ନୂଆଦିଲ୍ଲୀ : ଅସଂରକ୍ଷିତ ଶ୍ରେଣୀର ଆର୍ଥିକ ପଛୁଆ ବର୍ଗ (ଇଡବ୍ଲୁଏସ୍)ଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ଲାଗି କେନ୍ଦ୍ର ସରକାର ଯେଉଁ ୧୦୩ତମ ସଂବିଧାନ ସଂଶୋଧନ କରିଛନ୍ତି, ତାହାକୁ ବୈଧ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହି ବର୍ଗର ହିତାଧିକାରୀମାନେ ସରକାରୀ, ଘରୋଇ ଓ ଅନୁଦାନ ପାଉ ନ ଥିବା ଶିକ୍ଷାନୁଷ୍ଠାନମାନଙ୍କରେ ନାମଲେଖା ଏବଂ ସରକାରୀ ଚାକିରି କ୍ଷେତ୍ରରେ କୋଟାର ସୁବିଧା ପାଇବେ।
ପ୍ରଧାନ ବିଚାରପତି ୟୁୟୁ ଲଳିତ ଏବଂ ଜଷ୍ଟିସ୍ ଦିନେଶ ମାହେଶ୍ବରୀ, ଏସ୍ ରବୀନ୍ଦ୍ର ଭଟ୍ଟ, ବେଲା ଏମ୍ ତ୍ରିବେଦୀ ଓ ଜେବି ପାର୍ଦିୱାଲାଙ୍କ ପାଞ୍ଚଜଣିଆ ସମ୍ବିଧାନ ବେଞ୍ଚ ଏହି ମାମଲାର ଶୁଣାଣି କରି ବିଭାଜିତ ରାୟ ଦେଇଛନ୍ତି। ୩ ଜଣ ବିଚାରପତି କୋଟା ସପକ୍ଷରେ ମତ ଦେଇଥିବା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଲଳିତ ଏବଂ ଜଷ୍ଟିସ ଭଟ୍ଟ ଭିନ୍ନ ମତ ଦେଇଥିଲେ। ୩ ବିଚାରପତି କହିଥିଲେ ଯେ ଅସଂରକ୍ଷିତ ବର୍ଗର ଗରିବଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଯୋଗୁଁ ସମ୍ବିଧାନର ମୌଳିକ ନିୟମର ଉଲ୍ଲଂଘନ ହେଉନାହିଁ।
ରାୟ ପଢ଼ି ଜଷ୍ଟିସ୍ ମାହେଶ୍ବରୀ କହିଲେ ଯେ ୧୦୩ତମ ସଂଶୋଧନ ବୈଧ ଏବଂ ଏହା ସମ୍ବିଧାନର ମୌଳିକ ଢାଞ୍ଚାର ଉଳ୍ଲଂଘନ କରୁନାହିଁ। ଜଷ୍ଟିସ୍ ତ୍ରିବେଦୀ କହିଲେ, ସଂରକ୍ଷଣ ନୀତିର ପୁନରାଲୋଚନା କରିବାର ଆବଶ୍ୟକତା ରହିଛି ଏବଂ ଏହାର ଏକ ସମୟସୀମା ରହିବା ଉଚିତ। ଜଷ୍ଟିସ୍ ପାର୍ଦିୱାଲା ପ୍ରଥମତଃ ସଂବିଧାନର ୧୦୩ତମ ସଂଶୋଧନ ବୈଧ ବୋଲି କହିଲେ। ତା’ସହ ଜଷ୍ଟିସ୍ ତ୍ରିବେଦୀଙ୍କୁ ବି ସମର୍ଥନ କରି କହିଲେ ଯେ ଏସବୁ ସଂରକ୍ଷଣ ଅନନ୍ତକାଳ ଯାଏ ଚାଲିବା ଉଚିତ ନୁହେଁ। ସଂବିଧାନର ସଂରକ୍ଷଣ ନୀତି ଉପରେ ପୁନଃସମୀକ୍ଷା କରାଯିବାର ଆବଶ୍ୟକତା ଅଛି ବୋଲି ସେ କହିଥିଲେ। ତେବେ ଜଷ୍ଟିସ୍ ଭଟ୍ଟ ସଂଖ୍ୟାଗରିଷ୍ଠ ରାୟ ସହ ଏକମତ ନ ହୋଇ କହିଥିଲେ ଯେ ଅନ୍ୟାନ୍ୟ ପଛୁଆ ବର୍ଗ (ଇଡବ୍ଲୁଏସ୍) ଭିତରେ ଏସ୍ସି, ଏସ୍ଟି ଓ ଓବିସିଙ୍କୁ ନ ନେବା ଅନ୍ୟାୟ। ପ୍ରଧାନ ବିଚାରପତି ଲଳିତ ସଂଖ୍ୟାଗରିଷ୍ଠ ମତ ସହ ଏକମତ ନ ହୋଇ ଜଷ୍ଟିସ୍ ଭଟ୍ଟଙ୍କୁ ସମର୍ଥନ କରିଥିଲେ।
ପୂର୍ବରୁ ଥିବା ୫୦ ପ୍ରତିଶତ ସୀମା ଉପରେ ତଥା ପୂର୍ବରୁ ସଂରକ୍ଷଣ ସୁବିଧା ପାଉଥିବା ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ। କାରଣ ଶିକ୍ଷାନୁଷ୍ଠାନଗୁଡ଼ିକରେ ସରକାର ୨.୧ ଲକ୍ଷରୁ ଅଧିକ ସିଟ୍ ବୃଦ୍ଧି କରିଛନ୍ତି ବୋଲି ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା।
ବିଜେପି ଏହି ରାୟରେ ଆନନ୍ଦ ବ୍ୟକ୍ତ କରିବା ସହ ଦେଶର ଗରିବଙ୍କୁ ନ୍ୟାୟ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମିସନ’ର ବିଜୟ ହେଲା ବୋଲି ମତ ପ୍ରକାଶ କରିଛି। ଦଳର ସାଧାରଣ ସଂପାଦକ (ସଂଗଠନ) ବିଏଲ୍ ସନ୍ତୋଷ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସାମାଜିକ ନ୍ୟାୟ ପ୍ରଦାନରେ ଏହା ସାହାଯ୍ୟ କରିବ।