୦ମିଟର ମଧ୍ୟରେ ଥିବା କୃଷି ଜମିକୁ ଅଣ କୃଷି ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ଏକର ପିଛା ତିନି ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି। ରାଜ୍ୟ ରାଜପଥ ଉଭୟ ପାର୍ଶ୍ବରେ ୨୫୦ମିଟର ମଧ୍ୟରେ ଥିବା କୃଷି ଜମିକୁ ଅଣକୃଷି ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ଏକର ପିଛା ଏକ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି। ଏନ୍‌ଏସି କିମ୍ବା ବିଜ୍ଞପିତ ସହରାଞ୍ଚଳରେ ଏହା ଏକର ପିଛା ୭୫ହଜାର ଟଙ୍କା, ଡେଭଲପମେଣ୍ଟ ପ୍ଲାନ୍ ଅନ୍ତର୍ଗତ ଅଞ୍ଚଳଗୁଡ଼ିକରେ ଏହା ଏକର ପିଛା ୩୦ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ଏହାବାଦ୍ ଯେଉଁ ଅଞ୍ଚଳଗୁଡ଼ିକ ଉପରୋକ୍ତ କ୍ଷେତ୍ର ପରିସର ବାହାରେ ଅଛି ସେହି କୃଷି ଜମି ପାଇଁ ବଜାର ମୂଲ୍ୟର ୫% ପ୍ରିମିୟମ ବାବଦକୁ ଦର ଧାର୍ଯ୍ୟ କରାଯାଇଛି।

୨୦୨୧ ମସିହାରେ ଆକାଉଟାଣ୍ଟ୍‌ ଜେନେରାଲ ଅନୁଭବ କରିଛନ୍ତି ଯେ ଅର୍ଦ୍ଧସହରୀ ଗ୍ରାମାଞ୍ଚଳର ଲୋକମାନେ କୃଷି ଜମିକୁ ଅଣକୃଷି ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ସହରାଞ୍ଚଳର ଲୋକଙ୍କ ତୁଳନାରେ ଅଧିକ ପ୍ରିମିୟମ ଦେଉଛନ୍ତି। ଏପରିକି ୨୦୦୬ ମସିହାରେ ଡେଭଲପମେଣ୍ଟ ପ୍ଲାନ୍ ଅନ୍ତର୍ଗତ ଅଞ୍ଚଳ ପାଇଁ ନିର୍ଦ୍ଧାରିତ ହୋଇଥିବା ଏକର ପିଛା ୩୦ହଜାର ଟଙ୍କା ବର୍ତ୍ତମାନ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳ ପାଇଁ ନିର୍ଦ୍ଧାରିତ ହୋଇଥିବା ପ୍ରିମିୟମଠାରୁ ମଧ୍ୟ କମ୍‌। ତେଣୁ ସାରା ରାଜ୍ୟରେ ସମାନତା ଓ ସ୍ବଚ୍ଛତା ବଜାୟ ରଖିବା ପାଇଁ ଓଡ଼ିଶା ଭୂ-ସଂସ୍କାର ଆଇନ, ୧୯୬୦ର ଧାରା ୮-ଏର ଉପଧାରା ୨କୁ ସଂଶୋଧନ କରାଯାଇଛି। ନୂଆ ବିଧେୟକ ଅନୁଯାୟୀ ସାରା ରାଜ୍ୟରେ କୃଷି ଜମିକୁ ଅଣ କୃଷି ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ହେଲେ ଏକର ପିଛା କୃଷି ଜମିର ବଜାର ମୂଲ୍ୟର ୧%କୁ ପ୍ରିମିୟମ ବାବଦରେ ଆଦାୟ କରାଯିବ।

ସେହିପରି ରାଜ୍ୟରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ଯଥା ଶିଳ୍ପ, ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ଜଳସେଚନ, ପାନୀୟ ଜଳ ପ୍ରକଳ୍ପ ଭଳି ପ୍ରକଳ୍ପ ପାଇଁ ଯେପରି ସୁରୁଖୁରେର ଜମି ଅଧିଗ୍ରହଣ ହେବ ଜମି ମାଲିକଙ୍କୁ ଉଚିତ କ୍ଷତିପୂରଣ ଠିକ୍ ସମୟରେ ମିଳିବ ସେଥିପାଇଁ ରାଜସ୍ବ ବିଭାଗ ପକ୍ଷରୁ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ବଚ୍ଛତା (ଓଡ଼ିଶା ସଂଶୋଧନ) ବିଧେୟକ-୨୦୨୩ ଅଣାଯାଇଛି।
ଏହାବାଦ୍ ଆଜି ଗୃହରେ ସିଲିକନ୍ ବିଶ୍ବବିଦ୍ୟାଳୟ, ଓଡ଼ିଶା ବିଧେୟକ-୨୦୨୩ ଏବଂ ନିଷ୍ଟ ବିଶ୍ବବିଦ୍ୟାଳୟ, ଓଡ଼ିଶା ବିଧେୟକ-୨୦୨୩ ପାରିତ ହୋଇଛି। ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡ଼େଇ ଏହି ଦୁଇଟି ବିଧେୟକ ଉପସ୍ଥାପନ କରିଥିଲେ। ଏହି ବିଲ୍‌ ପାରିତ ହେବାବେଳେ ଶାସକ ଦଳ ବିଧା‌ୟକ ଅମର ଶତପଥୀ, ପ୍ରଫୁଲ ସାମଲ, ଦେବୀ ମିଶ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ହେଲେ ବିରୋଧୀ ଗୃହରେ ବାଚସ୍ପତି ପାତର ଅନ୍ତର କରୁଥିବା ଅଭିଯୋଗ ଆଣି ଗୃହ ତ୍ୟାଗ କରିଥିବାରୁ ଆଲୋଚନାରେ ଭାଗ ନେଇନଥିଲେ।