ଚୀନ୍‌ରେ ୧୦ ଲକ୍ଷ ଉଇଗର୍‌ ମୁସଲିମ୍‌ ବନ୍ଦୀ

୧୫ଟି ଦେଶର ରାଷ୍ଟ୍ରଦୂତ ଏକଜୁଟ୍‌

ବେଂଜି: ଚୀନ୍‌ରେ ମୁସ୍‌ଲିମ ସଂପ୍ରଦାୟ ବିରୋଧରେ ଏବେ ସରକାରଙ୍କ ଦମନ ନୀତିକୁ ନେଇ ବିଭିନ୍ନ ରାଷ୍ଟ୍ର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଚୀନ୍‌ର ସିନ୍‌ଜିଆଙ୍ଗ୍‌ରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଉଇଗର ମୁସ୍‌ଲିମ୍‌ ବିଭିନ୍ନ ଶିବିରରେ ବନ୍ଦୀ ହୋଇରହିଛନ୍ତି। ପୁଲିସ ଓ ସେନା ଦ୍ବାରା ବଡ଼ ଧରଣର ମାନବାଧିକାର ଉଲ୍ଲଂଘନ ହୋଇଥିବାରୁ ଏ ନେଇ ଜାତିସଂଘର ଏକ ରିପୋର୍ଟରେ ଉଦ୍‌ବେଗ ପ୍ରକାଶ କରାଯାଇଛି। ଉଇଗର ମୁସ୍‌ଲିମ ସଂପ୍ରଦାୟର ଲୋକଙ୍କୁ ଚୀନ୍‌ ସରକାର ଟାର୍ଗେଟ୍‌ କରୁଥିବାରୁ ବେଜିଂରେ ୧୫ଟି ପଶ୍ଚିମ ରାଷ୍ଟ୍ରର ରାଷ୍ଟ୍ରଦୂତମାନେ ଏକଜୁଟ୍‌ ହୋଇଛନ୍ତି। ସେମାନେ ଏଭଳି ଦମନ ନୀତିକୁ ବିରୋଧ କରିବା ସହ ଖୁବ୍‌ ଶୀଘ୍ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ମିଳିତ ହେବାକୁ ଯୋଜନା କରିଛନ୍ତି। କାନାଡା ନେତୃତ୍ବରେ ଏହି ବୈଠକ ହେବ ବୋଲି ଜଣାପଡ଼ିଛି ଏବଂ ଏ ବାବଦରେ ସିନ୍‌ଜିୟାଙ୍ଗ୍‌ ପ୍ରଦେଶର ମୁଖ୍ୟଙ୍କୁ ମଧ୍ୟ ଅବଗତ କରାଯାଇଛି। ଚୀନ୍‌ ଉପରେ ଚାପ ସୃଷ୍ଟି କରି ଏହାର ମୁସ୍‌ଲିମ ବିରୋଧୀ ନୀତିରେ ପରିବର୍ତ୍ତନ ଆଣିବା ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି। ବିଭିନ୍ନ ରାଷ୍ଟ୍ରର ମାନବାଧିକାର ବିଶେଷଜ୍ଞମାନେ ମଧ୍ୟ ଏହି ପ୍ରସଙ୍ଗ ନେଇ ବେଜିଂରେ ଆଲୋଚନା ଆରମ୍ଭ କରିଛନ୍ତି। ତେବେ ୧୦ ଲକ୍ଷ ମୁସ୍‌ଲିମଙ୍କୁ ଅଟକ ରଖାଯିବା ନେଇ ଜାତିସଂଘ ମାନବାଧିକାର ପରିଷଦ ରିପୋର୍ଟକୁ ଚୀନ୍‌ ଖଣ୍ଡନ କରିଛି। ପର୍ଯ୍ୟାୟକ୍ରମେ ମୁସ୍‌ଲିମ ସଂପ୍ରଦାୟର ଲୋକଙ୍କୁ ଆଣି ବିଭିନ୍ନ କେନ୍ଦ୍ରରେ ସଂସ୍କାରଗତ ଶିକ୍ଷା ପ୍ରଦାନ କରାଯାଉଛି। ଛୋଟମୋଟ ଅପରାଧ କରିଥିବା ଲୋକଙ୍କୁ ଭିନ୍ନ ଭିନ୍ନ କ୍ୟାମ୍ପ୍‌ରେ ରଖି ସେମାନଙ୍କ ସୁଧାର ଦିଗରେ ସରକାର ଅନବରତ ପ୍ରୟାସ କରୁଥିବା କହିଛନ୍ତି।

ସମ୍ବନ୍ଧିତ ଖବର