ଶ୍ରୀନଗର: ଜାମ୍ମୁକାଶ୍ମୀରର ଶୋପିଆନ୍ ଜିଲ୍ଲାରେ UAPA (Unlawful Activities (Prevention) Act, 1967) ଅନୁଯାୟୀ ଏକ ମାମଲା ପଞ୍ଜିକରଣ କରି ୧୦ ଜଣ ସ୍ଥାନୀୟ ଯୁବକଙ୍କୁ ଗିରଫ କରାଯାଇଛି। ଏହି ଯୁବକମାନେ ନିହତ ଆତଙ୍କବାଦୀର ସ୍ମୃତିରେ କ୍ରିକେଟ୍ ମ୍ୟାଚ୍ ଆୟୋଜନ କରିଥିଲେ। ଏହା ପରେ ଗୁରୁବାର ତାଙ୍କୁ ସ୍ଥାନୀୟ ପୁଲିସ ଗିରଫ କରିଥିଲା। ମିଳିଥିବା ସୂଚନାନୁସାରେ, ୨୦୧୯ ରେ ନିହତ ହୋଇଥିବା ଆତଙ୍କବାଦୀ ସୟଦ ରୁବାନର ଭାଇ କ୍ରିକେଟ୍ ମ୍ୟାଚ୍ ଆୟୋଜନ କରିଥିଲା ।
ଆୟୋଜକଙ୍କ ବ୍ୟତୀତ ଅନ୍ୟ ୯ ଜଣଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି। ଦଶ ଜଣ ଯୁବକଙ୍କୁ ଗିରଫ କରିବା ସମ୍ପର୍କରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀଙ୍କୁ ଏହି ଉପାୟରେ ପ୍ରଦର୍ଶିତ କରିବା ଏକ ଅପରାଧ। ଏହି ମାମଲା UAPA ଅଧୀନରେ ଆସିଛି | ସୂଚନାନୁସାରେ, ମ୍ୟାଚର ଆୟୋଜକ ଲୋକଙ୍କ ମଧ୍ୟରେ ଏକ ଟି-ସାର୍ଟ ବଣ୍ଟନ କରିଥିଲେ ଯେଉଁଥିରେ ଆତଙ୍କବାଦୀର ନାମ ଛପାଯାଇଥିଲା।
ତେବେ ଆତଙ୍କବାଦୀ ସୟଦ ରୁବାନର ଭାଇ କହିଛି ଯେ କ୍ରିକେଟ୍ ମୋ ଭାଇର ପ୍ରିୟ ଖେଳ ଥିବାରୁ ମୁଁ ଲୋକମାନଙ୍କୁ ସାର୍ଟ ବଣ୍ଟନ କରିଛି। ସେ ଜଣେ ଦକ୍ଷ କ୍ରିକେଟର ଥିଲା । ରୁବାନର ଭାଇ ଏହା ମଧ୍ୟ କହିଛନ୍ତି ଯେ ସେ ଏହି ସାର୍ଟକୁ ନାଜିନାପୋରା, ପିଞ୍ଜୁରା, ଶୋପିଆନ୍, କାକାପୋରା ପୁଲୱାମା ଏବଂ ଦକ୍ଷିଣ କାଶ୍ମୀରର ବାସିନ୍ଦାଙ୍କୁ ବଣ୍ଟନ କରିଛନ୍ତି।