ବାଗ୍‌ଦାଦ୍‌: ଇରାକ୍‌ ଅନ୍ତର୍ଗତ ପୂର୍ବ ବାଗ୍‌ଦାଦ୍‌ରେ ଶନିବାର ଦିନ ଗୋଟାଏ ବିସ୍ଫୋରଣ ଯୋଗୁଁ ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୨୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି ବୋଲି ନିରାପତ୍ତା ଓ ଡାକ୍ତରଖାନାସୂତ୍ରରୁ ଜଣାପଡ଼ିଛି।

Advertisment

ସରକାରୀ କର୍ତ୍ତୃପକ୍ଷମାନେ ଔପଚାରିକ ଭାବେ ବିସ୍ଫୋରଣର କାରଣ ବିଷୟରେ ସୁନିଶ୍ଚିତ କରି ନ ଥିଲେ ବି ନିରାପତ୍ତା ବିଭାଗସୂତ୍ରରୁ ସୂଚନା ମିଳିଛି ଯେ, ଗୋଟାଏ ଯାନରେ ବିସ୍ଫୋରକ ଉପକରଣଟିଏ ଖଞ୍ଜା ଯାଇଥିଲା। ତାହା ଖସିପଡ଼ି ଫାଟିଯିବାରୁ ପାଖ ଗ୍ୟାରେଜ୍‌ ନିକଟରେ ଥିବା ଗୋଟାଏ ଗ୍ୟାସ୍‌ ଟ୍ୟାଙ୍କର୍‌ ଫାଟିଗଲା।

publive-image Image Courtesy of India Today

ମୃତାହତମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସୌଖିନ୍‌ ଫୁଟ୍‌ବଲ୍‌ ଖେଳାଳି। ଡାକ୍ତରୀସୂତ୍ରରୁ ମିଳିଥିବା ଅନ୍ୟ ଏକ ରିପୋର୍ଟ ଅନୁସାରେ, ଏହି ବିସ୍ଫୋରଣରେ ୧୨ଜଣଙ୍କର ମୃତ୍ୟୁ ଘଟିଛି।

ବିସ୍ଫୋରଣ ପ୍ରକୋପରେ ଆଖପାଖରେ ଥିବା ଘରର କବାଟ ଓ ଝରକା ଭାଙ୍ଗି ଯିବା ସହ ଅନ୍ୟ କେତେକ ଯାନବାହନ ମଧ୍ୟ ନଷ୍ଟ ହୋଇଛି।

ନିରାପତ୍ତା ବଳର କମାଣ୍ଡର୍‌ ଅହମଦ୍‌ ସଲିମ୍‌ କହିଛନ୍ତି, ଏହା ଆତଙ୍କବାଦ କାର୍ଯ୍ୟ ନୁହେଁ, ଗୋଟାଏ ଦୁର୍ଘଟଣା। କିନ୍ତୁ, ସେ ଏ ସଂକ୍ରାନ୍ତରେ ଆଉ କିଛି ବିବୃତି ବା ତଥ୍ୟ ଦେଇ ନାହାନ୍ତି।

ଇରାକ୍‌ର ରାଷ୍ଟ୍ରପତି ଅବ୍‌ଦୁଲ୍‌ ଲତିଫ୍‌ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଏହି ଅଘଟଣ ପାଇଁ ଦାୟୀ ଲୋକଙ୍କୁ ଚିହ୍ନଟ କରିବା ପାଇଁ ଉପଯୁକ୍ତ ତଦନ୍ତ କରାଯିବ।