୧୦ଟି ଏନ୍‌ଡିଆରଏଫ୍‌ ଟିମ୍‌ ଓଡ଼ିଶାରେ ମୁତୟନ

୧୨୬ ବର୍ଷରେ ଓଡ଼ିଶାରେ ୬ଥର ଗ୍ରୀଷ୍ମକାଳୀନ ବାତ୍ୟା

ନୂଆଦିଲ୍ଲୀ/ଭଦ୍ରକ : ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଗରେ ରହୁଥିବା ଜାତୀୟ ବିପର୍ଯ୍ୟୟ ରେସ୍‌ପନ୍ସ ଫୋର୍ସ (ଏନ୍‌ଡିଆରଏଫ୍‌) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫାନ’ର ମୁକାବିଲା ନିମନ୍ତେ ସଜାଗ ରହିଛି। ଏନ୍‌ଡିଆରଏଫ୍‌ର ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ ଏକ ଭିଡିଓ ବାର୍ତ୍ତା ଜରିଆରେ ‘ଅମ୍ଫାନ୍‌’ର ସ୍ଥିତି ଉପରେ ତୀକ୍ଷ୍ମଣ ନଜର ରଖିବା ସହିତ ପ୍ରଭାବିତ ହେବାକୁ ଥିବା ରାଜ୍ୟ, ଆଇଏମ୍‌ଡି ସହିତ ଯୋଗାଯୋଗରେ ଥିବା କହିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏନ୍‌ଡିଆରଏଫ୍‌ ଦ୍ବାରା ଓଡ଼ିଶା ଓ ପଶ୍ଚିମବଙ୍ଗରେ ୧୭ଟି ଟିମ୍‌ ମୁତୟନ କରାଯାଇଛି। ସେଥିମଧ୍ୟରୁ ଓଡ଼ିଶାର ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଂଜରେ ଏନ୍‌ଡିଆରଏଫ୍‌ର ୧୦ଟି ଟିମ୍‌ ମୁତୟନ କରାଯାଇଛି। ଅନ୍ୟ ୭ଟି ଟିମ୍‌ ପଶ୍ଚିମବଂଗର ୬ଟି ଜିଲ୍ଲାରେ ମୁତୟନ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ୪୫ଟି ସଦସ୍ୟ ବିଶିଷ୍ଟ ପ୍ରତ୍ୟେକ ଟିମ୍‌ ପ୍ରସ୍ତୁତି ଓ ସଚେତନତା କାର୍ଯ୍ୟ ଆରମ୍ଭ କରିସାରିଛନ୍ତି। ଓଡ଼ିଶାରେ ମଧ୍ୟ ୧୦ରୁ ଅଧିକ ଟିମ୍‌ ଅତିରିକ୍ତ ଭାବେ ସଜାଗ ରଖାଯାଇଥିବା ମହାନିର୍ଦ୍ଦେଶକ ଶ୍ରୀ ପ୍ରଧାନ କହିଛନ୍ତି। ସେ କହିଛନ୍ତି ଯେ, କୌଣସି ପ୍ରକାର ସ୍ଥିତିର ମୁକାବିଲା ପାଇଁ ଏନ୍‌ଡିଆରଏଫ୍‌ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି।

ଅନ୍ୟପକ୍ଷରେ, ୨ ଟି ଏନଡିଆରଏଫ ଟିମକୁ ଧାମରା ପଠାଇ ଦିଆଯାଇଛି। ଏଇ ଟିମ୍ ଆଜି ଧାମରାରେ ପହଞ୍ଚିଛି। ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ ଟିମ୍ ଓ ସ୍ଥାନୀୟ ଦମକଳ ବାହିନୀଙ୍କୁ ଆଗୁଆ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନଡିଆରଏଫ ଟିମ୍ ଧାମରାର ୮ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।

୧୨୬ ବର୍ଷରେ ଓଡ଼ିଶାରେ ୬ଥର ଗ୍ରୀଷ୍ମକାଳୀନ ବାତ୍ୟା
ନୂଆଦିଲ୍ଲୀ : ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ’କୁ ନେଇ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଗ୍ରୀଷ୍ମଋତୁରେ ବାତ୍ୟା ଆଗରୁ ମଧ୍ୟ ଓଡ଼ିଶାକୁ ଆସିଛି। ଓଡ଼ିଶାରେ ୧୨୬ ବର୍ଷରେ ୬ ଥର ଗ୍ରୀଷ୍ମକାଳୀନ ବାତ୍ୟା ହୋଇଥିବାର ସରକାରୀ ତଥ୍ୟରୁ ଜଣାପଡ଼ିଛି। ୧୮୯୩ ମସିହା ମେ ମାସରେ ପ୍ରଥମ ଗ୍ରୀଷ୍ମକାଳୀନ ବାତ୍ୟା ହୋଇଥିଲା। ଏହାପରେ ୧୯୧୪, ୧୯୧୭, ୧୯୮୧ ଓ ୧୯୮୯ରେ ବାତ୍ୟା ହୋଇଥିଲା। ଗ୍ରୀଷ୍ମ ଋତୁରେ ଗତ ବର୍ଷ ମେ’ ୩ ତାରିଖରେ ଓଡ଼ିଶାରେ ହୋଇଥିବା ବାତ୍ୟା ‘ଫନି’ ଥିଲା ସବୁଠାରୁ ପ୍ରଳୟଙ୍କାରୀ। ଅନ୍ୟ ସବୁ ବାତ୍ୟାଗୁଡ଼ିକ ବର୍ଷା ଋତୁ ଶେଷହେବା ପରେ ଆସିଥିଲା ଏବଂ ପ୍ରଭାବୀ କିମ୍ବା ଅଣପ୍ରଭାବୀ ଢଙ୍ଗରେ ନିଜର ଉପସ୍ଥିତି ଜାହିର୍‌ କରିଥିଲା। ତେବେ, ଗ୍ରୀଷ୍ମ ଋତୁରେ ବାତ୍ୟା ଆସିବା ଯୋଗୁଁ ବର୍ଷକୁ ସର୍ବନିମ୍ନ ୨ ଥର ବାତ୍ୟା ବିପତ୍ତି ଆସିବାର ସମ୍ଭାବନା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର