ଜମ୍ମୁ ଓ କଶ୍ମୀରର ବାରମୂଳାରେ ଏନ୍‌କାଉଣ୍ଟର୍‌; ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ କୁଞ୍ଜେର୍‌ ଅଞ୍ଚଳରେ ନିରାପତ୍ତା ବଳ ସହିତ ଗୁଳି ବିନିମୟ କରି ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି।

ଉତ୍ତର କଶ୍ମୀରର କାର୍‌ହାମା କୁଞ୍ଜେର୍‌ ଗାଁ’ରେ ୨ଜଣ ଆତଙ୍କବାଦୀଙ୍କ ଉପସ୍ଥିତି ସଙ୍କ୍ରାନ୍ତରେ ସୁନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ନିରାପତ୍ତା ବଳ କର୍ମତତ୍ପର ହୋଇଉଠିଥିଲା।

ସମ୍ପ୍ରତି ନିରାପତ୍ତା ବଳ ଉକ୍ତ ଗାଁ’କୁ ‘କର୍ଡନ୍‌’ ବା ଚତୁଃପାର୍ଶ୍ବରୁ ଘେରି ଯାଇ ତଲାସ ଚଳାଇଛନ୍ତି।

ବାରମୂଳା ‘ଏସ୍‌ଏସ୍‌ପି’ ଆମୋଦ ଅଶୋକ ନାଗପୁରେ କହିଛନ୍ତି ଯେ, ଏନ୍‌କାଉଣ୍ଟର୍‌ରେ ‘ଲଶ୍କର୍‌-ଏ-ତୈବା’ର ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ସେଠାରେ ସନ୍ଦିଗ୍ଧ ଗତିବିଧି ସଂକ୍ରାନ୍ତରେ ସୂଚନା ମିଳିଥିଲା। ତେଣୁ, ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅପରେସନ୍‌ ଆରମ୍ଭ କରାଗଲା। ପ୍ରଥମେ ଆମ ଆଡ଼କୁ ଗୁଳି ଚାଳନା ହେବାରୁ ଆମେ ପାଲଟା ଗୁଳି ଚଳାଇଲୁ। ଆମ ଗୁଳି ଚୋଟରେ ‘ଲଶ୍କର୍‌-ଏ-ତୈବା’ର ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ‘ଜି୨୦ ଶିଖର ସମ୍ମଳନୀ’ ଥିବାରୁ ଆମ ଯବାନମାନେ ସଜାଗ ଅଛନ୍ତି। ସେମାନେ ଆତଙ୍କବାଦୀମାନଙ୍କୁ ନିପାତ କରୁଥିବାରୁ ସଫଳତାର ସହିତ ‘ଜି୨୦ ଶିଖର ସମ୍ମଳନୀ’ ଆୟୋଜନ କରାଯିବ।

Image Courtesy of India Today

ଉଲ୍ଲେଖଯୋଗ୍ୟ, ଏହା ହେଉଛି ଗତ ୪୮ ଘଣ୍ଟା ମଧ୍ୟରେ ବାରମୂଳାରେ ଦ୍ବିତୀୟ ଏନ୍‌କାଉଣ୍ଟର୍‌। ଏହି ଜିଲ୍ଲା ଅନ୍ତର୍ଗତ କ୍ରୀରି ଗାଁ’ରେ ଗତ ଗୁରୁବାର ଦିନ ୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ସେହିପରି, ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର ରାଜୌରିରେ ଆତଙ୍କବାଦୀମାନଙ୍କଦ୍ବାରା ସଂଘଠିତ ବିସ୍ଫୋରଣରେ ୫ଜଣ ଯବାନ ସହିତ ହେବା ପରେ ଆଜି ସକାଳୁ ସେଠାରେ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର