ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ : କଶ୍ମୀରକୁ ଗଲେ ୧୦ ହଜାର ‌ସୈନ୍ୟ

ହାଇଆଲର୍ଟ, ଲୁଚିଲେ ହୁରିୟତ୍ ନେତା, ୟାସିନ ମଲ୍ଲିକ ସମେତ ୧୫୦ ଗିରଫ, ପିଓକେ ବାସିନ୍ଦାଙ୍କୁ ସତର୍କ କଲା ପାକିସ୍ତାନ

ଶ୍ରୀନଗର : ପୁଲୱାମାରେ ସିଆର୍‌ପିଏଫ୍‌ ଉପରେ ଆତ୍ମଘାତୀ ଆକ୍ରମଣକୁ କେନ୍ଦ୍ର କରି ଏବେ ଜମ୍ମୁ କଶ୍ମୀରରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ସୀମାରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଉଥିବାରୁ ଉଭୟ ପଟୁ ସେନା ମୁତୟନ ବଢ଼ିବାରେ ଲାଗିଛି। ଭାରତ ପଟୁ କାର୍ଯ୍ୟାନୁଷ୍ଠାନ ଭୟରେ ପାକିସ୍ତାନ ଆତଙ୍କିତ ହୋଇ ରହିଥିବା ବେଳେ ପାକିସ୍ତାନ ସେନାମୁଖ୍ୟ ଏଲ୍‌ଓସି ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। ପାକ୍‌ ଅଧିକୃତ କଶ୍ମୀର ଲୋକଙ୍କୁ ବିନା କାରଣରେ ଘରୁ ନା ବାହାରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ରାତିରେ ଆଲୁଅ ନ ଜଳାଇବା ଏବଂ ବଙ୍କର ପ୍ରସ୍ତୁତ କରି ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଏଲ୍‌ଓସିକୁ ଭାରତ କୌଣସି ଭାରୀ ଯୁଦ୍ଧାସ୍ତ୍ର ପରିବହନ ପ୍ରକ୍ରିୟା‌ ଆରମ୍ଭ କରିନଥିଲେ ମଧ୍ୟ ବିମାନ ଆକ୍ରମଣ କିମ୍ବା ସର୍ଜିକାଲ ଷ୍ଟ୍ରାଇକ୍‌ ଭୟରେ ପାକ୍‌ ସେନା ଗୋପନ ପ୍ରସ୍ତୁତି ଆରମ୍ଭ କରିଦେଇଛି।

ଇତିମଧ୍ୟରେ କଶ୍ମୀରରେ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ ବଡ଼ ଧରଣର କ‌ାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଜି ଅଧିକ ୧୦ ହଜାର ସୈନ୍ୟ ଶ୍ରୀନଗରରେ ମୁତୟନ ହୋଇଛନ୍ତି। ଦକ୍ଷିଣ କଶ୍ମୀର ପାଇଁ ସ୍ବତନ୍ତ୍ର ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇ ଦୁଇ ଶହରୁ ଅଧିକ ଉପଦ୍ରୁତ ଅଂଚଳରେ ସେନା ମୁତୟନ ବଢ଼ାଯାଇଛି। ସମଗ୍ର ଜମ୍ମୁ କଶ୍ମୀରରେ ହାଇଆଲର୍ଟ ଜାରି ହୋଇଛି। ଆଜି ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲିକ୍‌ଙ୍କ ସମେତ ୧୫୦ ଜଣଙ୍କୁ ଗିରଫ ରଖାଯାଇଛି। ସେମାନଙ୍କ ମଧ୍ୟରେ ଜମାତ ଏ ଇସ୍‌ଲାମୀର ୧୨ ଜଣ ନେତା ଅଛନ୍ତି। ଆଜି ଏହି ବିଚ୍ଛିନ୍ନତାବାଦୀଙ୍କ ବାସଭବନରେ ଚଢ଼ଉ କରି ପୁଲିସ ସେମାନଙ୍କୁ ଗିରଫ କରିଥିଲା। ଆସନ୍ତା ସୋମବାରଠାରୁ ସୁପ୍ରିମ୍‌ କୋର୍ଟରେ ଧାରା ୩୫(ଏ) ନେଇ ଶୁଣାଣି ଆରମ୍ଭ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଅନେକ ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଯଦି ସୁପ୍ରିମ୍‌ କୋର୍ଟ ଧାରା ୩୫-ଏକୁ ହଟାଇବେ କିମ୍ବା ଏଥିରେ ପରିବର୍ତ୍ତନ ଆଣିବାକୁ ରାୟ ଦେବେ ତା’ହେଲେ କଠୋରପନ୍ଥୀମାନେ କଶ୍ମୀରରେ ପ୍ରବଳ ହିଂସାକାଣ୍ଡ ଘଟାଇବା ଆଶଙ୍କା ରହିଛି।

ଗୋଟିଏ ପଟେ ଧାରା ୩୫-ଏକୁ ନେଇ ହିଂସା ଆଶଙ୍କା ଏବଂ ଅନ୍ୟପଟେ ସୁରକ୍ଷା ବାହିନୀ ଉପରେ ଆହୁରି ବଡ଼ ଧରଣର ଆକ୍ରମଣ ପାଇଁ ବିଭିନ୍ନ ଆତଙ୍କବାଦୀ ସଂଗଠନ ଦ୍ବାରା ଧମକ ମିଳିଥିବାରୁ ଏହାର ମୁକାବିଲା ପାଇଁ ସୁରକ୍ଷା ବାହିନୀ ଅଣ୍ଟା ଭିଡ଼ିଛି। ପୁଲିସ- ସେନା-ସିଆର୍‌ପିଏଫ୍‌ର ମିଳିତ ବୈଠକରେ ଏ ସଂକ୍ରାନ୍ତ ରଣନୀତି ତୟାର ହୋଇଛି । ଜୈସ ଏ ମହମ୍ମଦ ଏବଂ ହିଜ୍‌ବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ମିଳିତ ଆକ୍ରମଣ ପାଇଁ ଯୋଜନା କରୁଥିବା ନେଇ ଗୁଇନ୍ଦା ରିପୋର୍ଟ ମିଳିଥିବାରୁ ଅନେକ ଅଂଚଳରେ ତଲାସୀ ଅଭିଯାନ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର