‘ଇଣ୍ଡିଆ ଟୁଡେ’ରେ ମୋଦୀ ସରକାରଙ୍କ ୧୦ ପ୍ରଭାବଶାଳୀ ପ୍ରଶାସକ : ଚମକିଲେ ୩ ଓଡ଼ିଆ ଅଧିକାରୀ

ଶୀର୍ଷରେ ପିକେ ମିଶ୍ର, ତୃତୀୟ ସ୍ଥାନରେ ଶକ୍ତିକାନ୍ତ, ସପ୍ତମରେ ଗିରୀଶ ମୁର୍ମୁ

ନୂଆଦିଲ୍ଲୀ : ଜାତୀୟ ରାଜନୀତିଠାରୁ ଆରମ୍ଭ କରି ପ୍ରଶାସନିକ ସେବା ଯାଏ, ସବୁ କ୍ଷେତ୍ରରେ ଓଡ଼ିଆଙ୍କ ପ୍ରଭାବ ବଢ଼ିବାରେ ଲାଗିଛି। ବିଶେଷକରି ମୋଦୀ ସରକାର କ୍ଷମତାକୁ ଆସିବା ପରେ ଜଣେ ପରେ ଜଣେ ଓଡ଼ିଆ ଅଫିସରଙ୍କୁ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ନିଯୁକ୍ତି ମିଳୁଥିବା ଦେଖିବାକୁ ମିଳୁଛି। ଏହି ଧାରା ଏବେ ବି ବଜାୟ ରହିଥିବାବେଳେ ଦେଶର ପ୍ରଭାବଶାଳୀ ଅଫିସର ତାଲିକାରେ ୩ ଓଡ଼ିଆଙ୍କ ଚମକ ‌ଦେଖିବାକୁ ମିଳିଛି। ପ୍ରତିଷ୍ଠିତ ପତ୍ରିକା ‘ଇଣ୍ଡିଆ ଟୁଡେ’ ପକ୍ଷରୁ ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବାକୁ ଥିବା ପାୱାର ଲିଷ୍ଟ ଶୀର୍ଷକ ସ୍ବତନ୍ତ୍ର ସଂଖ୍ୟାରେ ଏଭଳି ଏକ ତାଲିକା ପ୍ରକାଶ ପାଇଛି ଯାହା ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିବ। ତେବେ ଶ୍ରେଷ୍ଠ ୧୦ ରାଜନେତା ତାଲିକାରେ କୌଣସି ଓଡ଼ିଆ ନ ଥିବା ଜଣାପଡ଼ିଛି।

ଦେଶର ‘ହାଇ ଆଣ୍ଡ ମାଇଟି’ ବା କ୍ଷମତାଶାଳୀ ଓ ପ୍ରଭାବଶାଳୀ ୧୦ ପ୍ରଶାସକଙ୍କ ମଧ୍ୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏସ ଜେନେରାଲ ବିପିନ ରାଉତ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ପି କେ ସିହ୍ନା, କ୍ୟାବିନେଟ୍ ସଚିବ ରାଜୀବ ଗୌବା ଭଳି ପ୍ରଶାସକଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ସମ୍ବଲପୁରରେ ଜନ୍ମିତ ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟରତ ୭୨ ବର୍ଷୀୟ ଶ୍ରୀ ମିଶ୍ରଙ୍କ ସଂପର୍କରେ ବର୍ଣ୍ଣନା କରିବାକୁ ଯାଇ ଏହି ଜାତୀୟ ପତ୍ରିକା ତାଙ୍କୁ ‘ପ୍ରାଇମ୍‌ ମୁଭର୍‌’ ଆଖ୍ୟା ଦେଇଛି। ଅମଲାତନ୍ତ୍ର ଓ ଯୋଜନା ପ୍ରଣୟନରେ ତାଙ୍କର ଜ୍ଞାନ ଓ ଅଭିଜ୍ଞତା ଯୋଗୁଁ ସେ ପ୍ରଧାନମନ୍ତ୍ରୀଙ୍କ ଆଖି ଓ କାନ ଭାବରେ କାର୍ଯ୍ୟ କରୁଥିବା ମଧ୍ୟ କହିଛି। କେବଳ ସେତିକି ନୁହେଁ; ଶ୍ରୀ ମିଶ୍ର ସରକାରଙ୍କ ପ୍ରଶାସନିକ କାର୍ଯ୍ୟରେ ଅମଲା, ବିଶେଷଜ୍ଞ ଏବଂ ରାଜନେତାମାନଙ୍କୁ ନିଯୁକ୍ତି ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଶ୍ରୀ ମିଶ୍ର ମୋଦୀଙ୍କ ପାଇଁ ଯେଭଳି ଏକାଧିକ ଭୂମିକା ନିର୍ବାହ କରୁଛନ୍ତି; ନିକଟ ଅତୀତରେ କୌଣସି ପ୍ରମୁଖ ଶାସନ ସଚିବ ଏଭଳି କରିଥିବା ଦେଖାଯାଇ ନାହିଁ।

ଦେଶରେ କୋଭିଡ-୧୯ ପରିଚାଳନା ପାଇଁ ୧୧ଟି ଗୋଷ୍ଠୀର ଗଠନ ହେଉ କିମ୍ବା ନିକଟରେ ସଂସଦରେ ଗୃହୀତ ହୋଇଥିବା କୃଷି ବିଲ୍‌ ପ୍ରଣୟନ; ସବୁ ଗୁରୁତ୍ବପୂର୍ଣ୍ଣ ବିଷୟ ଶ୍ରୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କରାଯାଇଛି। ସେ ଜଣେ କଠିନ ପରିଶ୍ରମୀ ଅଧିକାରୀ। ଅମଲାଙ୍କୁ ପରିଚାଳନା କରିବା ଓ ଦେଶ ପାଇଁ ବିଭିନ୍ନ ନୀତି ପ୍ରଣୟନ କରିବାରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ସରକାର ଏବଂ ଲୋକଙ୍କ ମଧ୍ୟରେ ମଧ୍ୟସ୍ଥିଙ୍କୁ ଦୂର କରିବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ବିକାଶର ସୁଫଳ ଯେଭଳି ସାଧାରଣ ଲୋକଙ୍କ ନିକଟରେ ସିଧାସଳଖ ପହଞ୍ଚିବ ସେଥିପାଇଁ ସେ ଅହରହ କାର୍ଯ୍ୟ କରୁଛନ୍ତି। କେବଳ ସେତିକି ନୁହେଁ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଜଣେ ବିଶେଷଜ୍ଞଭାବେ ତାଙ୍କୁ ଗ୍ରହଣ କରାଯାଇଥାଏ। ବନ୍ୟା ଓ ମରୁଡ଼ିରେ ପ୍ରଭାବିତ ହେଉଥିବା ଲୋକଙ୍କ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ତାଙ୍କୁ ୨୦୧୯ ମେ ମାସରେ ଜାତିସଂଘର ସାସାକାୱା ଆୱାର୍ଡ ପ୍ରଦାନ କରାଯାଇଥିଲା।

