ଉତ୍ତରାଖଣ୍ଡର ସୁପରଫାଷ୍ଟ ଟ୍ରେନରୁ ଉଦ୍ଧାର ହେଲା ୧୦ଫୁଟ ଲମ୍ବର ଅହିରାଜ ସାପ, ଭାଇରାଲ ହେଲା ଭିଡିଓ

ଡେରାଡୁନ: ଏଇ କିଛି ଦିନ ମଧ୍ୟରେ ଘରୁ ସାପ ବାହାରିବାର ଅନେକ ଘଟଣା ସାମ୍ନାକୁ ଆସି ସାରିଛି। ଘରେ ଥିବା ଠାକୁର ଘର ହେଉ ବା କୌଣସି ଗାତରେ ସାପମାନେ ସୁରକ୍ଷିତ ଭାବେ ରହି ନିଜର ବଂଶ ବିସ୍ତାର କରିଥାନ୍ତି। ତେବେ ଘର ଭିତରୁ ସାପ ବାହାରିବାର ଅନେକ ଘଟଣା ଦେଖିବାକୁ ମିଳି ସାରିଥିବା ବେଳେ ଏବେ ଉତ୍ତରାଖଣ୍ଡର ଏକ ସୁପରଫାଷ୍ଟ ଟ୍ରେନରୁ ସାପ ବାହାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ବଗିର କବାଟ ପାଖରେ ଥିବା ଟ୍ରେନର ଚକାରେ ୧୦ଫୁଟର ଅହିରାଜ ସାପ ଗୁଡ଼ାଇ ହୋଇ ରହିଥିବା ବେଳେ ସମୟ ଥାଉ ଥାଉ ଅହିରାଜ ସାପଟିକୁ ଉଦ୍ଧାର କରିଥିଲେ ବନ ବିଭାଗ କମର୍ଚାରୀ।

ବନ ବିଭାଗ କର୍ମଚାରୀ ଡକ୍ଟର ପିଏମ୍ ଢ଼କାଟେ ନିଜ ଟୁଇଟର ଆକାଉଣ୍ଟ ଜରିଆରେ ଉଦ୍ଧାରକାର୍ଯ୍ୟର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଦୁଇ ବନ ବିଭାଗ କର୍ମଚାରୀ ଖୁବ୍ ସାବଧାନତାର ସହ ଅହିରାଜ ସାପକୁ ବାହାରକୁ ଆଣୁଥିବା ଦେଖାଯାଇଛି। କାଠଗୋଦାମ ଷ୍ଟେସନରେ ଟ୍ରେନଟି ଅଟକିବା ପରେ ସାପକୁ ଉଦ୍ଧାର କରାଯାଇଥିଲା ବୋଲି ଜଣା ପଡ଼ିଛି। ଉଦ୍ଧାର ପରେ ଅହିରାଜ ସାପକୁ ଉତ୍ତରାଖଣ୍ଡ ବନ ବିଭାଗ କର୍ମଚାରୀ ଜଙ୍ଗଲରେ ଛାଡ଼ି ଦେଇଥିବା ନେଇ ସୂଚନା ମିଳିଛି।

ସମ୍ବନ୍ଧିତ ଖବର