ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଲଗାତାର ୪ ଦିନ ଧରି ଦେଶରେ ସଂକ୍ରମଣ ସଂଖ୍ୟା ପ୍ରାୟ ୯୫ ହଜାର ରହୁଛି। ତେବେ ସେପ୍ଟେମ୍ବର ମାସର ପ୍ରଥମ ୧୨ ଦିନରେ ଦେଶରେ ୧୦ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୧୩ ହଜାରରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଛି। ଉକ୍ତ ୧୨ ଦିନ ମଧ୍ୟରେ ଭାରତରେ ଯେଉଁ ମୃତ୍ୟୁ ହୋଇଛି ତାହା ବିଶ୍ବରେ ସର୍ବାଧିକ। ଶନିବାରର ସଂକ୍ରମଣ ମାମଲା ସହ ୧୨ ଦିନରେ ମୋଟ୍ ସଂକ୍ରମଣ ମାମଲା ୧୦ ଲକ୍ଷ ୬୫ ହଜାର ୭୯୬ ରହିଛି। ଅନ୍ୟପକ୍ଷେ ଅଗଷ୍ଟରେ ଦେଶରେ ୧୯.୮ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ତେବେ ଯଦି ବର୍ତ୍ତମାନର ଦୈନିକ ସଂକ୍ରମଣ ସଂଖ୍ୟା ଆଗକୁ ବି ଜାରି ରହେ ତା’ହେଲେ ସେପ୍ଟେମ୍ବର ସଂକ୍ରମଣ ମାସର ସଂକ୍ରମଣ ମାମଲା ଅଗଷ୍ଟର ସଂକ୍ରମଣକୁ ଶୀଘ୍ର ଟପିଯିବ।
ଅନ୍ୟପକ୍ଷେ ଦେଶରେ ମୋଟ୍ ମାମଲା ୪୭ ଲକ୍ଷ ଟପିଯାଇଛି। ଗତକାଲି ପୁଣି ୯୪ ହଜାର ୩୭୨ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୧୧୧୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ମୋଟ୍ ସଂକ୍ରମଣ ମାମଲା ୪୭ ଲକ୍ଷ ୫୪ ହଜାର ୩୫୬ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୭୮ ହଜାର ୫୮୬କୁ ବୃଦ୍ଧି ପାଇଛି। ଦେଶରେ ମୋଟ୍ ୩୭ ଲକ୍ଷ ୨ ହଜାର ୫୯୫ ଜଣ କରୋନାରୁ ସୁସ୍ଥ ହେଲେଣି। ଦେଶରେ ଆରୋଗ୍ୟ ହାର ୭୭.୮୮ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ମୃତ୍ୟୁହାର ୧.୬୫ ପ୍ରତିଶତକୁ କମିଯାଇଛି। ଦେଶରେ ଏବେ ୯ ଲକ୍ଷ ୭୩ ହଜାର ୧୭୫ ସକ୍ରିୟ ମାମଲା ରହିଛି। ମୋଟ୍ ସଂକ୍ରମଣ ମାମଲାର ଏହା ୨୦.୪୭ ପ୍ରତିଶତ। ତେବେ ଆଇସିଏମ୍ଆର ଅନୁଯାୟୀ ଦେଶରେ ମୋଟ୍ ୫ କୋଟି ୬୨ ଲକ୍ଷ ୬୦ ହଜାର ୯୨୮ ନମୁନା ପରୀକ୍ଷା ହୋଇଛି। ଗତକାଲି ୧୦ ଲକ୍ଷ ୭୧ ହଜାର ୭୦୨ ନମୁନା ପରୀକ୍ଷା କରାଯାଇଛି।