କୋଭିଡ୍‌-୧୯ ଟୀକାକରଣ ପୂର୍ବରୁ ୧୦ଟି ବିଷୟ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଦେଲେ ଗୁରୁତ୍ୱ; ଜାଣନ୍ତୁ, କ’ଣ ସେସବୁ…

ଟୀକାକରଣର ପ୍ରଥମ ଡୋଜ ପରେ ମିଳିବ ଡିଜିଟାଲ୍‌ ସାର୍ଟିଫିକେଟ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ସୋମବାର) ଅପରାହ୍ନରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରି କୋଭିଡ୍‌-୧୯ ପରିସ୍ଥିତି ଏବଂ ଦେଶରେ କୋଭିଡ୍‌ ଟୀକାକରଣ ବିଷୟରେ ଆଲୋଚନା କରିଛନ୍ତି। ନିକଟରେ ଭାରତର ଡ୍ରଗ୍‌ ନିୟାମକଙ୍କ ଦ୍ୱାରା ଜରୁରୀକାଳୀନ ବ୍ୟବହାର ପାଇଁ ଦୁଇଟି କରୋନାଭାଇରସ୍‌ ଟିକାକୁ ଅନୁମୋଦନ ମିଳିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସହ ଏହା ହେଉଛି ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କର ପ୍ରଥମ ବୈଠକ।

ବୈଠକରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦୀ ଟୀକାକରଣକୁ ନେଇ ଯେପରି କୌଣସି ପ୍ରକାରର ଗୁଜବ ପ୍ରଚାରିତ ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଟୀକାକରଣ ପୂର୍ବରୁ ତମାମ୍‌ ଦେଶରେ କରାଯାଇଥିବା ଅଭ୍ୟାସ ବା ଡ୍ରାଏ ରନ୍‌ର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଜର ସନ୍ତୋଷ ବ୍ୟକ୍ତ କରିଛନ୍ତି। ଦେଶର ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ ଟୀକାକରଣର ଡ୍ରାଏ ରନ୍‌ ସଫଳତାର ଶେଷ ହୋଇ ଆସନ୍ତା ୧୬ ତାରିଖରୁ ସମଗ୍ର ଦେଶରେ ଟିକା ପ୍ରଦାନ ବା ‘ରୋଲଆଉଟ୍‌’ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆଜିର ବୈଠକରେ ୧୦ଟି ବିଷୟ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ତେବେ, ଆସନ୍ତୁ ଜାଣିବା କ’ଣ ସେହି ୧୦ଟି ବିଷୟ ଯାହା ଉପରେ ଟିକା ପ୍ରଦାନର ଅବ୍ୟବହିତ ପୂର୍ବରୁ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ…

୧. ଜାନୁଆରି ୧୬ରୁ ସମଗ୍ର ଦେଶରେ କୋଭିଡ୍‌-୧୯ ଟିକା ପ୍ରଦାନ ଆରମ୍ଭ ହେବ। ୨. ଏହା ବିଶ୍ୱର ସର୍ବବୃହତ ଇନକ୍ୟୁଲେସନ କାର୍ଯ୍ୟକ୍ରମ ହେବ ଏବଂ ପ୍ରାୟ ତିନି କୋଟି ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ପ୍ରଥମ ପ୍ରାଥମିକତା ଦିଆଯିବ।
୩. ପ୍ରଥମ ପର୍ଯ୍ୟାୟରେ ପ୍ରଦାନ କରାଯିବାକୁ ଥିବା ୩ କୋଟି ଟିିକା କେବଳ ମାତ୍ର କରୋନା-ଯୋଦ୍ଧା, ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ମିଳିବ। କୌଣସି ଲୋକ ପ୍ରତିନିଧି ପ୍ରଥମ ପର୍ଯ୍ୟାୟରେ ଟୀକାକରଣ କରି ପାରିବେ ନାହିଁ।
୪. ଟୀକାକରଣର ପ୍ରଥମ ଡୋଜ ପରେ ‘କୋ-ଓ୍ଵିନ୍‌’ ଆପ୍‌ ଜରିଆରେ ଡିଜିଟାଲ୍‌ ସାର୍ଟିଫିକେଟ ପ୍ରଦାନ କରାଯିବ।
୫. ବର୍ତ୍ତମାନ ଟୀକାକରଣ ପାଇଁ ଅନୁମତି ପାଇଥିବା ଦୁଇଟି ସ୍ୱଦେଶୀ ଟିକା ବ୍ୟତୀତ ଆଉ ଚାରିଟି ଟିକା ଏବେ ପାଇପଲାଇନରେ ଛଡ଼ାଯିବ।
୬. ଭାରତରେ ଦୁଇଟି ଅନୁମୋଦିତ କୋଭିଡ୍‌-୧୯ ଟିକା ବିଦେଶୀ ଟିକା ଅପେକ୍ଷା ଶସ୍ତା ଏବଂ ଆମର ଆବଶ୍ୟକତା ଅନୁଯାୟୀ ବିକଶିତ ହୋଇଛି
୭. ପ୍ରଥମ ପର୍ଯ୍ୟାୟରେ ଦିଆ ଯିବାକୁ ଥିବା ୩ କୋଟି କରୋନା-ଯୋଦ୍ଧା, ଫ୍ରଣ୍ଟଲାଇନ କର୍ମଚାରୀଙ୍କ ଟୀକାକରଣ ପାଇଁ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ।
୮. ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ପ୍ରଦାନ କରାଯିବ।
୯. ଜନ ପ୍ରତିନିଧୀମାନେ ପ୍ରଥମେ ଟୀକାକରଣ କରିବାକୁ ଥିବା ୩ କୋଟି କରୋନା ଯୋଦ୍ଧା ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ଅଂଶ ନୁହଁନ୍ତି।
୧୦. ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ପ୍ରାୟ ୨.୫ କୋଟି ଲୋକ ଟୀକାକରଣ କରିଛନ୍ତି। ଆସନ୍ତା କିଛି ମାସ ମଧ୍ୟରେ ଦେଶର ୩୦ କୋଟି ନାଗରିକଙ୍କ ଟୀକାକରଣ କରିବାକୁ ଭାରତ ସରକାର ଲକ୍ଷ୍ୟ ରଖଛନ୍ତି।

ସମ୍ବନ୍ଧିତ ଖବର