ସେଣ୍ଟ୍‌ ପିଟର୍ସବର୍ଗ: ବୁଧବାର ଦିନ ରୁଷୀୟ ସହର ସେଣ୍ଟ୍‌ ପିଟର୍ସବର୍ଗସ୍ଥିତ ଏକ ସୁପରମାର୍କେଟ୍‌ରେ ଗୋଟାଏ ଦେଶୀ ବୋମା ବିସ୍ଫୋରଣ ଘଟି ୧୦ ଜଣ ଲୋକ ଆହତ ହୋଇଛନ୍ତି। ଏହା ଏକ ହତ୍ୟା ଉଦ୍ୟମ କି, ନାହିଁ ସେ ସମ୍ବନ୍ଧରେ ତଦନ୍ତ କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି।
ପ୍ରାଥମିକ ସୂଚନା ଅନୁସାରେ, ଗୋଟିଏ ଷ୍ଟୋର୍‌ ଭିତରେ ଏକ ଅଜଣା ଜିନିଷର ବିସ୍ଫୋରଣ ଘଟିଛି। ଏକ ବିବୃତିରେ ଏ କଥା କହିଛନ୍ତି ରୁଷ୍‌ ତଦନ୍ତ କମିଟିର ଜଣେ ମୁଖପାତ୍ର ସ୍ୱେତଲାନା ପେତ୍ରେଙ୍କୋ।

Advertisment

ଗୋଟିଏ ଦେଶୀୟ ବିସ୍ଫୋରଣ ଉପକରଣ ଯୋଗେ ହୋଇଥିବା ଏହି ବିସ୍ଫୋରଣ ମାରାତ୍ମକ ଟୁକୁରା ପୂର୍ଣ୍ଣ ୨୦୦ ଗ୍ରାମ୍‌ ଟିଏନ୍‌ଟି ବୋମା ସମକକ୍ଷ ବୋଲି ସେ କହିଛନ୍ତି। ଏହା କୌଣସି ହତ୍ୟା ଉଦ୍ୟମରେ ସମ୍ପୃକ୍ତ କି, ନୁହେଁ ତା’ର ତଦନ୍ତ କରାଯାଉଛି।

publive-image Image Courtesy of Toronto Star

ଏଥିରେ ଆହତ ୧୦ ଜଣ ଲୋକଙ୍କୁ ଡାକ୍ତରଖାନାରେ ଦାଖଲ କରାଯାଇଛି। ସେମାନଙ୍କ ଜୀବନ ବିପଦମୁକ୍ତ ବୋଲି ଜଣାପଡ଼ିଛି। ଏ କଥା କହିଛନ୍ତି ସେଣ୍ଟ୍‌ ପିଟର୍ସବର୍ଗ ତଦନ୍ତ ୟୁନିଟ୍‌ର ମୁଖ୍ୟ ଆଲେକ୍‌ଜାଣ୍ଡର୍‌ କ୍ଲାଉସ୍‌।

ଜରୁକାଳୀନ ମନ୍ତ୍ରାଳୟର ଜଣେ ପ୍ରତିନିଧି କହିଛନ୍ତି କି, ଆହତମାନଙ୍କ ମଧ୍ୟରୁ ଜଣକ ସ୍ୱାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ସ୍ଥିତିରେ ଅଛି।

ବିସ୍ଫୋରଣସ୍ଥଳରେ ଫାଷ୍ଟ୍‍ ରେସ୍ପଣ୍ଡର୍‌, ପୋଲିସ୍‌ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପର ତଦନ୍ତ କରୁଥିବା ଫେଡେରାଲ୍‌ ସିକ୍ୟୁରିଟି ସର୍ଭିସ୍‌ର କାର୍‌ ଦେଖିବାକୁ ମିଳିଥିଲା। ସୁପର୍‌ମାର୍କେଟ୍‌ ଥିବା ସେହି କୋଠାଘଟି ବିସ୍ଫୋରଣ ଯୋଗୁଁ ନଷ୍ଟ ହେବା ପରି ଜଣାପଡୁ ନାହିଁ।

ପୁଲିସ ସେ ଅଞ୍ଚଳକୁ କର୍ଡନ୍‌ କରି ଦେଇଥିବାରୁ ସହରର ପରିବହନ କର୍ତ୍ତୃପକ୍ଷ ସର୍ବସାଧାରଣ ଯାନବାହନ ଚଳାଚଳ ରାସ୍ତାରେ ପରିବର୍ତ୍ତନ କରିଛନ୍ତି।

publive-image Image Courtesy of Global News

ନବବର୍ଷ ପାଳନ ଏବଂ ଜାନୁଆରି ୭ ତାରିଖରେ ପଡୁଥିବା ରୁଷୀୟ ରକ୍ଷଣଶୀଳ ବଡ଼ଦିନ ପୂର୍ବରୁ ଏ ଭଳି ବିସ୍ଫୋରଣ ଘଟିଥିବାରୁ ଲୋକେ ଆତଙ୍କିତ ହୋଇ ଯାଇଛନ୍ତି।

ଏକ ଷ୍ଟୋରେଜ୍‌ ଲକର୍‌ରେ ସେ ବିସ୍ଫୋରକ ଉପକରଣଟି ରଖା ଯାଇଥିଲା ବୋଲି ରୁଷୀୟ ଏଜେନ୍‌ସିମାନେ କହୁଛନ୍ତି।
ସନ୍ଧ୍ୟା ପ୍ରାୟ ସାଢ଼େ ଛଅଟା ବେଳେ ବିସ୍ଫୋରଣ ଶବ୍ଦ ଶୁଭିଥିଲା। ଏଥିରେ କେତେକ ଲୋକ ଆହତ ହୋଇଥିଲେ ବୋଲି ସେଣ୍ଟ୍‌ ପିଟର୍ସବର୍ଗ ପୁଲିସ କହିଛି।

ବିସ୍ଫୋରଣ ପରେ ନିଅାଁ ଲାଗି ନ ଥିଲା। କିଣାକିଣି କରିବାକୁ ଯାଇଥିବା ସମସ୍ତ ଲୋକଙ୍କୁ ନିରାପଦରେ ପଦାକୁ ବାହାର କରାଯାଇଥିବା କଥା କହିଛନ୍ତି ଜରୁରୀକାଳୀନ ପରିସ୍ଥିତି ମନ୍ତ୍ରାଳୟର ଜଣେ ପ୍ରତିନିଧି।

ଆହତ ବ୍ୟକ୍ତିମାନଙ୍କୁ ଆମ୍ବୁଲାନସ୍‌ ଯୋଗେ ଡାକ୍ତରଖାନାକୁ ନିଆ ଯାଇଥିଲା।

ଆସନ୍ତା ବର୍ଷ ସେଣ୍ଟ୍‌ ପିଟର୍ସବର୍ଗ ଠାରେ ବିଶ୍ୱ କପ୍‌ ମ୍ୟାଚ୍‌ ଆୟୋଜିତ ହେବାକୁ ସ୍ଥିର ହୋଇଥିବାବେଳେ ସେଠାରେ ମାରାତ୍ମକ ବିସ୍ଫୋରଣ ସବୁ ଘଟି ଚାଲିଛି। ଗତ ଏପ୍ରିଲ୍‌ ମାସରେ ହୋଇଥିବା ବିସ୍ଫୋରଣରେ ୧୬ ଜଣ ବ୍ୟକ୍ତି ନିହତ ହେବା ସହ ଅନେକ ଆହତ ହୋଇଥିଲେ।

publive-image Image Courtesy of NDTV

ଅଲ୍‌-କାଏଦା ସହ ସମ୍ପୃକ୍ତ ଏକ ଦଳ ସେ ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲା। ମୁସଲମାନମାନଙ୍କ ସହ ଲଢ଼େଇ କରୁଥିବା ଦେଶମାନଙ୍କ ପାଇଁ ଏହା ଗୋଟାଏ ସନ୍ଦେଶ ଥିବା କଥା ସେମାନେ କହିଥିଲେ।

ସେଣ୍ଟ୍‌ ପିଟର୍ସବର୍ଗର ରେଳବାଇ ଏବଂ ଜନବହୁଳ ସ୍ଥାନ ସବୁରେ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପ୍ରସ୍ତୁତି କରୁଥିବା ସାତ ଜଣ ବ୍ୟକ୍ତିଙ୍କୁ ଗତ ଜୁଲାଇ ମାସରେ ଅଟକ ରଖିଥିବା କଥା ଏଫ୍‌ଏସ୍‌ବି କହିଥିଲା।