ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତହାରରେ ବଢ଼ିଚାଲିଛି। ଆଜି ପ୍ରଥମ ଥର ପାଇଁ ୩୦ ଲକ୍ଷ ଅତିକ୍ରମ କରିଛି। ତେବେ ୨୦ ଲକ୍ଷରୁ ୩୦ ଲକ୍ଷ ହେବା ପାଇଁ ମାତ୍ର ୧୬ ଦିନ ସମୟ ଲାଗିଛି। ଦେଶରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ଦିନଠାରୁ ୧ ଲକ୍ଷ ସଂଖ୍ୟା ଛୁଇଁବା ପାଇଁ ୧୧୦ ଦିନ ସମୟ ଲାଗିଥିଲା। ୧୦ ଲକ୍ଷ ସଂଖ୍ୟା ଛୁଇଁବା ପାଇଁ ୫୯ ଦିନ ସମୟ ଲାଗିଥିଲା। ଏହାପରେ ୧୦ ଲକ୍ଷରୁ ୨୦ ଲକ୍ଷ ସଂଖ୍ୟା ଛୁଇଁବା ପାଇଁ ୨୧ ଦିନ ସମୟ ଲାଗିଥିଲାବେଳେ ଏବେ ୨୦ ଲକ୍ଷରୁ ୩୦ ଲକ୍ଷରେ ପହଞ୍ଚିବା ପାଇଁ ୧୬ ଦିନ ସମୟ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୬୭୦୬ ଜଣ ନୂଆ କରୋନା ପଜିଟିଭ ରୋଗୀ ଚିହ୍ନଟ ହେବା ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଲକ୍ଷ ୪୪ ହଜାର ୯୪୦ରେ ପହଞ୍ଚି ଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି। ଚଳିତମାସ ୭ ତାରିଖରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଟପିଥିଲା। ଏତଦ୍ବ୍ୟତୀତ ଆଇସିଏମ୍ଆର୍ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ଅଗଷ୍ଟ ୨୨ ତାରିଖ ସୁଦ୍ଧା ୩,୫୨,୯୨,୨୨୦ ଜଣଙ୍କ ନମୁନା ପରୀକ୍ଷା ହୋଇଛି। ଏଥିରୁ ଶନିବାର ୮,୦୧,୧୪୭ଟି ନମୁନା ପରୀକ୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୯୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ସର୍ବାଧିକ ୨୯୭ ଜଣ, ଆନ୍ଧ୍ର ପ୍ରଦେଶରେ ୯୭ ଜଣ, କର୍ଣ୍ଣାଟକରେ ୯୩ ଜଣ, ତାମିଲନାଡ଼ୁରେ ୮୦ ଜଣ, ଉତ୍ତର ପ୍ରଦେଶରେ ୭୦ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ କରୋନା ରୋଗୀଙ୍କ ମୃତ୍ୟୁସଂଖ୍ୟା ୫୬,୭୦୬ରେ ପହଞ୍ଚିଯାଇଛି। ମୋଟ କରୋନା ମୃତ୍ୟୁ ମଧ୍ୟରୁ କେବଳ ମହାରାଷ୍ଟ୍ରରେ ୨୧,୯୯୫ଜଣଙ୍କର ମୃତ୍ୟୁ ହୋଇଛି।
କରୋନା ମୃତ୍ୟୁ ହାର ୧.୮୬%
ନୂଆଦିଲ୍ଲୀ: କରୋନା ମହାମାରୀ ଦେଶର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବିଶ୍ବର ଦ୍ବିତୀୟ ଜନବହୁଳ ଦେଶ ଭାରତରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଲକ୍ଷ ଟପିଯାଇଛି। କିନ୍ତୁ ଆଶ୍ବାସନାର ବିଷୟ ହେଲା ଭାରତରେ ମୃତ୍ୟୁ ହାର ୧.୮୬ ପ୍ରତିଶତ ଭଳି ନିମ୍ନସ୍ତରରେ ରହିଛି। ଫଳରେ ବିଶ୍ବରେ କରୋନାଜନିତ ମୃତ୍ୟୁ ହାର କମ୍ ରହିଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ ହୋଇପାରିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି ଯେ, ରବିବାର ସକାଳ ୮ଟା ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୨୨ ଲକ୍ଷ ୮୦ ହଜାର ୫୬୬ରେ ପହଞ୍ଚିଛି। ଫଳରେ ଭାରତରେ କରୋନା ଆରୋଗ୍ୟ ହାର ପାଖାପାଖି ୭୫ ପ୍ରତିଶତ (୭୪.୯୦ ପ୍ରତିଶତ)ରେ ପହଞ୍ଚିଛି। ସୁସ୍ଥ ହୋଇ ଘରକୁ ଫେରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ଏବେ ମୋଟ ଆକ୍ରାନ୍ତଙ୍କ ତୁଳନାରେ ୨୩.୨୪ ପ୍ରତିଶତ ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରୁ ୫୭,୯୮୯ ଜଣ ସୁସ୍ଥ ହୋଇଛନ୍ତି। ନମୁନା ପରୀକ୍ଷା ସଂଖ୍ୟା ବଢ଼ାଇବା ସହିତ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଯୋଗୁ ଦେଶରେ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ୁଛି ବୋଲି ସରକାର କହିଛନ୍ତି। ତେବେ ଆଜି ଗୋଟିଏ ଦିନରେ କରୋନାରେ ୬୯,୨୩୯ ଜଣ ସଂକ୍ରମିତ ହୋଇଛନ୍ତି। ଏଥିଯୋଗୁ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଲକ୍ଷ ୪୪ ହଜାର ୯୪୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୧୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୬,୭୦୬ରେ ପହଞ୍ଚିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/corona-india.jpg)