ରାଜସ୍ଥାନର ଧୋଲପୁରରେ ଦୁର୍ଗା ପ୍ରତିମା ବିସର୍ଜ୍ଜନ ବେଳେ ପାର୍ବତୀ ନଦୀରେ ବୁଡ଼ିଗଲେ ୧୦ ଜଣ ଲୋକ

ଧୋଲପୁର: ମଙ୍ଗଳବାର ରାତିରେ ରାଜସ୍ଥାନର ଧୋଲପୁର ଜିଲ୍ଲାର ପାର୍ବତୀ ନଦୀରେ ଦୁର୍ଗା ପ୍ରତିମା ବିସର୍ଜ୍ଜନ ସମୟରେ ଅନ୍ୟୂନ ୧୦ ଜଣ ଲୋକ ବୁଡ଼ିଯାଇଛନ୍ତି। ଏ ପର୍ଯ୍ୟନ୍ତ ପାଣିରୁ ୧୦ଟି ଶବ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଅନ୍ୟ ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜା ଚାଲିଛି।

ଘଟଣା ସଂକ୍ରନ୍ତରେ ଅଧିକ ତଥ୍ୟ ଦେବାକୁ ଯାଇ ଧୋଲପୁର ଜିଲ୍ଲାପାଳ ରାକେଶ ଜୈସ୍ୱାଲ୍‌ ପୂର୍ବରୁ କହିଥିଲେ, ଘଟଣାରେ ଦଶ ଜଣ ବୁଡ଼ି ଯାଇଛନ୍ତି। ଆମେ ସାତ ଜଣଙ୍କ ଶବ ଉଦ୍ଧାର କରିଛୁ। ରାତ୍ରୀ ଯୋଗୁଁ ତଲାସ ଅଭିଯାନ ଅଟକି ଯାଇଛି। ବୁଧବାର ସକାଳେ ପୁଣି ତଲାସ ଜାରି ରହିବ।

Image Source: The Times of India

ଜୈସଓ୍ଵାଲ୍‌ ଆହୁରି ସୂଚନା ଦେଇଛନ୍ତି ଯେ ମୃତ ବ୍ୟକ୍ତିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଏକ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ।

ଘଟଣାସ୍ଥରେ ଉପସ୍ଥିତ ଥିବା ଜଣେ ପୁଲିସ କର୍ମଚାରୀ କହନ୍ତି: ବିସର୍ଜ୍ଜନ ସମୟରେ ଗାଧୋଇବାକୁ ଜଣେ ବାଳକ ନଦୀକୁ ଡେଇଁ ପଡ଼ିଲା। ତାକୁ ଉଦ୍ଧାର କରିବାକୁ ଅନ୍ୟମାନେ ବି ଡେଇଁ ପଡ଼ିଲେ, କିନ୍ତୁ ସେମାନେ ବି ଡୁବିଗଲେ।

ସହାୟତା ନିମନ୍ତେ ଜିଲ୍ଲା ପ୍ରଶାସନ ସ୍ଥାନୀୟ ବୁଡ଼ାଳି ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳଙ୍କୁ ଡକାଇ ଥିଲା।

ସମ୍ବନ୍ଧିତ ଖବର