ନୂଆଦିଲ୍ଲୀ: ବିକାଶର ସିଂହ ଭାଗ ଲାଭ କେବଳ ଧନୀକ ବର୍ଗଙ୍କ ପାଖରେ ପହଞ୍ଚୁଛି। ଗରିବ ଲୋକ ମୌଳିକ ଆବଶ୍ୟକତା ପୂରଣ କରିବାକୁ ସଂଘର୍ଷ କରୁଥିବା ବେଳେ ଧନୀମାନଙ୍କ ବିଳାସବ୍ୟସନ ଜୀବନ ଦିନକୁ ଦିନ ଆହୁରି ଚକାଚକ୍‌ ହେବାରେ ଲାଗିଛି। ୨୦୧୨ରୁ ୨୦୨୧ ମଧ୍ୟରେ ଯେତିକି ସମ୍ପତ୍ତି ସୃଷ୍ଟି ହୋଇଥିଲା ତାହାକୁ ନେଇ ହୋଇଥିବା ସର୍ଭେରୁ ଏଭଳି ଉଦବେଗଜନକ ଚିତ୍ର ସାମ୍ନାକୁ ଆସିଛି। ସର୍ଭେ ଅନୁସାରେ ଏହି ସମୟ ମଧ୍ୟରେ ସୃଷ୍ଟି ହୋଇଥିବା ସଂପତ୍ତିର ୪୦ ଭାଗ ଦେଶର ଏକ ପ୍ରତିଶତ ଲୋକ (ଧନୀ)ଙ୍କ ପାଖକୁ ଯାଇଛି। ଆର୍ଥିକ ଦୃଷ୍ଟିରୁ ଅପେକ୍ଷାକୃତ ଗରିବ ବା ଆର୍ଥିକ ଦୃଷ୍ଟିରୁ ସମାଜର ତଳ ଆଡୁ ଥିବା ଦେଶର ୫୦ ପ୍ରତିଶତ ଜନସଂଖ୍ୟା ପାଖରେ ତାହାର ମାତ୍ର ୩ ପ୍ରତିଶତ ରାଶି ପହଞ୍ଚିଛି।

Advertisment

ସ୍ବିଜରଲ୍ୟାଣ୍ଡ୍‌ର ଡାଭୋସ୍‌ଠାରେ ଆରମ୍ଭ ହୋଇଥିବା ବିଶ୍ବ ଅର୍ଥନୈତିକ ଫୋରମ୍ (ଡବ୍ଲୁଇଏଫ୍‌) କାର୍ଯ୍ୟକ୍ରମ ପୂର୍ବରୁ ଅକ୍ସଫାମ୍ ଇଣ୍ଡିଆ ନାମକ ସଂସ୍ଥା ଜାରି କରିଥିବା ‘ସର୍ଭାଇଭାଲ୍‌ ଅଫ୍‌ ରିଚେଷ୍ଟ: ଦି ଇଣ୍ଡିଆନ ସପ୍ଲିମେଣ୍ଟ୍‌’ ରିପୋର୍ଟରେ ଆୟ ଅସମାନତାର ଏଭଳି ବିକଳ ଚିତ୍ର ଆଙ୍କିଛି। ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି ଯେ ଧନୀମାନଙ୍କ ଉପରେ ଟିକସ ଲଗାଇଲେ ଆୟ ଅସମାନତା ଅନେକାଂଶରେ ଦୂର ହୋଇପାରିବ। ୧୦୦ କୋଟି ଡଲାରରୁ ଅଧିକ ସମ୍ପତ୍ତି ରଖିଥିବା ଲୋକଙ୍କ ଉପରେ ୨ ପ୍ରତିଶତ ହାରରେ ଅଧିକ ଟିକସ ଲଗାଇଲେ ଯେତିକି ଆୟ ହେବ ତାହା ୩ ବର୍ଷ ପର୍ଯ୍ୟନ୍ତ ଅପପୁଷ୍ଟି ସମସ୍ୟାକୁ ଦୂର କରିପାରିବ। ସେହିପରି ସେମାନଙ୍କ ଉପରେ ୩ ପ୍ରତିଶତ ଅଧିକ ଟିକସ ଲଗାଇଲେ ଜାତୀୟ ସ୍ବାସ୍ଥ୍ୟ ମିସନ ଲାଗି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଟଙ୍କା ମିଳିଯିବ। ୧୦ ପ୍ରତିଶତ ଏଭଳି ବିଲିୟନେୟାରଙ୍କ ଉପରେ ଯଦି ଥରକ ପାଇଁ ୫ ପ୍ରତିଶତର ସ୍ବତନ୍ତ୍ର ଟିକସ ଲଗାଯିବ ତେବେ ଦେଢ଼ ବର୍ଷ ପାଇଁ ସ୍ବାସ୍ଥ୍ୟ ଓ ଆୟୁଷ ମନ୍ତ୍ରାଳୟର ବଜେଟ୍‌ ଖର୍ଚ୍ଚ ବାହାରିଯିବ। ସେହି ଟଙ୍କା‌ରେ ସବୁ ପିଲାଙ୍କୁ ସ୍କୁଲ ପଠାଇହେବ।

ଅକ୍ସଫାମ୍ ରିପୋର୍ଟ ଅନୁଯାୟୀ, ଆର୍ଥିକ ଦୃଷ୍ଟିରୁ ତଳ ପଟୁ ଦେଶର ୫୦% ଲୋକଙ୍କ ପାଖରେ ସମୁଦାୟ ଯେତିକି ସମ୍ପତ୍ତି ରହିଛି, ତା’ଠାରୁ ୧୩ ଗୁଣା ଅଧିକ ସମ୍ପତ୍ତି ମାତ୍ର ୧ ପ୍ରତିଶତ ଲୋକ(ଧନୀ)ଙ୍କ ପାଖରେ ଅଛି। ପାଞ୍ଚ ପ୍ରତିଶତ ଲୋକଙ୍କ ପାଖରେ ଦେଶର ୬୧.୭ ପ୍ରତିଶତ ସମ୍ପତ୍ତି ରହିଛି, ଯାହା ଅପେକ୍ଷାକୃତ ଗରିବ ( ୫୦%) ଜନସଂଖ୍ୟାଙ୍କ ସମ୍ପତ୍ତି ତୁଳନାରେ ୨୦ ପ୍ରତିଶତ ଅଧିକ। ୧୯୮୧ରୁ ୨୦୧୨ ମଧ୍ୟରେ ମୋଟ ସମ୍ପତ୍ତିରେ ଶୀର୍ଷ ୧୦ ପ୍ରତିଶତ ଲୋକଙ୍କ ଭାଗ ୪୫ ପ୍ରତିଶତରୁ ବୃଦ୍ଧି ପାଇ ୬୩ ପ୍ରତିଶତ ହୋଇଛି। ସେହି ସମୟରେ ଗରିବ ଲୋକଙ୍କ ଭାଗ କିନ୍ତୁ ହ୍ରାସ ପାଇଛି।

ଦେଶର ଶୀର୍ଷସ୍ତରରେ ଥିବା ଅର୍ଥାତ୍ ୧୦ ପ୍ରତିଶତ ଧନୀଙ୍କ ପାଖରେ ୨୭.୫୨ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି। ବିଲିୟନେୟାରମାନଙ୍କ ସମ୍ପତ୍ତିରେ ଦୈନିକ ୨୭୦ କୋଟି ଡଲାର ବୃଦ୍ଧି ଘଟିଛି। ୨୦୨୧ ତୁଳନାରେ ସେମାନଙ୍କ ସମ୍ପତ୍ତି ୩୨.୮ ପ୍ରତିଶତ ବଢ଼ିଛି। ଏହି ଟଙ୍କାରେ ୨୬ ବର୍ଷର ଶିକ୍ଷା ବଜେଟ୍, ୩୮ ବର୍ଷ ପାଇଁ ମନରେଗା ବଜେଟ୍ ଏବଂ ୩୦ ବର୍ଷ ପାଇଁ ଆୟୁଷ ଓ ସ୍ବାସ୍ଥ୍ୟ କଲ୍ୟାଣ ମନ୍ତ୍ରାଳୟ ବଜେଟ୍ ବିଷୟରେ ଚିନ୍ତା କରିବାକୁ ପଡ଼ିବନି। ଦେଶରେ ୧୦ ହଜାର ଟଙ୍କାର ଇଏମ୍‌ଆଇ ଗଣିପାରୁନଥିବା ଜଣେ ମହିଳାଙ୍କୁ ଟ୍ରାକ୍ଟର ଚଢ଼ାଇ ମାରିଦିଆଯାଇଥିବା ବେଳେ ସରକାରୀ ବ୍ୟାଙ୍କଗୁଡ଼ିକ କର୍ପୋରେଟ୍‌ ସଂସ୍ଥାଙ୍କୁ ଦେଇଥିବା ୧୧.୧୭ ଲକ୍ଷ କୋଟି ଟଙ୍କାର ଋଣ ରାଇଟ୍‌-ଅଫ୍‌ କରିଛନ୍ତି। ସେଥିରୁ ମାତ୍ର ୧୩ ପ୍ରତିଶତ ରାଶିକୁ ବ୍ୟାଙ୍କ ଅସୁଲ କରିପାରିଛନ୍ତି।

ଏହି ରିପୋର୍ଟ ଆଉ ଏକ ଚିନ୍ତାଜନକ ବିଷୟ ସାମ୍ନାକୁ ଆଣିଛି। ତାହା ହେଉଛି ଗରିବ ଲୋକଙ୍କ ଉପରେ ଟିକସ ବୋଝର ଭାର ଅଧିକ ରହିଛି। ଧନୀ ବର୍ଗର ୧୦ ପ୍ରତିଶତ ଲୋକ ଏବଂ ମଧ୍ୟବିତ୍ତ ବର୍ଗରେ ଥିବା ୪୦ ପ୍ରତିଶତ ଲୋକଙ୍କ ତୁଳନାରେ ଆର୍ଥିକ ଦୃଷ୍ଟିରୁ ଅପେକ୍ଷାକୃତ ଗରିବ ୫୦ ପ୍ରତିଶତ ଲୋକ ପରୋକ୍ଷ ଟିକସ ବାବଦରେ ଅଧିକ ଟଙ୍କା ଗଣୁଛନ୍ତି। ଧନୀ ବର୍ଗଙ୍କ ଟିକସ ବ୍ୟୟ ସର୍ବନିମ୍ନ ରହିଛି। ୨୦୨୧-୨୨ରେ ସଂଗ୍ରହ କରାଯାଇଥିବା ୧୪.୮୩ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟିରୁ ୬୪ ପ୍ରତିଶତ ରାଶି ଅପେକ୍ଷାକୃତ ଗରିବ ୫୦ ପ୍ରତିଶତ ଲୋକଙ୍କଠାରୁ ସଂଗ୍ରହ କରାଯାଉଛି। ଶ୍ରେଷ୍ଠ ୧୦ ପ୍ରତିଶତ ଧନୀଙ୍କଠାରୁ ମାତ୍ର ୪ ପ୍ରତିଶତ ରାଶି ସଂଗ୍ରହ କରାଯାଉଛି। ଅପେକ୍ଷାକୃତ ଗରିବ ବର୍ଗରେ ଥିବା ୫୦ ପ୍ରତିଶତ ଲୋକ ସେମାନଙ୍କ ଆୟର ୬.୭ ପ୍ରତିଶତ ଟଙ୍କା ଖାଦ୍ୟ ଓ ଅଣ ଖାଦ୍ୟ ସାମଗ୍ରୀ କିଣିବା ବେଳେ ଟିକସ ଆକାରରେ ଗଣୁଛନ୍ତି। ଶୀର୍ଷ ୧୦ ପ୍ରତିଶତ ଧନୀ ପ୍ରତ୍ୟକ୍ଷ ଟିକସରେ ଯେତିକି ଟଙ୍କା ଦେଉଛନ୍ତି ତା’ଠାରୁ ଛଅ ଗୁଣା ଅଧିକ ଟଙ୍କା ଗରିବ ୫୦ ପ୍ରତିଶତ ଲୋକ ପରୋକ୍ଷ ଟିକସ ଭାବେ ଗଣୁଛନ୍ତି। ସହରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ତୁଳନାରେ ଗ୍ରାମାଞ୍ଚଳ ବାସିନ୍ଦା ୩ ପ୍ରତିଶତ ଅଧିକ ଟିକସ ଗଣୁଛନ୍ତି। ଅନୁସୂଚିତ ଜାତି ଓ ଗ୍ରାମାଞ୍ଚଳର ଶ୍ରମିକଙ୍କ ଅବସ୍ଥା ଆହୁରି ଖରାପ ରହିଛି। ସାମାଜିକ ସ୍ତରରେ ଉନ୍ନତ ସ୍ଥିତିରେ ଥିବା ଲୋକଙ୍କ ଆୟ ତୁଳନାରେ ଅନୁସୂଚିତ ଜାତିର ଲୋକଙ୍କ ଆୟ ୫୫ ପ୍ରତିଶତ ସ୍ତରରେ ରହିଛି। ସେହିପରି ସହରାଞ୍ଚଳ ଶ୍ରମିକମାନେ ଯେତିକି ଆୟ କରୁଛନ୍ତି ଗ୍ରାମାଞ୍ଚଳ ଶ୍ରମିକଙ୍କୁ ତାହାର ଅଧା ମିଳୁଛି। କରୋନା ମହାମାରୀ ପରେ ଆୟ ଅସମାନତା ଆହୁରି ସାଂଘାତିକ ରୂପ ଧାରଣ କରିଛି ବୋଲି ଅକ୍ସଫାମ୍ ରିପୋର୍ଟରୁ ଜଣାପଡ଼ିଛି। ଶୀର୍ଷ ୫ ପ୍ରତିଶତ ଧନୀଙ୍କ ପାଖରେ ଦେଶର ୬୨ ପ୍ରତିଶତ ସମ୍ପତ୍ତି ରହିଛି। ମହାମାରୀ ପୂର୍ବରୁ ସେମାନଙ୍କଠାରୁ ଏହାଠାରୁ କମ୍ ସମ୍ପତ୍ତି ଥିଲା।
ଅକ୍ସଫାମ୍ ଇଣ୍ଡିଆର ସିଇଓ ଅମିତାଭ ବେହାର କହିଛନ୍ତି ଯେ ଦେଶରେ କ୍ଷୁଧା, ବେକାରି, ଦରବୃଦ୍ଧି ଓ ପ୍ରାକୃତିକ ବିପର୍ଯ୍ୟୟ ଭଳି ବହୁ ସମସ୍ୟା ଥିବା ବେଳେ କୋଟିପତିମାନେ କିନ୍ତୁ ବହୁତ ଭଲରେ ଅଛନ୍ତି। ‌ଗରିବ ଲୋକମାନେ ବଞ୍ଚିବା ଲାଗି ମୌଳିକ ଆବଶ୍ୟକତା ପୂରଣ କରିବାକୁ ସଂଘର୍ଷ କରୁଛନ୍ତି। ୨୦୧୮ରେ କ୍ଷୁଧାର୍ତ୍ତ ଭାରତୀୟଙ୍କ ସଂଖ୍ୟା ୧୯ କୋଟି ଥିଲା। ୨୦୨୨ରେ ସେଭଳି ଲୋକଙ୍କ ସଂଖ୍ୟା ୩୫ କୋଟକୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।

