ନୂଆଦିଲ୍ଲୀ : ତ୍ରିପୁରାର ଉନାକୋଟି ଜିଲ୍ଲାରେ ବୁଧବାର ଅପରାହ୍ନରେ ପ୍ରଭୁ ଜଗନ୍ନାଥଙ୍କର ବାହୁଡ଼ା ଯାତ୍ରା ସମୟରେ ବଡ଼ ଅଘଟଣ ଘଟିଛି। ଏକ ଉଚ୍ଚ ଶକ୍ତିସମ୍ପନ୍ନ ତାର ସଂସ୍ପର୍ଶରେ ଆସି ରଥ ଜଳି ଯିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୫ ଜଣ ଆହତ ହୋଇଛନ୍ତି। ଉନାକୋଟିର କୁମାରଘାଟ ଅଞ୍ଚଳରେ ବାହୁଡ଼ା ଯାତ୍ରା ସମୟରେ ଏହି ଅଘଟଣ ଘଟିଛି। ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଉତ୍ସାହର ସହ ରଥ ଟାଣୁଥିବାବେଳେ ହଠାତ ରଥ ୧୩୩ କେଭି ତାର ସଂସ୍ପର୍ଶ‌ରେ ଆସି ଜଳି ଯାଇଥିଲା। ରଥ ନିର୍ମାଣ କରିବାପାଇଁ ଲୁହା ବ୍ୟବହାର ହୋଇଥିଲା। ଏଆଇଜି (ଆଇନ ଶୃଙ୍ଖଳା‌) ଜ୍ୟୋତିଷମାନ ଦାସ ଚୌଧୁରୀ କହିଛନ୍ତି, ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି ଏବଂ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

କେନ୍ଦୁଝର ଜିଲ୍ଲାରେ ୨ ମୃତ
ଚମ୍ପୁଆ : ବାହୁଡ଼ା ଯାତ୍ରା ପାଇଁ ସମସ୍ତ ନୀତି ଶେଷ ହୋଇଥିଲା। ଶ୍ରୀଜିଉମାନେ ପହଣ୍ଡି ପରେ ରଥାରୂଢ଼ ହୋଇଥିଲେ। ରଥ ଟାଣିବା ପାଇଁ ଅପେକ୍ଷା କରିଥିଲେ ଶ୍ରଦ୍ଧାଳୁ। ଏହା ପୂର୍ବରୁ ଘଟିଲା ଅଘଟଣ। ୧୧ କେଭି ବିଦ୍ୟୁତ୍‌ ତାରରେ ରଥ ଲାଗିଯିବାରୁ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍‌ ବାରିଆ ଥାନା ଅନ୍ତର୍ଗତ କେନ୍ଦୁଆ ଗ୍ରାମରେ। ମୃତକମାନେ ହେଲେ ସ୍ଥାନୀୟ ଭୁବନପଶି ଗ୍ରାମର ଯୁଗଳ କିଶୋର ବାରିକ ଓ କେନ୍ଦୁଆ ଗ୍ରାମର ବରୁଣ ଗିରି।

ନହବେଡ଼ା ଗ୍ରାମର ଶଙ୍କର୍ଷଣ ପ୍ରଧାନ ଗୁରୁତର ଅଛନ୍ତି। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସକାଳୁ ସମସ୍ତ ନୀତି ପରେ ଶ୍ରୀଜିଉମାନଙ୍କୁ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଥିଲା। ରଥଟଣା ପୂର୍ବରୁ ଡ୍ରାଇଭର ମହାସଂଘ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବଣ୍ଟନ କରାଯିବାର ଥିଲା। ଏଥିପାଇଁ ରଥକୁ ସାମାନ୍ୟ ପଛକୁ ଘୁଞ୍ଚାଇବା ପାଇଁ ମହାସଂଘ ପକ୍ଷରୁ ରଥଯାତ୍ରା କମିଟିର କର୍ମକର୍ତ୍ତାଙ୍କୁ କୁହାଯାଇଥିଲା। କମିଟିର ବାରଣ ସତ୍ତ୍ବେ ରଥକୁ ପଛକୁ ଘୁଞ୍ଚା ଯାଉଥିବା ବେଳେ ଏହା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା। ଗୁରୁତର ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଉଥିବା ବେଳେ ମଧ୍ୟ ଦୁର୍ଘଟଣା ଘଟିଥିଲା। ଆମ୍ବୁଲାନ୍ସ ଧକ୍କାରେ ଫୁଲମଣି ବାରିକ ନାମକ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି।

କୋରାପୁଟ ଜିଲ୍ଲାରେ ଜଣେ
କୋରାପୁଟ : ବାହୁଡ଼ା ରଥଟଣା ସମୟରେ କୋରାପୁଟ ଜିଲ୍ଲା କୋଲାବ ନଗରରେ ଅଘଟଣ ଘଟିଛି। ଲୁହା ରଥ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ବିଶ୍ବନାଥ ନାୟକ (୨୬ବର୍ଷ)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ରଥରେ ବ୍ରେକ୍‌ ଲଗାଇବା କାମରେ ବିଶ୍ବନାଥ ନିୟୋଜିତ ହୋଇଥିଲେ। ସେହିପରି ରଥ ଉପରେ ରହିଥିବା କ୍ରିଷ୍ଣା ରାଓ ଗୁରୁତର ଆହତ ହୋଇଛନ୍ତି।