ଗଲଵାନ୍‌ ସଂଘର୍ଷକୁ ବର୍ଷେ, ଦମ୍‌ ଦେଖାଇଛି ଭାରତ; ଚୀନ୍‌ ବିରୋଧରେ ‘ନାଟୋ’ର କଡ଼ା ଆଭିମୁଖ୍ୟ

ଲେହ(ଲଦାଖ): ଭାରତର ଉତ୍ତର ସୀମାରେ ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖାକୁ କେନ୍ଦ୍ର କରି ଗତବର୍ଷ ଏପ୍ରିଲ ମାସରେ ଚୀନ୍‌ ସେନା ଏକ ବିବାଦ ଛିଡ଼ା କରାଇଥିଲା। ଏହାର ପରିଣତି ସ୍ବରୂପ ୨୦୨୦ ଜୁନ୍‌ ୧୫ ତାରିଖରେ ଗଲଵାନ ଉପତ୍ୟକାରେ ଭାରତୀୟ ଯବାନଙ୍କ ସହ ଚୀନ୍‌ ସୈନିକଙ୍କର ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ସଂଖ୍ୟାଧିକ ଚୀନ୍‌ ସୈନିକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ଯଦିଓ ବେଜିଂ ପ୍ରଶାସନ ଏଯାଏ ନିଜ ସୈନିକମାନଙ୍କର ଜୀବନହାନି ସମ୍ପର୍କରେ ସବିଶେଷ ତଥ୍ୟ ପ୍ରକାଶ କରିନାହିଁ। ଦୀର୍ଘ ବର୍ଷେ ପରେ ମଧ୍ୟ ପୂର୍ବ ଲଦାଖର ଅନେକ ଅଞ୍ଚଳରେ ସ୍ଥିତି ପୂର୍ବ ପରି ଉତ୍ତେଜନାପୂର୍ଣ୍ଣ ରହିଛି। ତେବେ ଭାରତ ପାଇଁ ଖୁସିର ବିଷୟ, ଏହି ବର୍ଷକ ଭିତରେ ଭାରତୀୟ ସ୍ଥଳସେନା ଓ ବାୟୁସେନା ସଂପୃକ୍ତ ଇଲାକାରେ ନିଜର ଶକ୍ତି ସାମର୍ଥ୍ୟ ଯଥେଷ୍ଟ ଗୁଣରେ ବଢ଼ାଇବା ସହ ନିଜର ଗୁରୁତ୍ବପୂର୍ଣ୍ଣ ଉପସସ୍ଥିତିକୁ ଜାହିର କରିପାରିଛନ୍ତି। ରକ୍ତାକ୍ତ ସଂଘର୍ଷକୁ ଆହ୍ବାନ କରି ଚୀନ୍‌ ନିଜ ପାଇଁ ଯେତିକି କ୍ଷତି ପହଞ୍ଚାଇଛି, ସଂଘର୍ଷରେ ପ୍ରାଣବଳି ଦେଇଥିବା ଭାରତୀୟ ସେନା ସଂପୃକ୍ତ ଇଲାକାରେ ପ୍ରତିପକ୍ଷ ବିରୋଧରେ ନିଜକୁ ଯଥେଷ୍ଟ ଶକ୍ତିଶାଳୀ କରିପାରିଛି। ଏପରିକି ବିଶ୍ବର ଅନ୍ୟତମ ଘାତକ ତଥା ଅତ୍ୟାଧୁନିକ ଲଢୁଆ ରାଫେଲ ଯୁଦ୍ଧ ବିମାନକୁ ମଧ୍ୟ ଭାରତୀୟ ବାୟୁସେନା ନିଜ ପ୍ରତିରକ୍ଷା ପ୍ରଣାଳୀରେ ନିୟୋଜିତ କରିପାରିଛି।