ଆୟ ଅସମାନତାକୁ ହ୍ରାସ କରିବା ଲାଗି ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସ୍‌ଟିକୁ କମ୍ କରିବା ଏବଂ ବିଳାସପୂର୍ଣ୍ଣ ସାମଗ୍ରୀର ଜିଏସ୍‌ଟିକୁ ବଢ଼ାଇବା ଲାଗି ରିପୋର୍ଟରେ ସୁପାରିସ କରାଯାଇଛି। ପୁଞ୍ଜି ଲାଭ ଉପରେ ଟିକସକୁ ଆହୁରି ବଢ଼ାଇବାକୁ ପରାମର୍ଶ ଦିଆଯାଇଛି। ଏକ ପ୍ରତିଶତ ଶୀର୍ଷ ଧନୀଙ୍କ ଉପରେ ସ୍ଥାୟୀ ଭ‌ାବେ ଟିକସ ଲଗାଇବା ଏବେ ମିଲିୟନେୟାର, ମଲ୍‌ଟି-ମିଲିୟନେୟାର ଓ ବିଲିୟନେୟାରଙ୍କ ଉପରେ ଚଢ଼ା ହାରରେ ଟିକସ ଲଗାଇବାକୁ ଅକ୍ସଫାମ୍ ଇଣ୍ଡିଆ ସୁପାରିସ କରିଛି। ସ୍ବାସ୍ଥ୍ୟ ଓ ଶିକ୍ଷାରେ ବ୍ୟୟବରାଦ ବଢ଼ାଇବାକୁ କୁହାଯାଇଛି। ଉଭୟ ସଂଗଠିତ ଓ ଅଣ-ସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ଯେଭଳି ସର୍ବନିମ୍ନ ମଜୁରି ମିଳିବ ତାହା ନିଶ୍ଚିତ କରିବା ଦିଗରେ କେନ୍ଦ୍ର ସରକାରଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ବୋଲି ଅକ୍ସଫାମ୍ ଇଣ୍ଟରନ୍ୟାସନାଲ୍‌ର ଇଡି ଗାବ୍ରିଏଲା ବୁଚର କହିଛନ୍ତି। ୨୦୧୭-୨୦୨୧ ଭିତରେ ଧନୀଙ୍କ ଉପରେ ୨୦% ଟିକସ ଲଗାଇଥିଲେ ୧.୮ ଲକ୍ଷ କୋଟି ଟଙ୍କା ସଂଗ୍ରହ ହୋଇଥାନ୍ତା। ସେଥିରେ ଦେଶର ପାଞ୍ଚ ନିୟୁତ ପ୍ରାଥମିକ ଶିକ୍ଷକଙ୍କୁ ବର୍ଷକ ପାଇଁ ନିଯୁକ୍ତି ଦିଆଯାଇପାରିଥାନ୍ତା। ଭାରତରେ ବିଲିୟନେୟାରଙ୍କ ସଂଖ୍ୟା ୨୦୨୦ରେ ୧୦୨ଥିଲା। ୨୦୨୨ରେ ସେମାନଙ୍କ ସଂଖ୍ୟା ୧୬୬କୁ ବୃଦ୍ଧି ପାଇଛି। ଭାରତର ଶୀର୍ଷ ୧୦୦ ଧନୀ ଲୋକଙ୍କ ପାଖରେ ୫୪.୧୨ ଲକ୍ଷ କୋଟି ଟଙ୍କା ରହିଛି ଯାହା ଦେଶର ୧୮ ମାସର ବଜେଟ୍ ଖର୍ଚ୍ଚଠାରୁ ଅଧିକ। କର୍ପୋରେଟ ଟିକସକୁ ସରକାର ୩୦%ରୁ ୨୨ ପ୍ରତିଶତକୁ ହ୍ରାସ କରିବା ଯୋଗୁ ୧,୦୩,୨୮୫ କୋଟି ଟଙ୍କାର ରାଜସ୍ବ ହାନି ହୋଇଛି। ଏହା ଦେଢ଼ ବର୍ଷ ମନରେଗା ବ୍ୟୟବରାଦ ପୂରଣ କରିପାରିଥାନ୍ତା।