ପ୍ରତି ୨୪ଟି ନମୁନାରେ ଗୋଟିଏ ପଜିଟିଭ୍‌, ଅନ୍ୟ ଦେଶ ତୁଳନାରେ ବହୁତ କମ୍‌

ନୂଆଦିଲ୍ଲୀ: ଭାରତରେ ପ୍ରତି ୨୪ଟି ନମୁନାରେ ‌କେବଳ ଗୋଟିଏ ନମୁନା ପଜିଟିଭ୍‌ ରହୁଛି। ସରକାର ଏବଂ ଆଇସିଏମ୍‌ଆର (ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ‌୍) ଭାରତର ପଜିଟିଭ୍‌ ନମୁନା‌କୁ ଅନ୍ୟ ଦେଶ ତଥା ଜାପାନ୍‌, ଇଟାଲି, ଆମେରିକା ଏବଂ ବ୍ରିଟେନ୍‌ର ପଜିଟିଭ୍‌ ନମୁନା ଅନୁପାତ ସହ ତୁଳନା କରି କହିଛନ୍ତି ଯେ ଅନ୍ୟ ଦେଶ ତୁଳନାରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍‌ ରହିଛି। ଭ‌ାରତର ଟେଷ୍ଟିଂ ପ୍ରକ୍ରିୟା ଅନୁଯାୟୀ ଏହା ଗୋଟିଏ ପଜିଟିଭ୍‌ ମାମଲା ପାଇବାପାଇଁ ୨୪ଟି ନମୁନା ଟେଷ୍ଟ୍‌ କରୁଛି। ଅନ୍ୟପକ୍ଷେ ଜାପାନ୍‌ ଗୋଟିଏ ପଜିଟିଭ୍‌ ମାମଲା ପାଇବାପାଇଁ ୧୧ ଟି ନମୁନା ଟେଷ୍ଟ୍‌ କରୁଛି। ଆମେରିକା ଗୋଟିଏ ପଜିଟିଭ୍‌ ମାମଲା ପାଇବାପାଇଁ ୫.୩ ଏବଂ ବ୍ରିଟେନ୍‌ ୩.୪ ଜଣଙ୍କୁ ‌ଟେଷ୍ଟ୍‌ କରୁଛି। ଆଇସିଏମ୍‌ଆର ମୁଖ୍ୟ ମହାମାରୀ ବିଶେଷଜ୍ଞ ଡ. ଆର ଆର ଗଙ୍ଗାଖେଦକର କହିଛନ୍ତି, ଭାରତରେ ୨୪ଟି ଟେଷ୍ଟ୍‌ ରିପୋର୍ଟରୁ ୨୩ଟି ନେଗେଟିଭ୍‌ ଆସିବା ସ୍ଥଳେ ଭାରତରେ ଟେଷ୍ଟିଂ କମ୍‌ ଅଛି ବୋଲି କହିବା ଅନୁଚିତ୍‌। ଭାରତ ଏକ ବିଶାଳ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର। ଏଠାରେ ସବୁଲୋକ ଅସୁରକ୍ଷିତ ଶ୍ରେଣୀରେ ନାହାନ୍ତି। ତେଣୁ ଭାରତରେ ଟେଷ୍ଟିଂ କମ୍‌ ଅଛି ବୋଲି କହିହେବନି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତର ଟେଷ୍ଟିଂ ପ୍ରକ୍ରିୟାକୁ ସମାଲୋଚନା କରିବାପରେ ସରକାରଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‌ କହିଛନ୍ତି, ବୈଜ୍ଞାନିକଙ୍କ ପରାମର୍ଶ କ୍ରମେ ଭାରତରେ ଟେଷ୍ଟିଂ କରାଯାଉଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଭାରତରେ ଏବେ ୩୨୫ଟି ଜିଲ୍ଲା କରୋନା ମୁକ୍ତ।

ସମ୍ବନ୍ଧିତ ଖବର