୬୮ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ୨୦୧୯ ଲୋକସଭା ନିର୍ବାଚନରେ ଲାଗୁ ହେବ ଏହି ୮ଟି ନୂଆ ନିୟମ

ନୂଆଦିଲ୍ଲୀ : ଭାରତରେ ପ୍ରଥମ ସାଧାରଣ ନିର୍ବାଚନ ୧୯୫୧ମସିହାରେ  ହୋଇଥିଲା । ସେବେଠାରୁ ଭାରତୀୟ ନିର୍ବାଚନ ବ୍ୟବସ୍ଥା ପରିବର୍ତ୍ତନର ବିଭିନ୍ନ ଦିଗ ଦେଖି ସାରିଛି । ଆଜିର ଲୋକତନ୍ତ୍ର ସବୁଠାରୁ ବଡ଼ ଏବଂ ସଶକ୍ତ ହୋଇଥିବା ବେଳେ  ନିର୍ବାଚନ କମିସନର ନିର୍ବାଚନ ବ୍ୟବସ୍ଥାରେ ସେଭଳି ବିଭିନ୍ନ ପ୍ରକାରର ପରିବର୍ତ୍ତନ ଆଣିଥିବା ଜଣାପଡ଼ିଛି । ଗତକାଲି  ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି । ନିର୍ବାଚନର ତାରିଖ ସହ କେତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ ତାହା ମଧ୍ୟ ନିର୍ବାଚନ କମିସନର ଘୋଷଣା କରିଥିଲେ । ଏହି ଘୋଷଣା ପରେ ଏବେ ସବୁ ଦଳ ନିର୍ବାଚନୀ ପ୍ରଚାର ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ଜଣାପଡ଼ିଛି । ତେବେ ୬୮ବର୍ଷ ମଧ୍ୟରେ ଲାଗୁ ହୋଇ ନ ଥିବା ନିୟମ ଆସନ୍ତା ନିର୍ବାଚନରେ ଲାଗୁ ହେବାକୁ ଯାଉଛି । ଭୋଟ ଦେବା ପୂର୍ବରୁ ଏହି ୮ଟି ନୂଆ ନିୟମ ବିଷୟରେ ଆପଣମାନଙ୍କର ଜାଣିବା ନିହାତି ଆବଶ୍ୟକ ।

୧.ଚଳିତ ବର୍ଷ ଭୋଟରଙ୍କ ପାଇଁ ଭିଭିପାଟ୍‌ର ବ୍ୟବସ୍ଥା କରାଯାଇଛି । ଭୋଟରମାନେ ଇଭିଏମ୍‌ରେ ନିଜର ଭୋଟ ଦେବା ପରେ ଭିଭିପାଟ୍‌ ମେସିନ୍‌ରୁ ଏକ ସ୍ଲିପ୍‌ ବାହାରିବ । ଯାହାଦ୍ୱାରା ସେ କେଉଁ ଦଳକୁ ଭୋଟ ଦେଲେ, ତାହା ଜାଣି ପାରିବେ । ଗତ ନିର୍ବାଚନରେ ଇଭିଏମ୍‌ ମେସିନ୍‌ରେ ଭୋଟ ଅଦଳବଦଳ ହେଉଥିବାର ଅଭିଯୋଗ ବିପକ୍ଷ ଦଳ ଆଣିବା ପରେ ଭିଭିପାଟ୍‌ ମେସିନ୍‌ର ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା ଭୋଟରମାନେ ଭିଭିପାଟ୍‌ ମେସିନ୍‌ ଦ୍ୱାରା ଯେଉଁ ଦଳକୁ ଭୋଟ୍‌ ଦେଇଛନ୍ତିି, ତାଙ୍କୁ ଭୋଟ୍‌ ମିଳିଛି କି ନାହିଁ ତୁରନ୍ତ ଜାଣି ପାରିବେ ।

Northeast Now

୨. ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ପ୍ରାର୍ଥୀମାନଙ୍କୁ ୫ବର୍ଷର ଆୟ ବିଷୟରେ ସୂଚନା ଦେବାକୁ ହେବ । ଏହା ସହ ଦେଶ ବାହାରେ ଯଦି କିଛି ଜମି ବାଡ଼ି ରହିଛି, ତେବେ ତାହାର ମଧ୍ୟ ସୂଚନା ଦେବାକୁ ହେବ ।

