ଇନ୍ଦୋରରେ ହୋଟେଲ ଭୁଶୁଡ଼ି ୧୦ ମୃତ

ଇନ୍ଦୋର : ଇନ୍ଦୋରର ସରଓ୍ଵତେ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ହୋଟେଲ ଆଜି ରାତିରେ ଭୁଶୁଡ଼ି ପଡ଼ିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ପ୍ରାୟ ୩୦ ଜଣ ଭଗ୍ନସ୍ତପ ତଳେ ଫସି ରହିଥିବା ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଚାଲିଛି । ବସ୍‌ଷ୍ଟାଣ୍ଡ୍‌ ନିକଟରେ ଅବସ୍ଥିତ ୪ ମହଲା ବିଶିଷ୍ଟ ‘ଏମ୍‌ଏସ୍‌ ହୋଟେଲ ରାତି ପ୍ରାୟ ସାଢ଼େ ୯ଟା ବେଳେ ଅଚାନକ ଭୁଶୁଡ଼ି ପଡ଼ିଥିଲା। ଏହି ହୋଟେଲରେ ୨୫ଟି ରୁମ୍‌ ରହିଥିବା ବେଳେ ଦୁର୍ଘଟଣା ବେଳେ ଅତିଥି ଓ କର୍ମଚାରୀଙ୍କୁ ମିଶାଇ ପ୍ରାୟ ୬୦ ଜଣ ସେଠାରେ ଥିବା ଅନୁମାନ କରାଯାଉଛି । ଏସ୍‌ଡିଆର୍‌ଏଫ୍‌ ଉଦ୍ଧାରକାରୀ ଦଳ ୯ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତ ୧୦ ଜଣଙ୍କ ମଧ୍ୟରେ ୨ ଜଣ ମହିଳା ରହିଛନ୍ତି। ରାତି ତମାମ ଉଦ୍ଧାର ପ୍ରକ୍ରିୟା ଜାରି ରହିବ ବୋଲି ସ୍ଥାନୀୟ ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ଏହି ହୋଟେଲକୁ ପୂର୍ବରୁ ବିପଦସଙ୍କୁଳ ବୋଲି ଘୋଷଣା କରାଯାଇନଥିଲା ଏବଂ ସୁରକ୍ଷା ଦୃଷ୍ଟିରୁ କୌଣସି ଆଶଙ୍କା ନଥିଲା ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଦୁର୍ଘଟଣା ନେଇ ଗଭୀର ଦୁଖ ପ୍ରକାଶ କରିବା ସହ ଉଦ୍ଧାର ଓ ସହାୟତା କାର୍ଯ୍ୟ ତ୍ୱରାନ୍ଵିତ ଭିତ୍ତିରେ ଚାଲିଥିବା କହିଛନ୍ତି।

ସମ୍ବନ୍ଧିତ ଖବର