ଆତଙ୍କବାଦୀ ଜସବିନ୍ଦର ମୁଲତାନୀ ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲା ଏନଆଇଏ

 ନୂଆଦିଲ୍ଲୀ : ଖଲିସ୍ଥାନୀ ଆତଙ୍କବାଦୀ ଜସବିନ୍ଦର ସିଂ ମୁଲତାନୀ ସଂପର୍କରେ ସୂଚନା ଦେଲେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) । ଗତ ମାସରେ ପଞ୍ଜାବର ଲୁଧିଆନାରେ ହୋଇଥିବା ବୋମା ବିସ୍ଫୋରଣର ସେ ମାଷ୍ଟର ମାଇଣ୍ଡ ଥିବା କୁହାଯାଉଛି । ଗତ ଡିସେମ୍ବର ଶେଷ ସପ୍ତାହରେ ତାକୁ ଜର୍ମାନ ପୁଲିସ ଗିରଫ କରିଥିଲା । କିନ୍ତୁ ପଚରାଉଚୁରା ପରେ ତାକୁ ଛାଡ଼ିଦେଇଥିଲା । ତାପରଠାରୁ ମୁଲତାନିର ପତ୍ତା ମିଳୁନାହିଁ  । ଲୁଧିଆନା ବିସ୍ଫୋରଣର ତଦନ୍ତ କରୁଥିବା ଏନଆଇଏ ମୁଲତାନି ନାଁରେ ଆତଙ୍କବାଦୀ କାର୍ଯ୍ୟକଳାପ  ଓ ଷଡ଼ଯନ୍ତ୍ର ଅଭିଯୋଗରେ ମାମଲା ରୁଜ୍ଜୁ କରିଛି ।

 

ସେ ଭାରତରେ ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଂଗଠନ ଶିଖ ଫର ଜଷ୍ଟିସର ଏକ ସଦସ୍ୟ ଥିବା ଜଣାପଡ଼ିଛି । ନିର୍ବାଚନ ସମୟରେ ଭାରତର ବିଭିନ୍ନ ସହରରେ ବିସ୍ଫୋରଣ ଘଟାଇବା ପାଇଁ ମୁଲତାନୀ ଷଡଯନ୍ତ୍ର କରୁଥିବା ସନ୍ଦେହ କରାଯାଉଛି । ଜସବିନ୍ଦର ସିଂ ମୁଲତାନୀ ପଞ୍ଜାବର ହୋଶିଆରପୁରର ମୁକେରିଆର ବାସିନ୍ଦା ଏବଂ ସେ ୧୯୭୬ମସିହାରେ ଜନ୍ମଗ୍ରହଣ କରିଥିଲେ। କୁହାଯାଉଛି ଯେ ମୁଲତାନୀଙ୍କର ଦୁଇ ଭାଇ ଅଛନ୍ତି ଏବଂ ଉଭୟ ଜର୍ମାନୀରେ ଏକ ଦୋକାନ ଚଳାଉଛନ୍ତି ।

ସମ୍ବନ୍ଧିତ ଖବର