୩.ଚଳିତବର୍ଷ ନିର୍ବାଚନରେ ସେନାର ଯବାନମାନଙ୍କ ପାଇଁ ଇଲେକ୍ଟ୍ରିକ୍‌ ଟ୍ରାନ୍ସମିଟେଡ୍‌ ପୋଷ୍ଟଲ ବାଲଟ୍‌ ମେସିନ୍‌ର ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା ଡିୟୁଟିରେ ଥାଇ ମଧ୍ୟ ସେମାନେ ସହଜରେ ନିଜର ମତଦାନ କରିପାରିବେ ଏବଂ ତାହା ଠିକ୍‌ ସମୟରେ ଆସି ପହଞ୍ଚି ପାରିବ । ପୂର୍ବରୁ ଯବାନମାନେ ସୀମାରେ କିମ୍ବା ଅନ୍ୟ ସ୍ଥାନରେ ମୁତୟନ ହୋଇଥିବା ହେତୁ ଭୋଟ୍‌ ଦେଇ ପାରୁ ନଥିଲେ । ଯଦି କେହି ଭୋଟ ଦେଉଥିଲା,ତେବେ ସେମାନଙ୍କ ଭୋଟ ଗଣତି ସମୟରେ ଆସି ପହଞ୍ଚି ପାରୁ ନଥିଲା । କିନ୍ତୁ ଚଳିତବର୍ଷ ନିର୍ବାଚନରେ ସେ ସବୁ ଅସୁବିଧା ହେବ ନାହିଁ ।

୪.ଆଗରୁ ମତଦାତାମାନେ ଭୋଟ୍‌ ପୂର୍ବରୁ ପ୍ରାର୍ଥୀମାନଙ୍କ ଅପରାଧିକ କାର୍ଯ୍ୟକଳାପ ବିଷୟରେ ଜାଣି ପାରୁ ନ ଥିଲେ । ଆଫିଡେଭିଟ୍‌ରେ ପ୍ରାର୍ଥୀମାନେ ଏହାର ଉଲ୍ଲେଖ କରିଥିଲେ ମଧ୍ୟ ମତଦାତାମାନେ ଏ ବିଷୟରେ ଜାଣି ପାରୁନଥିଲେ । କିନ୍ତୁ ଚଳିତବର୍ଷ ନିର୍ବାଚନ କମିସନ ସବୁ ଦଳକୁ ଏକ ନୂଆ ଆଦେଶ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ମିଡିଆର ସାହାଯ୍ୟ ନେଇ ବିଜ୍ଞାପନଦ୍ୱାରା ପ୍ରାର୍ଥୀମାନଙ୍କ ଅପରାଧିକ କାମ ବିଷୟରେ ମତଦାତାମାନଙ୍କୁ ଜଣାଇବାକୁ ହେବ। ।

୫.ପ୍ରତି ବିଧାନସଭା କ୍ଷେତ୍ରରେ ଅତି କମ୍‌ରେ ଗୋଟେ ପୋଲିଂ ବୁଥ୍‌କୁ ସମ୍ପୁର୍ଣ୍ଣ ଭାବରେ ମହିଳାମାନେ ନିୟମନ୍ତ୍ରଣ କରିବେ । ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ନିର୍ବାଚନ କମିସନଙ୍କ ଏହି ନିୟମକୁ ନେଇ ଅନେକ ପ୍ରଶଂସା କରାଯାଉଛି ।

୬.ନିର୍ବାଚନ କମିସନ ଚଳିତ ବର୍ଷ ଲୋକସଭା ନିର୍ବାଚନ ପାଇଁ ଏକ C-Vigil ମୋବାଇଲ୍‌ ଆପ୍‌ ଲଞ୍ଚ କରିଛନ୍ତି । ଯାହାଦ୍ୱାରା ସାଧାରଣ ଲୋକମାନେ ନିର୍ବାଚନ ସମୟରେ କୌଣସି ଅସୁବିଧା ହେଲେ, ତାହାର ଅଭିଯୋଗ ସିଧାସଳଖ ଭାବରେ ନିର୍ବାଚନ କମିସନଙ୍କୁ  କରି ପାରିବେ । ଅଭିଯୋଗ ସହ ଫଟୋ ଏବଂ ଭିଡିଓ ମଧ୍ୟ ପଠାଇବାର ସୁବିଧା ରହିଛି ।

୭.ଏବେ ଆପଣ ଇଭିଏମ୍‌ ମେସିନ୍‌ରେ ପ୍ରାର୍ଥୀଙ୍କ ନାଁ ଏବଂ ଦଳର ଚିହ୍ନ ସହ ସେମାନଙ୍କର ଫଟୋ ମଧ୍ୟ ଦେଖି ପାରିବେ ।

India Today

୮.ଚଳିତବର୍ଷ ନିର୍ବାଚନରେ ସବୁ ଇଭିଏମ୍‌ ମେସିନ୍‌ରେ ଜିପିଏସ୍‌ ଟ୍ରାକିଙ୍ଗିର ବ୍ୟବସ୍ଥା କରାଯିବା । ଯାହାଦ୍ୱାରା ସେହି ଅଞ୍ଚଳରେ ମୁତୟନ ଥିବା ଫ୍ଲାଇଙ୍ଗ ସ୍କ୍ଵାଡ୍‌ ଇଭିଏମ୍‌ ମେସିନ୍‌ ଉପରେ ନଜର ରଖି ପାରିବେ ।

ସମ୍ବନ୍ଧିତ ଖବର