ଏହି ତାଲିକାରେ ଅଜିତ ଡୋଭାଲ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ତୃତୀୟ ସ୍ଥାନରେ ରହିଛନ୍ତି ଅନ୍ୟ ଜଣେ ଓଡ଼ିଆ ତଥା ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ତାମିଲନାଡୁ କ୍ୟାଡରର ଏହି ୬୩ ବର୍ଷୀୟ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଶ୍ରୀ ଦାସଙ୍କର ଶାସନ କଳ ଚଳାଇବାରେ ବ୍ୟାପକ ଅଭିଜ୍ଞତା ରହିଛି। ପତ୍ରିକା ତାଙ୍କୁ ‘ଫାୟାର୍‌ ଫାଇଟର୍‌’ର ଆଖ୍ୟା ଦେଇଛି। କେନ୍ଦ୍ର ସରକାରରେ ସେ ପୂର୍ବରୁ ସାର, ରାଜସ୍ବ ଏବଂ ଅର୍ଥନୈତିକ ବ୍ୟାପାର ସଚିବ ଭାବେ କାର୍ଯ୍ୟ କରିଛନ୍ତି। ସେ ସଚିବ ଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ବିବାଦୀୟ ବିମୁଦ୍ରାକରଣ ଘୋଷଣା କରି ଏବଂ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଥିଲେ। ଏବେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରେ ଥିବା ଶ୍ରୀ ଦାସଙ୍କୁ ତୃତୀୟ ସ୍ଥାନରେ ରଖାଯିବାର କାରଣ ସଂପର୍କରେ ଇଣ୍ଡିଆ ଟୁଡେ କହିଛି ଯେ ସେ ଅର୍ଥନୀତିକୁ ପୂର୍ବ ଗୁଳାକୁ ଫେରାଇ ଆଣିବା ଦିଗରେ ସେ କାର୍ଯ୍ୟ କରୁଛନ୍ତି। ଗତ ମାର୍ଚ୍ଚମାସରୁ ଏ ପର୍ଯ୍ୟନ୍ତ ୮ ଲକ୍ଷ କୋଟି ଟଙ୍କାର ସୁଧାର ପ୍ୟାକେଜ୍‌ ଦେଇଛନ୍ତି। ଏଥିସହିତ ସେ ଦେଶର ମୁଦ୍ରାନୀତି କମିଟିର ଅଧ୍ୟକ୍ଷତା କରୁଛନ୍ତି। ଲକ୍‌ଡାଉନ୍‌ ସମୟରେ ତାଙ୍କ ନେତୃତ୍ବରେ ମୁଦ୍ରାନୀତି କମିଟି ରେପୋ ହାରରେ ୧.୧୫ ପ୍ରତିଶତ ହ୍ରାସ କରିଛି। ସେହିଭଳି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଋଣ ପରିଶୋଧ ଉପରେ ୬ ମାସର ରହିତାଦେଶ ଘୋଷଣା କରାଯିବା ଦ୍ବାରା କୋଟି କୋଟି ଲୋକ ଉପକୃତ ହୋଇଛନ୍ତି।

ତାଲିକାର ଚତୁର୍ଥ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ପି କେ ସିହ୍ନା, ପଞ୍ଚମ ସ୍ଥାନରେ ସିଡିଏସ୍‌ ଜେନେରାଲ ବିପିନ ରାୱତ, ଷଷ୍ଠ ସ୍ଥାନରେ କ୍ୟାବିନେଟ୍ ସଚିବ ରାଜୀବ ଗୌବା ଥିବାବେଳେ ସପ୍ତମ ସ୍ଥାନରେ ଓଡ଼ିଶାର ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ରଖାଯାଇଛି। ଇଣ୍ଡିଆ ଟୁଡେ ତାଙ୍କୁ ‘ହକ୍‌ ଆଇ’ ଆଖ୍ୟା ଦେଇଛି। ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅତ୍ୟନ୍ତ ବିଶ୍ବସ୍ତ ଅଧିକାରୀ ଭାବେ ପରିଚିତ ଶ୍ରୀ ମୁର୍ମୁ ଏବେ ଭାରତ ସରକାରଙ୍କ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ଭା‌ବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ‌ ସେ ନଗଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଥିଲେ।

ଦେଶର ସର୍ବୋଚ୍ଚ ହିସାବ ସମୀକ୍ଷକଭାବେ ସରକାରୀ ଖର୍ଚ୍ଚରେ ହେଉଥିବା ଅନିୟମିତତାକୁ ଧରିବା ଏବଂ ଅଯଥା ଖର୍ଚ୍ଚକୁ ହ୍ରାସ କରିବା ତାଙ୍କର ପ୍ରମୁଖ ଦାୟିତ୍ବ। ପୂର୍ବରୁ ସେ କେନ୍ଦ୍ର ସରକାରଙ୍କ ଅର୍ଥ ବିଭାଗରେ ଯୁଗ୍ମ ସଚିବ, ସ୍ବତନ୍ତ୍ର ସଚିବ ଏବଂ ଅତିରିକ୍ତ ସଚିବ ଭାବେ ମଧ୍ୟ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଶ୍ରୀ ମୁର୍ମୁଙ୍କ ତଳକୁ ଅଷ୍ଟମ ସ୍ଥାନରେ ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ତରୁଣ ବଜାଜ ଥିବା‌ବେଳେ ନବମ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ର, ଦାମ ସ୍ଥାନରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏବଂ ଉଚ୍ଚଶିକ୍ଷା ବିଭାଗର ସଚିବ ଅମିତ ଖାରେ ରହିଛନ୍ତି।

ସମ୍ବନ୍ଧିତ ଖବର