ଜମ୍ମୁ: ଗୁରୁବାର ବିଳମ୍ବିତ ରାତିରେ ଜମ୍ମୁର ରାମବନରେ ଏକ ଟ୍ୟାକ୍ସି ୩୦୦ ଫୁଟ ଗଭୀର ଖାଲକୁ ଖସି ପଡ଼ିଥିଲା। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣ ବିହାରର ଲୋକ ବୋଲି ଜଣାପଡ଼ିଛି। ଜମ୍ମୁ-ଶ୍ରୀନଗର ୪୪ ନମ୍ବର ଜାତୀୟ ରାଜପଥରେ ରାମବନର ବ୍ୟାଟେରି ଚସ୍ମା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଉଦ୍ଧାରକାରୀ ଦଳ ଅନୁଯାୟୀ, ଟ୍ୟାକ୍ସିଟି ଶ୍ରୀନଗରରୁ ଜମ୍ମୁ ଅଭିମୁଖେ ଯାଉଥିଲା। ବାଟରେ ପ୍ରବଳ ବର୍ଷା ଯୋଗୁଁ ଏହା ଖସଡ଼ିଯାଇ ଖାଇକୁ ଖସି ପଡ଼ିଥିଲା। ବର୍ତ୍ତମାନ ସୁଦ୍ଧା ୧୦ ଜଣ ଯାତ୍ରୀଙ୍କ ମୃତଦେହ ଖାଇରୁ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ଜମ୍ମୁର ଅମ୍ବ ଘ୍ରୋଥାର ବଲବାନ ସିଂହ (୪୭), ବିହାର ଭୈସହିୟା ଗ୍ରାମର ଇନ୍ଦ୍ରଜିତ ବିନ୍ ଓ ଅବଧେଶ ବିନ୍, ମଂଝରିଆର ରାଜୁ ବିନ୍, ସୋହାସ ସିସବା ବଜାରର ସନ୍ଦୀପ ବିନ୍, ବାହାର ସ୍ଥାନର ହରି ବିନ୍, ଇନାରବରାବା ଭୈରୋଗଞ୍ଜର ବିପିନ ମୁଖିଆ, ବେଲୌରା ରାମନଗର ଥାନା ଅଞ୍ଚଳର ରାଜନ ମୁଖିଆ, ସିରିସିଆର ରାମବିଳାସ ବିନ୍ ଓ କୈଳାସ ନଗରର ରାଜକୁମାର। ରାମବନ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ଘୋଷଣା ହୋଇଛି।