ଲଣ୍ଡନ୍: ବ୍ରିଟେନର ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଦୌଡରେ ଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଗତ ରାଉଣ୍ଡରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଲିଜ୍ ଟ୍ରସଙ୍କ ସହ କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହୋଇଛନ୍ତି । ଲିଜ୍ ଟ୍ରସ୍ ବର୍ତ୍ତମାନ ବ୍ରିଟେନର ବୈଦେଶିକ ମନ୍ତ୍ରୀ ଅଛନ୍ତି ଏବଂ ଅନ୍ତିମ ପର୍ଯ୍ୟାୟରେ ସେ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକଙ୍କୁ କଡା ଟକ୍କର ଦେଉଥିବାର ନଜର ଆସିଛି । ତେବେ ଆସନ୍ତୁ ଜାଣିବା ଲିଜ୍ ଟ୍ରସଙ୍କ ବିଷୟରେ କିଛି ଅଜଣା କଥା ।
୧. ବ୍ରିଟେନର ସରକାରୀ ୱେବସାଇଟ୍ ଅନୁଯାୟୀ ଲିଜ୍ ଟ୍ରସ୍ ଙ୍କ ପୁରା ନାମ ଏଲିଜାବେଥ୍ ଟ୍ରସ୍ ।
୨. ଲିଜ୍ ଟ୍ରସ୍ ମଧ୍ୟ ଋଷି ସୁନକଙ୍କ ପରି ଅକ୍ସଫୋର୍ଡରେ ପାଠ ପଢ଼ିଛନ୍ତି । ଲିଜ୍ ମର୍ଟନ୍ କଲେଜରୁ ଦର୍ଶନ, ରାଜନୀତି ଏବଂ ଅର୍ଥନୀତି ଅଧ୍ୟୟନ କରିଛନ୍ତି ।
୩. ବ୍ରିଟେନ ବୈଦେଶିକ ମନ୍ତ୍ରୀ ଭାବେ ଗତ ବର୍ଷ ଅକ୍ଟୋବର ୨୦୨୧ରେ ଭାରତ ଗସ୍ତରେ ଆସିଥିଲେ ଲିଜ୍ ଟ୍ରସ । ଦ୍ୱିତୀୟ ଥର ପାଇଁ ଭାରତ ଗସ୍ତରେ ଆସିଥିଲେ ଲିଜ୍ ।
୪. ଲିଜ୍ ଟ୍ରସ୍ ୨୦୧୦ରେ ବ୍ରିଟେନ ସଂସଦରେ ଯୋଗ ଦେଇଥିଲେ । ତାପରେ ସେ ୨୦୧୨ରେ ଶିକ୍ଷା ଏବଂ ଶିଶୁ ବିକାଶ ପାଇଁ ସଂସଦର ଉପ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ ।
୫. ଲିଜ୍ ଟ୍ରସ୍ ୨୦୧୪ ରୁ ୨୦୧୬ ପର୍ଯ୍ୟନ୍ତ ପରିବେଶ, ଖାଦ୍ୟ ଏବଂ ଗ୍ରାମ୍ୟ ବ୍ୟାପାର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ୨୦୧୭ ରୁ ୨୦୧୯ ପର୍ଯ୍ୟନ୍ତ ଟ୍ରେଜେରି ବିଭାଗର ମୁଖ୍ୟ ସଚିବ ମଧ୍ୟ ରହିଥିଲେ ।
୬. ଲିଜ୍ ଟ୍ରସ୍ ୧୦ ବର୍ଷ ଧରି ବାଣିଜ୍ୟିକ ପରିଚାଳକ ଏବଂ ଅର୍ଥନୀତି ନିର୍ଦ୍ଦେଶକ ଭାବରେ ଶକ୍ତି ଏବଂ ଟେଲି ଯୋଗାଯୋଗ ଶିଳ୍ପରେ କାର୍ଯ୍ୟ କରିଛନ୍ତି ।
୭. ଲିଜ୍ ଟ୍ରସ୍ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ସେ ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ସେ ୨୦୨୩ ସୁଦ୍ଧା ବ୍ରିଟେନରେ ବଳବତ୍ତର ଥିବା ସମସ୍ତ ୟୁରୋପୀୟ ୟୁନିଅନ୍ ଆଇନ ନିୟମକୁ ରଦ୍ଦ କରିବେ । ବ୍ରେକ୍ସିଟ୍ ସମୟରେ ଲିଜ୍ ଟ୍ରସ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
୮. ବ୍ରିଟିଶ ଆନ୍ତର୍ଜାତୀୟ ଇଣ୍ଟରନେଟ ଭିତ୍ତିକ ବଜାର ଅନୁସନ୍ଧାନ ଏବଂ ତଥ୍ୟ ବିଶ୍ଳେଷଣକାରୀ କମ୍ପାନି ୟୁଗୋଭ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ଲିଜ୍ ଋଷି ସୁନକଙ୍କୁ ୧୯ ପଏଣ୍ଟ ଉପରେ ନେତୃତ୍ୱ ନେବେ ବୋଲି ଅନୁମାନ କରାଯାଉଛି।
୯. ଟ୍ରସ୍ ତାଙ୍କ ପ୍ରମୋସନାଲ୍ ଭିଡିଓରେ କହିଛନ୍ତି ଯେ, ସେ ଲୋକମାନଙ୍କୁ ସେମାନ ଯାହା ଚାହାଁନ୍ତି ତାହା ହାସଲ କରିବାକୁ ସୁଯୋଗ ଦେବାକୁ ଚାହାଁନ୍ତି, ସେମାନେ ଯେଉଁ ପୃଷ୍ଠଭୂମିରୁ ଆସନ୍ତୁ ନା କାହିଁକି । ପ୍ରଥମ ଦିନରୁ ସେ ଟିକସ ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
୧୦. ଲିଜ୍ ଟ୍ରସ୍ ୪୬ ବର୍ଷର ଜଣେ ବିବାହିତା ମହିଳା ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/PM-6.jpg)