ମଧ୍ୟପ୍ରଦେଶରେ ୧୦ ମହଲା ବିଶିଷ୍ଟ ୧୦୦ କୋଟିର ଅତ୍ୟାଧୁନିକ ଦଳୀୟ କାର୍ଯ୍ୟାଳୟ କରୁଛି ବିଜେପି

ଭୋପାଳ: ଚଳିତ ବର୍ଷ ଶେଷ ଆଡ଼କୁ ନିର୍ବାଚନ ଆସୁଥିବାରୁ ମଧ୍ୟପ୍ରଦେଶ ରାଜ୍ୟ ବିଜେପିର ଭୋପାଳରେ ଥିବା ଦଳୀୟ କାର୍ଯ୍ୟାଳୟରେ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି। ୩୨ ବର୍ଷ ପରେ ବିଜେପି ପାଖାପାଖି ୧୦୦ କୋଟି ଟଙ୍କା ବ୍ୟୟରେ ୧୦ ମହଲା ବିଶିଷ୍ଟ ଏକ ଅତ୍ୟାଧୁନିକ ଦଳୀୟ କାର୍ଯ୍ୟାଳୟ ନିର୍ମାଣ କରୁଛି।

ବର୍ତ୍ତମାନ ଭୋପାଳର ଯେଉଁ ବିଲଡିଂରେ ବିଜେପିର ଦଳୀୟ କାର୍ଯ୍ୟାଳୟ ଚାଲିଛି, ତାହା ସୁନ୍ଦରଲାଲ ପଟଓ୍ଵା ସରକାର ଅମଳରେ ୨ କୋଟି ଟଙ୍କା ବ୍ୟୟରେ ୧୯୯୧ ମସିହାରେ ନିର୍ମିତ ହୋଇଥିଲା। ଏବଂ ଏହାକୁ ଦେଶରେ ବିଜେପିର ଅନ୍ୟତମ ବୃହତ୍ତମ ଦଳୀୟ କାର୍ଯ୍ୟାଳୟ ଭାବରେ ପରିଗଣିତ କରାଯାଉଥିଲା।

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ରବିବାର ଦିନ ଏହି ପ୍ରସ୍ତାବିତ ନୂତନ ଦଳୀୟ କାର୍ଯ୍ୟାଳୟର ଭୂମି ପୂଜନ ଓ ନୂତନ କୋଠାର ଶିଳାନ୍ୟାସ କରିବେ।

ବିଜେପି ସମଗ୍ର ଦେଶର ପ୍ରତ୍ୟେକ ଜିଲ୍ଲାରେ ଏକ କାର୍ଯ୍ୟାଳୟ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ଭୋପାଳରେ ଦୀର୍ଘ ଦିନ ଧରି ପଡ଼ି ରହିଥିଲା। ଏବେ ଦଳୀୟ କର୍ମୀଙ୍କ ଆବଶ୍ୟକତା ଅନୁଯାୟୀ ଏକ ନୂତନ କାର୍ଯ୍ୟାଳୟ ନିର୍ମାଣ କରାଯାଉଛି। ଏହି ନୂତନ କାର୍ଯ୍ୟାଳୟରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ଏହାକୁ ତିନିଟି ଭାଗରେ ବିଭକ୍ତ କରାଯିବ- ସଂକଳ୍ପ ସଂକୁଳ, ମୁଖ୍ୟ କାର୍ଯ୍ୟାଳୟ; ସମର୍ପଣ ସଂକୁଳ, ନେତାଙ୍କ ବାସଭବନ ଏବଂ କର୍ମଚାରୀଙ୍କ ବାସଭବନ ସହଯୋଗ ସଂକୁଳ ଭାବେ ନାମିତ ହେବ। ନୂଆ କୋଠା ୧୦ ମହଲା ବିଶିଷ୍ଟ ହେବ। ଏଥିରେ ୧୦୦୦ ଲୋକଙ୍କ ବସିବା କ୍ଷମତା ବିଶିଷ୍ଟ ଏକ ଅଡିଟୋରିୟମ ମଧ୍ୟ ରହିବ।

ପୁରୁଣା ଅଫିସରୁ ବିଜେପି ୬ଟି ବିଧାନସଭା ନିର୍ବାଚନ ଲଢ଼ିଛି। ୩ ଥର ଜିତିଥିବା ବେଳେ ୧୯୯୩, ୧୯୯୮ ଓ ୨୦୧୮ ନିର୍ବାଚନରେ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି।

ସମ୍ବନ୍ଧିତ ଖବର