ନୂଆଦିଲ୍ଲୀ: ଜେଇଏମ୍ (ଜୈସ ଏ ମହମ୍ମଦ) ମୁଖ୍ୟ ମୌଲାନା ମସୁଦ ଆଝାର ଦାବି କରିଛି ଯେ ଭାରତର ବିମାନ ଆକ୍ରମଣରେ ତା’ ପରିବାରର ୧୦ ଜଣ ସଦସ୍ୟ ଏବଂ ୪ ଜଣ ଘନିଷ୍ଠ ସହଯୋଗୀଙ୍କ ମୃତ୍ୟୁ ଘଟିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତ ‘ଅପରେସନ୍ ସିନ୍ଦୂର’ ଅଧୀନରେ ପାକିସ୍ତାନରେ ମଙ୍ଗଳବାର ବିଳମ୍ବିତ ରାତିରେ ଟାର୍ଗେଟ୍ ଆକ୍ରମଣ କରିଥିଲା। ବାହବଲପୁରରେ ଜେଇଏମ୍ ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣରେ ମସୁଦ ଆଝାରର ବଡ଼ ଭଉଣୀ ଓ ତା’ ସ୍ବାମୀ, ପୁତୁରା ଓ ତା’ ପତ୍ନୀ , ଝିଆରୀ ଏବଂ ୫ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଆଝାର କହିଛି ସେ ଏଥିପାଇଁ ପଶ୍ଚାତାପ କରୁନାହିଁ କି ଦୁଃଖ କରୁନାହିଁ। ସେ କହିଛି ଏହି ୧୪ ଜଣଙ୍କ ‘ସୁଖଯାତ୍ରା’ରେ ମୁଁ ସାମିଲ ହୋଇଥାନ୍ତି ଯଦି ଭଲ ହୋଇଥାନ୍ତା।
ଉଲ୍ଲେଖଯୋଗ୍ୟ ଯେ ୫୬ ବର୍ଷୀୟ ମସୁଦ ଆଝାରକୁ ଜାତିସଂଘ ସୁରକ୍ଷା ପରିଷଦ ଦ୍ବାରା ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ତାଲିକାଭୁକ୍ତ କରାଯାଇଛି। ୨୦୦୧ ସଂସଦ ଆକ୍ରମଣ, ୨୦୦୮ ମୁମ୍ବାଇ ଆକ୍ରମଣ, ୨୦୧୬ ପଠାନକୋଟ ଆକ୍ରମଣ, ୨୦୧୯ ପୁଲୱାମା ଆକ୍ରମଣ ସମେତ ଭାରତରେ ଏକାଧିକ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରରେ ସେ ସାମିଲ ଥିଲା।