ମଦୁରାଇ: ତାମିଲନାଡୁର ମଦୁରାଇ ରେଳ ଷ୍ଟେସନରେ ଶନିବାର ଏକ ଟ୍ରେନ୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ରେଳବାଇ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛି। ମଦୁରାଇ ୟାର୍ଡରେ ଟ୍ରେନ୍ ପାର୍କିଂ ହୋଇଥିବା ବେଳେ ଭୋର ପ୍ରାୟ ୫ଟା ୧୫ମିନିଟ୍ରେ ଏକ ଘରୋଇ ପାର୍ଟି କୋଚ୍ ଭିତରେ ଅଗ୍ନିକାଣ୍ଡ ଘଟିଥିଲା। ତୁରନ୍ତ ଦମକଳ ବାହିନୀ ଡକାଯାଇ ସକାଳ ପ୍ରାୟ ୭ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିବାରୁ ଟ୍ରେନ୍ର ଆଖପାଖ ବଗିଗୁଡ଼ିକରେ କୌଣସି କ୍ଷୟକ୍ଷତି ହୋଇନଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡରେ ପୋଡ଼ି ଯାଇଥିବା ଏହି ବଗିରେ ଲକ୍ଷ୍ନୌରୁ ପ୍ରାୟ ୬୫ ଜଣ ଯାତ୍ରୀ ଥିଲେ। ବଗିଟି ୟାର୍ଡରେ ପାର୍କିଂ ହୋଇଥିବା ବେଳେ କିଛି ଯାତ୍ରୀ ବେଆଇନ ଭାବେ ରନ୍ଧନ ଗ୍ୟାସ ସିଲିଣ୍ଡର ବ୍ୟବହାର କରି ଚା’ ଓ ଜଳଖିଆ ପ୍ରସ୍ତୁତ କରୁଥିଲେ, ଯାହା ନିଆଁ ଲାଗିବାର କାରଣ ବୋଲି ଅଭିଯୋଗ ହୋଇଛି। ମଦୁରାଇ ଜିଲ୍ଲାପାଳ ଏମ୍ଏସ୍ ସଙ୍ଗୀତା କହିଛନ୍ତି, ଆଜି ଭୋର ପ୍ରାୟ ସାଢ଼େ ୫ଟା ବେଳେ ମଦୁରାଇ ରେଳ ଷ୍ଟେସନରେ ଅଟକି ଥିବା ଏକ ବଗିରେ ନିଆଁ ଲାଗିଯାଇଥିଲା। ଏଥିରେ ଉତ୍ତରପ୍ରଦେଶରୁ ତୀର୍ଥଯାତ୍ରୀମାନେ ଯାତ୍ରା କରୁଥିଲେ। ଚା ତିଆରି କରିବା ପାଇଁ ଗ୍ୟାସ ଚୁଲା ଜଳାଉଥିବା ବେଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଆମେ ୯ଟି ମୃତଦେହ ଉଦ୍ଧାର କରିଛୁ। ଗ୍ୟାସ ସିଲିଣ୍ଡର, ବାଣ, ଏସିଡ, କିରୋସିନ, ପେଟ୍ରୋଲ, ଥର୍ମିକ ୱେଲ୍ଡିଂ, ଚୁଲା ଏବଂ ବିସ୍ଫୋରକ ଭଳି ଜ୍ୱଳନଶୀଳ ଜିନିଷ ବହନ କରିବା ୧୯୮୯ର ରେଳ ଆଇନର ଧାରା ୬୭, ୧୬୪ ଏବଂ ୧୬୫ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତଥାପି ଘରୋଇ ପାର୍ଟି (ଭାସିନ ଟୁର୍ସ ଆଣ୍ଡ ଟ୍ରାଭେଲ୍ସ, ସୀତାପୁର) ବେଆଇନ ଭାବେ ଏକ ଗ୍ୟାସ ସିଲିଣ୍ଡର, ଚୁଲା ଏବଂ ଅନ୍ୟାନ୍ୟ ଦହନଶୀଳ ଜିନିଷ ନେଇ ଯାଇଥିଲା, ଯାହା ଫଳରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।