ଦେଶର ୧୦ କ୍ଷମତାଶାଳୀ ରାଜନେତା : ଶୀର୍ଷରେ ମୋଦୀ, ରାହୁଲ ଦଶମ

ନୂଆଦିଲ୍ଲୀ : ଦେଶର ୧୦ ଜଣ ପ୍ରମୁଖ କ୍ଷମତାଶାଳୀଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଶୀର୍ଷରେ ରହିଛନ୍ତି। ଇଣ୍ଡିଆ ଟୁଡେ ପକ୍ଷରୁ ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବାକୁ ଥିବା ସ୍ବତନ୍ତ୍ର ସଂଖ୍ୟାରେ ଏହା କୁହାଯାଇଛି। ଏଥିରେ ମୋଦୀଙ୍କ ପଛକୁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦ୍ବିତୀୟ ସ୍ଥାନରେ ରଖାଯାଇଛି। ମୋଦୀଙ୍କୁ ଦେଶର ଅପ୍ରତିଦ୍ବନ୍ଦ୍ବୀ ଏବଂ ଲୋକପ୍ରିୟ ନେତା ଭାବେ ଦର୍ଶାଯାଇଛି। ସେହିଭଳି ଦ୍ବିତୀୟ ସ୍ଥାନରେ ଥିବା ୫୫ ବର୍ଷୀୟ ଅମିତ ଶାହଙ୍କୁ ଦୃଢ଼ ସଂକଳ୍ପର ବ୍ୟକ୍ତିଭାବେ ବର୍ଣ୍ଣନା କରାଯାଇଛି। ଅମିତଙ୍କ ପଛକୁ ରାଷ୍ଟ୍ରୀୟ ସ୍ବୟଂ ସେବକ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଥିବାବେଳେ ଚତୁର୍ଥ ସ୍ଥାନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପଞ୍ଚମ ସ୍ଥାନରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ରହିଛନ୍ତି।

୧୦ ଜଣଙ୍କ ମଧ୍ୟରେ ଜଣେ ହେଲେ ଓଡ଼ିଆ ରାଜନେତା ସ୍ଥାନ ପାଇପାରି ନାହାନ୍ତି। ତେବେ ଦୁଇ ଜଣ ମହିଳା ନେତ୍ରୀ ଉକ୍ତ ତାଲିକାରେ ରହିଛନ୍ତି। ସେମାନେ ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳାଙ୍କୁ ଷଷ୍ଠ ସ୍ଥାନରେ ରଖାଯାଇଥିବାବେଳେ ମମତା ବାନାର୍ଜୀଙ୍କୁ ନବମ ସ୍ଥାନରେ ରଖାଯାଇଛି। ମମତାଙ୍କ ବ୍ୟତୀତ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ତାଲିକାରେ ରହିଛନ୍ତି। ଯୋଗୀ ଆଦିତ୍ୟନାଥ ସପ୍ତମ ସ୍ଥାନରେ ରହିଛନ୍ତି। ଅଷ୍ଟମ ସ୍ଥାନରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ, ଜାହାଜ ଚଳାଚଳ ଏବଂ ଏମଏସଏମଇ ବିଭାଗ ମନ୍ତ୍ରୀ ନୀତିନ ଗଡ଼କରୀ ରହିଥିବାବେଳେ ଦଶମ ସ୍ଥାନରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ରହିଛନ୍ତି।

ସମ୍ବନ୍ଧିତ ଖବର