ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ଅବସରରେ ଆଜି ଶିବସେନା-ଏନ୍‌ସିପି ଏବଂ କଂଗ୍ରେସ ପକ୍ଷରୁ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ (ସିଏମ୍‌ପି) ଜାରି କରାଯାଇଛି । ତିନି ଦଳର ମେଣ୍ଟକୁ ‘ମହା ବିକାଶ ଅଘାଡ଼ି’ ନାମ ଦିଆଯାଇଛି । ମେଣ୍ଟ ସରକାର ସମ୍ବିଧାନରେ ରହିଥିବା ଧର୍ମନିରପେକ୍ଷ ମୂଲ୍ୟବୋଧ ନେଇ ପ୍ରତିବଦ୍ଧତା ଜାହିର କରିଛନ୍ତି। ଏହା ବ୍ୟତୀତଏଥିରେ କୃଷକଙ୍କ କଲ୍ୟାଣ ପାଇଁ ଅନେକ ଘୋଷଣା କରାଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ରାଜ୍ୟରେ ମାତ୍ର ୧୦ଟଙ୍କାରେ ସାଧାରଣ ଲୋକଙ୍କ ପାଇଁ ଭଲ ଭୋଜନ ଉପଲବ୍ଧ କରାଯିବ ଏବଂ ତାଲୁକାସ୍ତରରେ ୧ ଟଙ୍କାରେ ସ୍ବାସ୍ଥ୍ୟସେବା ଯୋଜନା ଆରମ୍ଭ ହେବ। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ସୁପର ସ୍ପେସାଲିଟି ହସ୍ପିଟାଲ ଏବଂ ମେଡିକାଲ କଲେଜ ସ୍ଥାପନ କରାଯିବ।

Advertisment

ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କୃଷକମାନେ ଯେଉଁ ସଙ୍କଟର ସମ୍ମୁଖୀନ ହେଉଛନ୍ତି ତାହାକୁ ତତ୍କାଳ ଦୂର କରିବା ପାଇଁ ପ୍ରୟାସ କରାଯିବ ଏବଂ କୃଷକଙ୍କ ଋଣ ଛାଡ଼ କରାଯିବ ବୋଲି ସିଏମ୍‌ପିରେ ଘୋଷଣା କରାଯାଇଛି। ଫସଲ ବୀମା ଯୋଜନାରେ ପରିବର୍ତ୍ତନ ଆଣି କ୍ଷତିଗ୍ରସ୍ତ କୃଷକଙ୍କୁ ତୁରନ୍ତ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ। ରାଜ୍ୟ ସରକାରରେ ଖାଲି ପଡ଼ିଥିବା ସମସ୍ତ ପଦବି ନିର୍ଦ୍ଧାରିତ ଅବଧି ମଧ୍ୟରେ ପୂରଣ କରିବା ଦିଗରେ ସରକାର ପଦକ୍ଷେପ ନେବେ। ଶିକ୍ଷିତ ବେକାରଙ୍କ ପାଇଁ ଆର୍ଥିକ ସହାୟତା ମଧ୍ୟ ଘୋଷଣା କରାଯିବ ବୋଲି ସିଏମ୍‌ପିରେ ଉଲ୍ଲେଖ କରାଯାଇଛି। ମହିଳାଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବ ଏବଂ ଅତ୍ୟନ୍ତ ଗରିବ ପରିବାରର ଛାତ୍ରୀଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା କରାଯିବ। ସମସ୍ତ ନାଗରିକଙ୍କୁ ସ୍ବାସ୍ଥ୍ୟ ବୀମାରେ ଅନ୍ତର୍ଭୁକ୍ତ କରାଯିବ। ସହରାଞ୍ଚଳର ବିକାଶ ପାଇଁ ଅନେକ ସ୍ବତନ୍ତ୍ର ଯୋଜନା ସିଏମ୍‌ପିରେ ଘୋଷଣା କରାଯାଇଛି। ସହରାଞ୍ଚଳର ରାସ୍ତାଘାଟ ଏବଂ ଜଳ ନିସ୍କାସନ ପାଇଁ ବ୍ୟାପକ ଯୋଜନା ହାତକୁ ନିଆଯିବ ଏବଂ ଗ୍ରାମାଞ୍ଚଳରେ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ସ୍ବତନ୍ତ୍ର ପାଣ୍ଠି ବ୍ୟବସ୍ଥା ହେବ ବୋଲି ସିଏମ୍‌ପିରେ କୁହାଯାଇଛି।