ଦୈନିକ ସଂକ୍ରମଣରେ ୧୦% ହ୍ରାସ: ନୂଆ ସଂକ୍ରମଣର ୫୫% କେରଳରେ

ନୂଆଦିଲ୍ଲୀ : ଗତକାଲି ତୁଳନାରେ ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ମାମଲାରେ ପ୍ରାୟ ୧୦ ପ୍ରତିଶତ ହ୍ରାସ ହୋଇଛି। ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ଦେଶରେ ୩୦,୯୪୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହା ପୂର୍ବ ଦିନର ସଂକ୍ରମଣ ତୁଳନାରେ ୧୦.୧୮ ପ୍ରତିଶତ କମ୍‌। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ଦେଶରେ ୪୦୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଆଜି ଦୈନିକ ସଂକ୍ରମଣର ୫୫ ପ୍ରତିଶତ କେବଳ କେରଳରୁ ରିପୋର୍ଟ ହୋଇଛି। କେରଳରେ ୨୪ ଘଣ୍ଟାରେ ସର୍ବାଧିକ ୧୭,୧୦୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି।

ଏହି ସମୟ ମଧ୍ୟରେ ମହାରାଷ୍ଟ୍ରରେ ୪,୫୭୫, ତାମିଲନାଡ଼ୁରେ ୧୬୫୨, କର୍ଣ୍ଣାଟକରେ ୧୩୫୦ ଏବଂ ଆନ୍ଧ୍ରପ୍ରଦେଶରେ ୧୨୧୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଉପରୋକ୍ତ ୫ ରାଜ୍ୟରୁ ୮୩.୬୮ ପ୍ରତିଶତ ନୂଆ ମାମଲା ଚିହ୍ନଟ ହୋଇଛି। ଗତକାଲି ମହାରାଷ୍ଟ୍ରରେ ସର୍ବାଧିକ ୧୪୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ କେରଳରେ ୮୩ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ କୋଭିଡ୍‌ ମୃତ୍ୟୁସଂଖ୍ୟା ୪,୩୪,୩୬୭ରେ ପହଞ୍ଚିଛି। ଗତକାଲି ୩୮,୪୮୭ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ଆରୋଗ୍ୟ ହାର ୯୭.୫୭ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ମାମଲା ୩,୫୩,୩୯୮। ଏହା ମୋଟ୍‌ ସଂକ୍ରମଣ ମାମଲାର ୧.୦୯ ପ୍ରତିଶତ। ସକ୍ରିୟ ମାମଲା ୧୫୨ ଦିନରେ ସବୁଠୁ କମ୍‌।

ସମ୍ବନ୍ଧିତ ଖବର