୨୪ ଘଣ୍ଟା ମଧ୍ୟରେ କଶ୍ମୀରରେ ଜଣେ ଯବାନ ସହିଦ; ୯ ଆତଙ୍କବାଦୀ ନିହତ

ଶ୍ରୀନଗର: ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ ଓ କଶ୍ମୀରରେ ଜଣେ ଯବାନ ସହିଦ ହେବା ସହ ଦୁଇଟି ଭିନ୍ନ ଘଟଣାରେ ୫ଜଣ ଅନୁପ୍ରବେଶକାରୀଙ୍କ ସମେତ ନଅଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଆଜି ଏ ସଂକ୍ରାନ୍ତରେ ସରକାରୀ ଅଧିକାରୀମାନେ ଏକ ବିବୃତିରେ କହିଛନ୍ତି ଯେ ଶନିବାର ଦିନ ଦକ୍ଷିଣ କଶ୍ମୀର ଅନ୍ତର୍ଗତ କୁଲଗାମର ବଟପୁରା ଠାରେ ଚାରିଜଣ ଆତଙ୍କବାଦୀ ନିହତ ହୋଇଥିଲେ । ରବିବାର ଦିନ କୁପୱାଡ଼ାର କେରନ ସେକ୍ଟର୍ ନିକଟ ନିୟନ୍ତ୍ରଣ ରେଖା ଠାରେ ପାଞ୍ଚଜଣ ଅନୁପ୍ରବେଶକାରୀଙ୍କୁ ନିପାତ କରାଯାଇଛି ।

ଭାରତୀୟ ସେନାବାହିନୀର ମୁଖପାତ୍ର କର୍ଣ୍ଣେଲ୍ ରାଜେଶ କାଲିଆ କହିଛନ୍ତି ଯେ ନିରୀହ ସାଧାରଣ ନାଗରିକମାନଙ୍କ ହତ୍ୟାରେ ଜଡ଼ିତ ଚାରି ଜଣ ଆତଙ୍କବାଦୀଙ୍କୁ ଏପ୍ରିଲ ୪ ତାରିଖ ଦିନ ଦକ୍ଷିଣ କଶ୍ମୀରର ବଟପୁରା ଅଞ୍ଚଳରେ ନିପାତ କରାଯାଇଥିଲା ।

Image Source: India Today

କେରନ ସେକ୍ଟରରେ ପ୍ରତିକୂଳ ପାଗ ଏବଂ ପଥୁରିଆ ଅଞ୍ଚଳକୁ ଭ୍ରୁକ୍ଷେପ ନ କରି ସେନାବାହିନୀର ଯବାନମାନେ ୫ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । କେରନରେ ସମ୍ପ୍ରତି ଅନୁପ୍ରବେଶ ବିରୋଧୀ ଅଭିଯାନ ଚାଲିଛି ।

ଖରାପ ପାଗର ଲାଭ ଉଠାଇ ନିକଟରେ ଯେଉଁ ଆତଙ୍କବାଦୀମାନେ କଶ୍ମୀର ଉପତ୍ୟକା ମଧ୍ୟକୁ ପ୍ରବେଶ କରିଥିଲେ ଆଜି ନିହତ ହୋଇଥିବା ପାଞ୍ଚଜଣ ଅନୁପ୍ରବେଶକାରୀ ସେମାନଙ୍କ ଦଳର ହୋଇଥିବେ ବୋଲି ବିଶ୍ୱାସ କରାଯାଉଛି ।

କର୍ଣ୍ଣେଲ୍ କାଲିଆ ଆହୁରି କହିଛନ୍ତି ଯେ ଏହି ଅଭିଯାନରେ ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ଦୁଇଜଣ ସାଙ୍ଘାତିକ ଆହତ ହୋଇଛନ୍ତି । ପ୍ରବଳ ତୁଷାରପାତ ଓ ବନ୍ଧୁର ଭୂଇଁ ଯୋଗୁଁ ଆହତ ଯବାନମାନଙ୍କୁ ସ୍ଥାନାନ୍ତରଣ କରିବାରେ ବାଧା ଆସିଥିଲା । ଅନ୍ୟ ଆତଙ୍କବାଦୀମାନଙ୍କୁ ଖୋଜା ଚାଲିଛି ।

ସମ୍ବନ୍ଧିତ ଖବର