ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାର ଖଣିରୁ ମିଳିଲା ୫୦ ଲକ୍ଷ ଟଙ୍କା ମୂଲ୍ୟର ୧୦. ୬୯ କ୍ୟାରେଟ୍‌ ହୀରା

ପାନ୍ନା: ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାର ଅନ୍ତର୍ଗତ ଏକ ଖଣିରୁ ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ୧୦. ୬୯ କ୍ୟାରେଟ୍‌ ହୀରା ମିଳିଥିବା କଥା ମଙ୍ଗଳବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

ପନ୍ନାର ହୀରା ଅଧିକାରୀ ଆର୍‌ କେ ପାଣ୍ଡେ କହିଛନ୍ତି, ରାଣୀପୁର ଅଞ୍ଚଳରେ ଥିବା ଏହି ଖଣିକୁ ଲିଜ୍‌ ନେଇଥିଲେ ୩୫ ବର୍ଷିୟ ଆନନ୍ଦୀଲାଲ୍ କୁଶ୍‌ୱାହ୍‌। ସେ ସ୍ଥାନୀୟ ହୀରା କାର୍ଯ୍ୟାଳୟରେ ଉକ୍ତ ୧୦. ୬୯ କ୍ୟାରେଟ୍‌ର ହୀରାଖଣ୍ଡିକ ଜମା କରିଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିକଟ ଅତୀତରେ କୁଶ୍‌ୱାହ୍‌ ଖଣ୍ଡେ ୭୦-ସେଣ୍ଟ୍‌ର ହୀରା ମଧ୍ୟ ଜମା କରିଥିଲେ। କିନ୍ତୁ, ଜିଲ୍ଲାରୁ କରୋନାଭାଇରସ୍ ଲକ୍‌ଡାଉନ୍‌ କୋହାଳ ପରେ ୧୦. ୬୯ କ୍ୟାରେଟ୍ ହୀରାଖଣ୍ଡକ ହେଉଛି ମିଳିଥିବା ସବୁଠୁ ବଡ଼ ହୀରା।

Image Courtesy of Zee News

ଏହି ମୂଲ୍ୟବାନ ପଥରଖଣ୍ଡକ ନିଲାମ ହେବ ଓ ସରକାରୀ ରାଜସ୍ବ ଏବଂ ଟିକସ କଟାଯିବା ପରେ ନିଲାମରୁ ପ୍ରାପ୍ତ ଅର୍ଥ ଜମାକାରୀଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଯଦିବା ହୀରାଖଣ୍ଡକର ପ୍ରକୃତ ମୂଲ୍ୟାୟନ ହୋଇ ନାହିଁ, ସ୍ଥାନୀୟ ବିଶେଷଜ୍ଞମାନେ ଦାବି କରୁଛନ୍ତି ଯେ, ହୀରାର ମାନ ଆଧାରରେ ଏହାର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ।

ସାମ୍ବାଦିକମାନଙ୍କୁ କୁଶ୍‌ୱାହ୍‌ କହିଛନ୍ତି ଯେ, ଗତ ଛଅ ମାସ ହେବ ସେ ଓ ତାଙ୍କ ଅଂଶୀଦାରମାନେ ଖଣିରେ କଠୋର ପରିଶ୍ରମ କରିଆସୁଛନ୍ତି। ହୀରାଖଣ୍ଡକ ପାଇ ସେମାନେ ଆତ୍ମହରା ହୋଇପଡ଼ିଛନ୍ତି।

ରାଜ୍ୟର ‌ବୁନ୍ଦେଲଖଣ୍ଡ ଅଞ୍ଚଳରେ ଅବସ୍ଥିତ ପନ୍ନା ଜିଲ୍ଲା ଭୂଗର୍ଭସ୍ଥ ହୀରା ପାଇଁ ପ୍ରସିଦ୍ଧ।

ସମ୍ବନ୍ଧିତ ଖବର