ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି)ର ବୈଠକ ଆସନ୍ତା ୧୦ ତାରିଖ, ଶନିବାର ଦିନ ଏଆଇସିସି ମୁଖ୍ୟାଳୟରେ ହେବ। ଦଳର ସଭାପତି ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିବାରୁ ତାଙ୍କର ଉତ୍ତରାଧିକାରୀ ବଛାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଗତ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ମେ ୨୫ ତାରିଖରେ ଅନୁଷ୍ଠିତ ସିଡବ୍ଲ୍ୟୁସି ବୈଠକରେ ସଭାପତି ରାହୁଲ ଗାନ୍ଧୀ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ରାହୁଲଙ୍କ ଇସ୍ତଫା ପରେ ଦଳର ଅନ୍ୟାନ୍ୟ ନେତାମାନେ ମଧ୍ୟ ବହୁସଂଖ୍ୟାରେ ସେମାନଙ୍କ ପଦପଦବିରୁ ଇସ୍ତଫା ଦେଇଛନ୍ତି। ନିକଟରେ ରାଜ୍ୟସଭା ସଦସ୍ୟ ସଂଜୟ ସିଂହ ମଧ୍ୟ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଇଛନ୍ତି। ୧୦ ତାରିଖ ପୂର୍ବାହ୍ନ ୧୧ଟାରେ ସିଡବ୍ଲ୍ୟୁସି ବୈଠକ ହେବ ବୋଲି କଂଗ୍ରେସର ସଂଗଠନ ସାଧାରଣ ସମ୍ପାଦକ କେ ସି ଭେନୁଗୋପାଳ ଟ୍ବିଟ୍ କରିଛନ୍ତି। ସଂସଦର ଚଳିତ ଅଧିବେଶନ ବୁଧବାର ଶେଷ ହେବା ପରେ ସିଡବ୍ଲ୍ୟୁସି ବୈଠକ ହେବ ବୋଲି ଗତ ସପ୍ତାହରେ ମଧ୍ୟ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା।
ରାହୁଲ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ସିଡବ୍ଲ୍ୟୁସି ବୈଠକ ବସିବ। ରାହୁଲଙ୍କ ଇସ୍ତଫାକୁ ଯଦିଓ ସିଡବ୍ଲ୍ୟୁସି ଅଗ୍ରାହ୍ୟ କରିଦେଇଛି ଏବଂ ସବୁ ସ୍ତରରେ ଦଳର ପୁନର୍ଗଠନ ପାଇଁ ତାଙ୍କୁ କ୍ଷମତା ଦେଇଛି ତଥାପି ରାହୁଲ ପଦରେ ରହିବା ଲାଗି ରାଜିନାହାନ୍ତି। ଏପରିକି ସେ କିମ୍ବା ତାଙ୍କ ପରିବାରର କେହି ସଭାପତି ହେବେ ନାହିଁ ବୋଲି ରାହୁଲ ପୂର୍ବରୁ କହି ସାରିଛନ୍ତି। ତେବେ ପ୍ରିୟଙ୍କା ଗାନ୍ଧୀଙ୍କୁ ଦଳର ସଭାପତି କରିବା ଲାଗି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ କଂଗ୍ରେସ ନେତା ଶଶୀ ଥରୁର ଅତୀତରେ ମତବ୍ୟକ୍ତ କରିଛନ୍ତି। ତେଣୁ ଆସନ୍ତା ବୈଠକରେ ଦଳ କି ନିଷ୍ପତ୍ତି ନେଉଛି ଏବଂ କାହାକୁ ସଭାପତି ଭାବେ ନିର୍ବାଚନ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।
ପାଇଲଟ କିମ୍ବା ସିନ୍ଧିଆଙ୍କୁ ସଭାପତି ପାଇଁ ଦେଓରାଙ୍କ ପ୍ରସ୍ତାବ
ମୁମ୍ବାଇ: ଯୁବନେତା ସଚିନ ପାଇଲଟ କିମ୍ବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କଂଗ୍ରେସ ସଭାପତି କରିବା ପାଇଁ ମୁମ୍ବାଇ କଂଗ୍ରେସ ମୁଖ୍ୟ ମିଲିନ୍ଦ ଦେଓରା ଆଜି ପ୍ରସ୍ତାବ ଦେଇଛନ୍ତି। ସାରା ଭାରତରେ ଆକର୍ଷଣ ଥିବା ଜଣେ ଯୁବକଙ୍କୁ କଂଗ୍ରେସ ସଭାପତି କରିବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଯେଉଁ ମତ ଦେଇଛନ୍ତି ସେହି ମତ ସହ ଦେଓରା ଏକମତ ବୋଲି କହିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଯେଉଁସବୁ ମାନଦଣ୍ଡ କଥା କହିଛନ୍ତି ତାହା ସଚିନ ପାଇଲଟ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନିକଟରେ ରହିଛି ବୋଲି ଦେଓରା ମତ ଦେଇଛନ୍ତି। ଏହି ଦୁଇଜଣଙ୍କ ମଧ୍ୟରୁ କାହାକୁ ଅନ୍ତରୀଣ ସଭାପତି କରାଯିବା ସହିତ ତାଙ୍କୁ ସର୍ବସାଧାରଣରେ ଗାନ୍ଧୀ ପରିବାର ସମର୍ଥନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ତେବେ ଦଳ ଏହି ଦୁଇଜଣଙ୍କ ବ୍ୟତୀତ ଅନ୍ୟ କାହାରିକୁ ସଭାପତି ଭାବେ ବାଛିଲେ ତାଙ୍କର ପ୍ରତିକ୍ରିୟା କ’ଣ ରହିବ ବୋଲି ପ୍ରଶ୍ନ ହେବାରୁ ସେ କହିଥିଲେ ଦଳର ନିଷ୍ପତ୍ତିକୁ ସେ ସମ୍ମାନ ଦେବେ।