କରୋନା ମହାମାରୀରେ ବିଶ୍ବବ୍ୟାପୀ ୭୦ ହଜାର ମୃତ, ୧୩ ଲକ୍ଷ ସଂକ୍ରମିତ; ଆମେରିକାରେ ମୃତ୍ୟୁ ସଂଖ୍ୟା ୧୦ ହଜାର ଛୁଇଁବ

ନୂଆଦିଲ୍ଲୀ: ୨୦୪ଟି ରାଷ୍ଟ୍ର ଏବେ କରୋନା କବଳିତ ହୋଇଥିବା ବେଳେ ଏହି ମହାମାରୀରେ ଆଜି ସୁଦ୍ଧା ୭୦ ହଜାର ୮୭୭ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ପ୍ରାୟ ୧୩ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ଚିକିତ୍ସା ପରେ ୬୯ ହଜାର ଲୋକ ସୁସ୍ଥ ହୋଇଛନ୍ତି। ତେବେ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କଠାରେ କୌଣସି ଲକ୍ଷଣ ନଥାଇ ପୁଣି କରୋନା ରିପୋର୍ଟ ପଜିଟିଭ୍‌ ଆସୁଥିବାରୁ ସବୁଠି ଭୟ ଲାଗି ରହିଛି। କରୋନା ଭାଇରସ୍‌ ଆମେରିକାରେ ଭୟାନକ ସ୍ଥିତି ସୃଷ୍ଟି କରିଛି ଏବଂ ୨୪ ଘଣ୍ଟା ମଧ୍ୟରେ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ଟପିବ ବୋଲି କୁହାଯାଇଛି। ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍‌ କହିଛନ୍ତି ଯେ ଖୁବ୍‌ଶୀଘ୍ର ଆମେରିକା କରୋନାକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହେବ। ଚୀନ୍‌ ଆଜି ଆମେରିକାକୁ ୧ ହଜାର ଭେଣ୍ଟିଲେଟର ପ୍ରଦାନ କରିଛି। ଜାପାନରେ ୨୪ ଘଣ୍ଟାରେ ୪ ଶହ ନୂଆ ମାମଲା ଆସିବା ପରେ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଦେଶରେ ଖୁବ୍‌ଶୀଘ୍ର ୧ ମାସ ପାଇଁ ଜରୁରୀ ସ୍ଥିତି ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି। କେବଳ ନ୍ୟୁୟର୍କରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬୫ ହଜାର ଟପିଯାଇଥିବା ଏବଂ ୨୫ ଶହ ଲୋକଙ୍କ ମୃତ୍ୟୁ ଘଟିଥିବାରୁ ଆମେରିକାର ଚିନ୍ତା ବଢ଼ିଯାଇଛି। ଦେଶବ୍ୟାପୀ ମୃତ୍ୟୁ ସଂଖ୍ୟା ପ୍ରାୟ ୧୦‌ ହଜାରରେ ପହଞ୍ଚିଲାଣି। ଚୀନ୍‌ ଆମେରିକାକୁ ସହାୟତାର ହାତ ବଢ଼ାଇ ୧ ହଜାର ଭେଣ୍ଟିଲେଟର ପଠାଇଛି। ଅନ୍ୟପକ୍ଷରେ ବ୍ରିଟେନ୍‌ରେ ମଧ୍ୟ କରୋନାର ପ୍ରକୋପ ବଢ଼ିଚାଲିଛି ଏବଂ ମୃତ୍ୟୁ ସଂଖ୍ୟା ୪ ହଜାର ଅତିକ୍ରମ କରିଯାଇଛି। କରୋନା ଆକ୍ରାନ୍ତ ହୋଇଥିବା ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଲଣ୍ଡନର ଏକ ହସ୍ପିଟାଲରେ ଏବେ ଚିକିତ୍ସିତ ହେଉଛନ୍ତି ଏବଂ ହସ୍ପିଟାଲରୁ ହିଁ ସେ ସରକାରୀ କାମ ଦେଖୁଛନ୍ତି।

ଅଲ୍‌ ଜଜିରା ଟିଭି ଚ୍ୟାନେଲର ଖବର ମୁତାବକ ଲିବିୟାର ପୂର୍ବ ପ୍ରଧାନମନ୍ତ୍ରୀ ମହମ୍ମଦ ଜିବ୍ରାଲ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ୬୮ ବର୍ଷୀୟ ଜିବ୍ରାଲ ଦୁଇ ସପ୍ତାହ ତଳେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ସ୍ପେନ୍‌ ଏବଂ ଇଟାଲି ସ୍ଥିତି ଏବେ ବି ଉଦ୍‌ବେଗଜନକ ରହିଛି ଏବଂ ସ୍ପେନ୍‌ରେ କରୋନା ମୃତ୍ୟୁ ସଂଖ୍ୟା ୧୩ ହଜାର ଛୁଇଁବାକୁ ଯାଉଛି। ଇଟାଲିରେ ପ୍ରାୟ ୧୬ ହଜାର ଲୋକ କରୋନାରେ ପ୍ରାଣ ହରାଇଥିବା ବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ରହିଛି। ବିଶ୍ବରେ ସର୍ବାଧିକ କରୋନା ଆକ୍ରାନ୍ତ ଏବେ ଆମେରିକାରେ ରହିଛନ୍ତି। ଆଜି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାରରେ ପହଞ୍ଚିଲାଣି। ଇରାନ୍‌ର କରୋନା ମୃତ୍ୟୁ ସଂଖ୍ୟା ଆଜି ଚୀନ୍‌କୁ ଟପିଯାଇଛି। ଏଠାରେ ମୋଟ ୩୬୦୩ ଜଣ କରୋନାରେ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର