ନୂଆଦିଲ୍ଳୀ: ସୋସିଆଲ ମିଡିଆ ‘ଏକ୍ସ’ରେ ସର୍ବାଧିକ ଅନୁଗାମୀ ଥିବା ନେତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କ ଅନୁଗାମୀ ସଂଖ୍ୟା ୧୦ କୋଟିରୁ ଅଧିକ ହୋଇଛି। ଗତ ତିନି ବର୍ଷ ଭିତରେ ତାଙ୍କ ଅନୁଗାମୀ ୩ କୋଟି ବଢ଼ିଛନ୍ତି। କେବଳ ‘ଏକ୍ସ’ ନୁହେଁ, ୟୁଟ୍ୟୁବ୍ ଓ ଇନଷ୍ଟାଗ୍ରାମ୍ରେ ମଧ୍ୟ ମୋଦୀଙ୍କ ଯଥାକ୍ରମେ ୨.୫ କୋଟି ଓ ୯.୧ କୋଟି ଅନୁଗାମୀ ରହିଛନ୍ତି। ୨୦୦୯ରେ ମୋଦୀ ଟ୍ବିଟର (ବର୍ତ୍ତମାନର ଏକ୍ସ)ରେ ଯୋଗଦେଇଥିଲେ ଓ ତାହାକୁ ସେ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। ସରକାରୀ ସେବା ବିଷୟରେ ସୂଚନାଠାରୁ ଆରମ୍ଭ କରି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ସେ ମତ ଉପସ୍ଥାପନ କରିଥାନ୍ତି। ସେ ନିଜେ ମଧ୍ୟ ଅନେକ ଚର୍ଚ୍ଚିତ ଲୋକଙ୍କୁ ‘ଏକ୍ସ’ରେ ଅନୁସରଣ କରୁଛନ୍ତି।
ଅନୁଗାମୀ ଦୃଷ୍ଟିରୁ ମୋଦୀଙ୍କ ପାଖାପାଖି ଅନ୍ୟ କୌଣସି ନେତା ନାହାନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଅନୁଗାମୀ ସଂଖ୍ୟା ୩.୮୧ କୋଟି ଥିବା ବେଳେ ଦୁବାଇର ରାଜା ଶେଖ୍ ମହମ୍ମଦଙ୍କ ୧.୧୨ କୋଟି ଓ ପୋପ୍ ଫ୍ରାଙ୍କସିସ୍ଙ୍କ ୧.୮୫ ଲକ୍ଷ ଅନୁଗାମୀ ରହିଛନ୍ତି। ମୋଦୀଙ୍କଠାରୁ ଅନ୍ୟ ଭାରତୀୟ ନେତାଙ୍କ ଅନୁଗାମୀ ସଂଖ୍ୟା ମଧ୍ୟ ବହୁତ କମ୍ ରହିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅନୁଗାମୀ ସଂଖ୍ୟା ୨.୬୪ କୋଟି ଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ୨.୭୫ କୋଟି, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ୧.୯୯ କୋଟି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅନୁଗାମୀ ସଂଖ୍ୟା ୭୪ ଲକ୍ଷ ରହିଛି। ରାଷ୍ଟ୍ରୀୟ ଜନତା ଦଳ ନେତା ଲାଲୁ ପ୍ରସାଦ ଯାଦବଙ୍କ ୬୩ ଲକ୍ଷ, ତେଜସ୍ବୀ ସୂର୍ଯ୍ୟାଙ୍କ ୫୨ ଲକ୍ଷ ଓ ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କ ୨୯ ଲକ୍ଷ ଅନୁଗାମୀ ରହିଛନ୍ତି।
କ୍ରୀଡ଼ା ଜଗତର ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ କ୍ରିକେଟ୍ ତାରକା ବିରାଟ କୋହଲିଙ୍କ ୬.୪୧ କୋଟି, ବ୍ରାଜିଲ୍ର ଫୁଟ୍ବଲ୍ ତାରକା ନେମାର ଜୁନି୍ରର୍ଙ୍କ ୬.୩୬ କୋଟି, ଆମେରିକା ବାସ୍କେଟ୍ବଲ୍ ତାରକା ଲିବ୍ରୋନ୍ ଜେମ୍ସଙ୍କ ୫.୨୯ କୋଟି, ସେଲିବ୍ରିଟି ଟେଲର୍ ସ୍ବିଫ୍ଟଙ୍କ ୯.୫୩ କୋଟି, ଲେଡି ଗାଗାଙ୍କ ୮.୩୧ କୋଟି ଓ କିମ୍ କର୍ଦାସିଆନ୍ଙ୍କ ୭.୫୨ କୋଟି ଅନୁଗାମୀ ରହିଛନ୍ତି।