ବର୍ଷ ଶେଷ ସୁଦ୍ଧା ୧୦ କୋଟି କୋଭିଡ୍‌ ଟିକା ବଣ୍ଟାଯିବ: ଟ୍ରମ୍ପ୍‌

ସିଡିସି ମୁଖ୍ୟଙ୍କ ଟିପ୍ପଣୀକୁ ଟ୍ରମ୍ପ୍‌ଙ୍କ ଖଣ୍ଡନ

ଵାସିଂଟନ: କୋଭିଡ୍‌ ଟିକା ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବିବୃତିସମୂହକୁ ପ୍ରଥମରୁ ସମାଲୋଚନା କରିଆସୁଥିବା ତାଙ୍କ ନିର୍ବାଚନୀ ପ୍ରତିଦ୍ବନ୍ଦ୍ବୀ ଜୋ ବାଇଡେନ୍‌ଙ୍କ ସମାଲୋଚନାର ଦୃଢ଼ ଜବାବ ଦେଇଛନ୍ତି ଟ୍ରମ୍ପ୍‌। ସମ୍ପ୍ରତି ଚୂଡ଼ାନ୍ତ ନୈଦାନିକ ପରୀକ୍ଷଣ ଜାରି ରହିଥିବା ଟିକାମାନଙ୍କ ମଧ୍ୟରୁ ଦୁଇ ତିନିଟି ଟିକା ଚଳିତ ବର୍ଷ ଶେଷ ସୁଦ୍ଧା ବଜାରରେ ଉପଲବ୍‌ଧ ହୋଇପାରିବ ବୋଲି ସଂକେତ କଲେଣି। ସୁତରାଂ ଟିକାଟିଏ ବଜାରକୁ ଆସିବା ମାତ୍ରେ ତାହା କିପରି ସୁଚାରୁରୂପେ ପ୍ରଥମେ ଆମେରିକାର ବରିଷ୍ଠ ନାଗରିକ ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଯୋଗାଯାଇପାରିବ, ସେଥି ପାଇଁ ଯୋଜନା ପ୍ରସ୍ତୁତ ସରିଛି ବୋଲି ଟ୍ରମ୍ପ୍‌ କହିଛନ୍ତି। ଏଥିପାଇଁ ଆମେରିକାର ସାମରିକ ବାହିନୀକୁ ନିୟୋଜିତ କରାଯିବ ଏବଂ ଏହା ବିଶ୍ବର ସବୁଠୁ ବୃହତମ, ଦ୍ରୁତତମ ଏବଂ ଅତ୍ୟାଧୁନିକ ଟିକା ଯୋଗାଣ ବ୍ୟବସ୍ଥାର ମାନ୍ୟତା ରଖିବ ବୋଲି ସେ କହିଛନ୍ତି। ଆଗାମୀ ଅକ୍ଟୋବର ମାସର କୌଣସି ଦିନ ଟିକାଟିଏ ଉପଲବ୍‌ଧ ହୋଇପାରିବ ବୋଲି ସେ ଆଶାବାଦୀ ଅଛନ୍ତି ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶବାସୀଙ୍କ ପାଇଁ କୋଭିଡ୍‌ ଟିକାର ୧୦ କୋଟି ମାତ୍ରା ବିତରଣ କରାଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଵାସିଂଟନ: ଅକ୍ଟୋବର ସୁଦ୍ଧା ଏକ ଫଳପ୍ରଦ କୋଭିଡ୍‌ ଟିକା ତାଙ୍କ ହାତ ପାଆନ୍ତାରେ ଆସି ପହଞ୍ଚିଯିବ ବୋଲି ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ପୁଣିଥରେ ଜୋର୍‌ କରି କହିଛନ୍ତି। ଏଥି ସହିତ ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ର (ସିଡିସି) ନିର୍ଦ୍ଦେଶକ ରବର୍ଟ ରେଡ୍‌ଫିଲ୍ଡ ଦେଇଥିବା ମନ୍ତବ୍ୟକୁ ଟ୍ରମ୍ପ୍‌ ଖଣ୍ଡନ କରିଛନ୍ତି। ସୂଚନା ଥାଉ କି, ମହାମାରୀ କୋଭିଡ୍‌ ସହ ଲଢ଼ିବା ପାଇଁ ମାସ୍କ ହେଉଛି ଏକ ପ୍ରମୁଖ ଅସ୍ତ୍ର ଏବଂ ୨୦୨୧ ମଧ୍ୟଭାଗ ସୁଦ୍ଧା କୌଣସି ଫଳପ୍ରଦ କୋଭିଡ୍‌ ଟିକା ଆସିବାର ସମ୍ଭାବନା ନାହିଁ ବୋଲି ରେଡ୍‌ଫିଲ୍ଡ ଦେଇଥିବା ମନ୍ତବ୍ୟ ଟ୍ରମ୍ପଙ୍କ ନିର୍ବାଚନୀ ପ୍ରଚାରକୁ ଅଡୁଆରେ ପକାଇଛି। ରେଡ୍‌ଫିଲ୍ଡଙ୍କ ଏଭଳି ବକ୍ତବ୍ୟ ସମ୍ପୂର୍ଣ୍ଣ ଭାବେ ଟ୍ରମ୍ପ୍‌ଙ୍କ ଆଭିମୁଖ୍ୟ ବିରୋଧୀ ହେବା ସହ ତା‌ଙ୍କୁ ଘେରିବା ଲାଗି ପ୍ରତିଦ୍ବନ୍ଦ୍ବୀ ଜୋ ବାଇଡେନ୍‌ଙ୍କୁ ଖୋରାକ ଯୋଗାଇଛି। ତେବେ ରେଡ୍‌ଫିଲ୍ଡ ଭୁଲବଶତଃ ଏମିତି କହିପକାଇଛନ୍ତି ବୋଲି ଟ୍ରମ୍ପ୍‌ ସଫେଇ ଦେବା ସହ ତାହା ଏକ ଭୁଲ୍‌ ସୂଚନା ଥିଲା ବୋଲି ଟ୍ରମ୍ପ୍‌ କହିଛନ୍ତି।

ସମ୍ବନ୍ଧିତ ଖବର