ସେହିପରି ଯଦିଓ ଲଦାଖ ସମେତ ଅରୁଣାଚଳ ପ୍ରଦେଶ ସୀମାରେ ଭାରତ କିଛିବର୍ଷ ହେଲା ଭିତ୍ତି ଭୂମି ବିକାଶ କାର୍ଯ୍ୟ ଆରମ୍ଭ କରିଥିଲା, ତେବେ ଏହି ବର୍ଷକ ଭିତରେ ତାହା ଢେର ତ୍ବରାନ୍ବିତ ହୋଇଛି। ସେଠାରେ ଅପନ୍ତରା ଓ ଅପହଞ୍ଚ ଇଲାକାରେ ଯାତାୟାତ ସୁଗମ କରିବା ଲାଗି ସୀମା ସଡ଼କ ସଂଗଠନ(ବିଆର୍‌ଓ) ରାତିଦିନ ଏକ କରି ନିର୍ମାଣ କାର୍ଯ୍ୟ ଜାରି ରଖିଛି। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଘାଟିକୁ ଗମନାଗମନ ସହଜ କରାଯିବା ସହ ବିଶ୍ବର ଉଚ୍ଚତ୍ତମ ସଡ଼କ ପଥ ମଧ୍ୟ ନିର୍ମିତ ହୋଇଛି। ଫଳରେ ବର୍ଷ ତମାମ ସେଠାରେ ଯବାନମାନଙ୍କର ଅବାଧ ବିଚରଣ ହୋଇପାରିବ।

ବ୍ରସେଲ୍‌ସ(ବ୍ରାଜିଲ): ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଥମ ଥର ପାଇଁ ଯୋଗଦେଇଥିବା ନାଟୋ ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରମାନେ ଚୀନ୍‌ ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ବେଜିଂ ପ୍ରଶାସନ ଯୋଜନାବଦ୍ଧ ଭାବେ ଆହ୍ବାନ ସୃଷ୍ଟି କରୁଛି ବୋଲି ନାଟୋ ନେତାମାନେ ସମସ୍ବର ହୋଇଛନ୍ତି। ରାଷ୍ଟ୍ରପତି ବାଇଡେନ୍‌ ମଧ୍ୟ ଚୀନ୍‌ର ଅଧିନାୟକବାଦ ଓ ବର୍ଦ୍ଧିତ ସାମରିକ ଶକ୍ତିର କଡ଼ା ମୁକାବିଲା ପାଇଁ ସହଯୋଗୀ ନାଟୋ ରାଷ୍ଟ୍ରମାନେ ଏକଜୁଟ ହେବାକୁ ଆହ୍ବାନ କରିଛନ୍ତି। ଅତୀତରେ ଶୀତଳ ଯୁଦ୍ଧ ବେଳେ ସୋଭିଏତ୍‌ ସଂଘ ଦାଉରୁ ୟୁରୋପକୁ ସୁରକ୍ଷିତ ରଖିବା ପାଇଁ ସୃଷ୍ଟ ନାଟୋ ସଂଗଠନ ଏବେ ଚୀନ୍‌ ବିରୋଧରେ ଏପରି ଖୋଲାଖୋଲି ଆଗେଇ ଆସିବା ବିଶ୍ବବ୍ୟାପୀ ଆଲୋଚ୍ୟ ବିଷୟ ହୋଇଛି। ସେହିପରି ଧନୀ ରାଷ୍ଟ୍ର(ଜି-୭୦)ମାନଙ୍କର ସମ୍ମିଳନୀରେ ଚୀନ୍‌ ପକ୍ଷରୁ ତାଇଵାନରେ ମାନବିକାଧିକାର ଉଲ୍ଲଂଘନ କରାଯାଉଥିବା ସଂକ୍ରାନ୍ତ ଏକ ସଂକଳ୍ପ ପାରିତ ହେବାର ଦିନକ ପରେ ନାଟୋ ସମ୍ମିଳନୀରେ ଏପରି ଚୀନ୍‌ ବିରୋଧୀ ସ୍ବର ଉତ୍ତୋଳିତ ହେବା ଗୁରୁତ୍ବ ବହନ କରୁଛି।

ସମ୍ବନ୍ଧିତ ଖବର