କୋଷ୍ଟଗାର୍ଡ ଓ ପ୍ରତିରକ୍ଷା ଉଦ୍ୟୋଗରେ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ ରହିବ : ରାଜନାଥ

ନୂଆଦିଲ୍ଲୀ :  ସାମରିକ ବାହିନୀରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ସ୍କିମକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ ସରକାରଙ୍କ ପକ୍ଷରୁ କେତେକ ନୂଆ ଘୋଷଣା କରାଯାଇଛି । ଅଗ୍ନିବୀରମାନଙ୍କ ପାଇଁ  ପ୍ରତିରକ୍ଷା ମନ୍ତ୍ରାଳୟର ବିଭିନ୍ନ ବିଭାଗରେ ସଂରକ୍ଷଣ ଘୋଷଣା କରାଯାଇଛି । ନିଯୁକ୍ତି ଆଶାୟୀ ଯୁବକଯୁବତୀମାନଙ୍କ ଅସନ୍ତୋଷକୁ ପ୍ରଶମିତ କରିବାକୁ ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି ।

 

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଘୋଷଣା ମୁତାବକ କୋଷ୍ଟ ଗାର୍ଡ ଓ ଡିଫେନ୍ସ ସିଲିଲିଆନ ପଦବୀଗୁଡିକରେ ଅଗ୍ନିବୀରମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରହିବ । କେବଳ ଏତିକି ନୁହେଁ, ପ୍ରତିରକ୍ଷା ମନ୍ତ୍ରାଳୟରେ ଥିବା ସମସ୍ତ ୧୬ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ବି ସେମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରହିବ । ଏସବୁ ବିଭାଗଗୁଡ଼ିକରେ ବର୍ତ୍ତମାନ ଥିବା  ସଂରକ୍ଷଣ ସହ ଅତିରିକ୍ତ ଭାବେ ଏସବୁ ସଂରକ୍ଷଣ ଲାଗୁ ହେବ ।

ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଅଗ୍ନିବୀରମାନଙ୍କ ପାଇଁ ସଂରକ୍ଷଣ ଘୋଷଣା କରାଯାଇଥିଲା । କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଆରପିଏଫ, ସିଆଇଏସଏଫ ଇତ୍ୟାଦି) ଏବଂ ଆସାମ ରାଇଫଲ୍ସରେ ଅଗ୍ନିବୀରମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରଖିବାକୁ ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର