ବୈରାଗୀ ଅଭିରାମ ଦାସ
ବିହାରର ଦରଭଙ୍ଗାରେ ଜନ୍ମ ହୋଇଥିଲେ ବୈରାଗୀ ଅଭିରାମ ଦାସ। ରାମାନନ୍ଦୀ ସମ୍ପ୍ରଦାୟର ସେ ଜଣେ ତପସ୍ବୀ ଥିଲେ। ତେବେ ୧୯୪୯ ମସିହା ୨୨-୨୩ ଡିସେମ୍ବର ରାତିରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥଳର ବିବାଦୀୟ ନିର୍ମାଣ ନିକଟରେ ଶ୍ରୀରାମଙ୍କର ଏକ ପ୍ରତିମା ରଖିବ‌ା ମାମଲାରେ ତାଙ୍କ ନାମ ଉଠିଥିଲା। ସେ ସମୟରେ ପ୍ରଶାସନ ଦ୍ବାରା ଯେଉଁ ଏଫ୍‌ଆଇଆର ରୁଜୁ ହୋଇଥିଲା, ସେଥିରେ ତାଙ୍କୁ ଜଣେ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲା। ଅଯୋଧ୍ୟାରେ ସେ ଜଣେ 'ଯୋଦ୍ଧା ସାଧୁ' ଭାବେ ବିବେଚିତ ଥିଲେ। ହିନ୍ଦୁ ମହାସଭାର ମଧ୍ୟ ସେ ଜଣେ ସଦସ୍ୟ ଥିଲେ। ୧୯୮‌୧ରେ ତାଙ୍କର ପରଲୋକ ହୋଇଥିଲା।
ଦେବରାହା ବାବା
ଜଣେ ଅତ୍ୟନ୍ତ ଅମାୟିକ ସନ୍ଥ ଭାବେ ସେ ଜଣଶୁଣା। ତାଙ୍କ ଜନ୍ମସ୍ଥାନ ଏବଂ ଜନ୍ମବର୍ଷ ଏକ ରହସ୍ୟ ହୋଇ ରହିଯାଇଛି। ଉତ୍ତରପ୍ରଦେଶର ଦେଓରିଆ ସ୍ଥିତ ସରଜୁ ନଦୀ କୂଳରେ ସେ ରହନ୍ତି। ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏବଂ ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି ଓ ଅଟଳ ବିହାରୀ ବାଜପେୟୀଙ୍କ ପରି ନେତାମାନେ ତାଙ୍କର ଅନୁଗାମୀ ଥିଲେ। ୧୯୮୪ ମସିହାରେ ସେ ପ୍ରୟାଗରାଜର କୁମ୍ଭରେ ଏକ ଧର୍ମ ସଂସଦରେ ଅଧ୍ୟକ୍ଷତା କରିଥିଲେ। ନଭେମ୍ବର ୯, ୧୯୮୯ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିବାକୁ ସମସ୍ତ ହିନ୍ତୁ ଧାର୍ମିକ ଏବଂ ଆଧ୍ୟାତ୍ମିକ ନେତାମାନେ ଏହି ଧର୍ମ ସଂସଦରେ ନିଷ୍ପତ୍ତି ନେଇଥିଲେ। ଯେତେବେଳେ ରାଜୀବ ଗାନ୍ଧୀ, ମନ୍ଦିର ନିର୍ମାଣର ଶିଳାନ୍ୟାସ ପାଇଁ ତାଙ୍କଠାରୁ ଉପଦେଶ ଏବଂ ଆର୍ଶୀବାଦ ନେବାକୁ ଯାଇଥିଲେ ସେ ସମୟରେ ଦେବରାହା ବାବା କହିଥିଲେ ଏହା ହେବାକୁ ଦିଅ।
ମରୋପନ୍ତ ପିଙ୍ଗଲ୍‌
ନାଗପୁର ମରିସ୍‌ କଲେଜ୍‌ରୁ ସେ ଜଣେ ଗ୍ରାଜୁଏଟ୍‌ ଏବଂ ଆରଏସଏସ୍‌ର ଜଣେ ପ୍ରଚାରକ। ପିଙ୍ଗଲ୍‌ ହେଉଛନ୍ତି ରାମ ମନ୍ଦିର ପାଇଁ ଆନ୍ଦୋଳନର ଜଣେ ଅଦୃଶ୍ୟ ରଣନୀତିଜ୍ଞ। 'ଶିଳା ପୂଜନ' କାର୍ଯ୍ୟକ୍ରମ ସହ ଦେଶବ୍ୟାପୀ ବିଭିନ୍ନ ଯାତ୍ରା ଏବଂ ଅଭିଯାନରେ ସେ ପ୍ରମୁଖ ଦାୟିତ୍ବ ନିର୍ବାହ କରିଥିଲେ। ତାଙ୍କ ନେତୃତ୍ବରେ ଅ‌‌ଯୋଧ୍ୟାକୁ ୩ ଲକ୍ଷ ଇଟା ପଠାଯାଇଥିଲା। ପିଙ୍ଗଲ୍‌ ସବୁବେଳେ ପରଦା ପଛରେ ରହି କାମ କରିବାକୁ ପସନ୍ଦ କରୁଥିଲେ ଏବଂ ୧୯୮୦ ଦଶକରେ ମନ୍ଦିର ନିର୍ମାଣ ଆନ୍ଦୋଳନର ସେ ଜଣେ ମୁଖ୍ୟ ରଣନୀତିଜ୍ଞ ଥିଲେ।
ମହନ୍ତ ଅବୈଦ୍ୟନାଥ
ରାମ ମନ୍ଦିର ଆନ୍ଦୋଳନର ନେତୃତ୍ବ ନେବାପାଇଁ ୧୯୮୦ ଦଶକର ମଧ୍ୟଭାଗରେ ଗଠନ ହୋଇଥିଲା ରାମ ଜନ୍ମଭୂମି ମୁକ୍ତି ଯଜ୍ଞ ସମିତି। ଏହି ସମିତିର ପ୍ରଥମ ସଭାପତି ଥିଲେ ମହନ୍ତ ଅବୈଦ୍ୟନାଥ। ସେ ମଧ୍ୟ ରାମ ଜନ୍ମଭୂମି ନ୍ୟାସ ସମିତି ନାମକ ଅନ୍ୟ ଏକ ପ୍ରମୁଖ ଅନୁଷ୍ଠାନର ସଭାପତି ଥିଲେ। ଏହି ଆନ୍ଦୋଳନରେ ସେ ପ୍ରମୁଖ ଦାୟିତ୍ବ ନିର୍ବାହ କରିଥିଲେ। ଜନ୍ମରୁ ତାଙ୍କର ନାମ ଥିଲା କୃପା ସିଂହ ବିଷ୍ଟ। ଉତ୍ତରପ୍ରଦେଶ ଗୋରଖପୀଠର ମହନ୍ତ ଦିଗ୍‌ବିଜୟନାଥଙ୍କର ସେ ଜଣେ ଅନୁଗାମୀ ଥିଲେ। ଏହି ସନ୍ଥ ୧୯୪୦ରେ ତାଙ୍କ ନାମ ମହନ୍ତ ‌ଅବୈଦ୍ୟନାଥ ରଖିଥିଲେ। ୧୯୬୯‌ରେ ସେ ଗୋରଖପୀଠର ମୁଖ୍ୟ ହେଲେ। ହିନ୍ଦୁ ମହାସଭାରେ ସେ ଜଣେ ସଦସ୍ୟ ଥିଲେ। ଗୋରଖପୁରରୁ ସେ ୫ ଥର ବିଧାୟକ ହୋଇଥିଲେ ଏବଂ ୪ ଥର ସାଂସଦ ହୋଇଥିଲେ। ବାବ୍ରି ମସଜିଦ୍ ଧ୍ବଂସ ମାମଲାରେ ସେ ଜଣେ ମୁଖ୍ୟ ଅଭିଯୁକ୍ତ ଥିଲେ।
ସ୍ବାମୀ ବାମଦେବ
ଜଣେ ମିଷ୍ଠଭାଷୀ ତପସ୍ବୀ ଥିଲେ ସ୍ବାମୀ ବାମଦେବ। ବାମଦେବ ୧୯୮୪ରେ ଜୟପୁରରେ ଏକ ସର୍ବଭାରତୀୟ ସ୍ତରର ବୈଠକ କରି ଗୋଟିଏ ମଞ୍ଚରେ ସମସ୍ତ ହିନ୍ଦୁ ଧାର୍ମିକ ଏବଂ ଆଧ୍ୟାତ୍ମିକ ନେତାଙ୍କୁ ଏକତ୍ରିତ କରିବାରେ ସକ୍ଷମ ହୋଇଥିଲେ। ରାମ ମନ୍ଦିର ଆନ୍ଦୋଳନର ଭବିଷ୍ୟତ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବାପାଇଁ ପ୍ରାୟ ୪୦୦ରୁ ଅଧିକ ଧାର୍ମିକ ନେତା ଦୀର୍ଘ ୧୫ ଦିନ ଧରି ମାନସମନ୍ଥନ କରିଥିଲେ। ସ୍ବାମୀ ବାମଦେବ ୧୯୯୦ରେ କର ସେବକମାନଙ୍କର ନେତୃତ୍ବ ନେଇଥିଲେ। ସେହି ସମୟରେ ପୁଲିସ ଗୁଳିରେ ଅନେକ କର ସେବକ ପ୍ରାଣ ହରାଇଥିଲେ। ୧୯୯୨ରେ ବାବ୍ରି ମସଜିଦ୍‌ ଭାଙ୍ଗିବା ସମୟରେ ସେ ଅଯୋଧ୍ୟାରେ ଉପସ୍ଥିତ ଥିଲେ।
ଶ୍ରୀଶ ଚନ୍ଦ୍ର ଦିକ୍ଷୀତ
୧୯୮୦ ଦଶକରେ ରାମ ଜନ୍ମଭୂମି ଆନ୍ଦୋଳନର ଜଣେ ପ୍ରମୁଖ ନେତା ଥିଲେ ଦିକ୍ଷୀତ। ୧୯୮୨ରୁ ୮୪ ମଧ୍ୟରେ ସେ ଉତ୍ତରପ୍ରଦେଶ ପୁଲିସ ଡିଜି ଥିଲେ। ଅବସର ପରେ ସେ ବିଶ୍ବ ହିନ୍ଦୁ ପରିଷଦରେ ଉପ ସଭାପତି ଭାବେ ଯୋଗ ଦେଇଥିଲେ। ଅଯୋଧ୍ୟାରେ କର ସେବକମାନଙ୍କ ଆନ୍ଦୋଳନର ରଣନୀତି ପ୍ରସ୍ତୁତ କରିବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ରାମ ଜନ୍ମଭୂମି ଆନ୍ଦୋଳନରେ ଅଂଶଗ୍ରହଣ କରି ସେ ୧୯୯୦ରେ ଗିରଫ ହୋଇଥିଲେ।
ବିଷ୍ଣୁ ହରି ଡାଲ୍‌ମିୟା
ଜଣାଶୁଣା ଶିଳ୍ପପତି ପରିବାରର ବଂଶଜ ଡାଲ୍‌ମିୟା ୧୯୯୨ରୁ ୨୦୦୫ ମଧ୍ୟରେ ଭିଏଚ୍‌ପିର ଅଧ୍ୟକ୍ଷ ଥିଲେ। ଡାଲ୍‌ମିୟା ମଧ୍ୟ ରାମ ଜନ୍ମଭୂମି ଆନ୍ଦୋଳନର ଜଣେ ପ୍ରମୁଖ ନେତା ଥିଲେ। ୧୯୮୫ରେ ଶ୍ରୀ ରାମ ଜନ୍ମଭୂମି ନ୍ୟାସ ଗଠନ ହେବା ସମୟରେ ସେ ଏହାର ‌କୋଷାଧ୍ୟକ୍ଷ ଥିଲେ। ବାବ୍ରି ମସଜିଦ୍‌ ଭାଙ୍ଗିବା ପରେ ସେ ଗିରଫ ହୋଇଥିଲେ।
ଦାଉଦୟାଲ୍‌ ଖାନ୍ନା
ରାମ ଜନ୍ମଭୂମି ମୁକ୍ତି ଯଜ୍ଞ ସମିତିର ଜଣେ ସାଧାରଣ ସଚିବ ଭାବେ ଦାଉଦୟାଲ୍‌ ଖାନ୍ନା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଗୁରୁ ଦାୟିତ୍ବ ନିର୍ବାହ କରିଥିଲେ। ଅଯୋଧ୍ୟା, ମଥୁରା ଏବଂ କାଶୀରେ ମନ୍ଦିର ପୁନଃନିର୍ମାଣ କରିବା ପ୍ରସଙ୍ଗକୁ ସେ ପ୍ରଥମେ ୧୯୮୩ରେ ଏକ ସାଧାାରଣ ବୈଠକରେ ଉଠାଇଥି‌ଲେ। ୧୯୮୪ ସେପ୍ଟେମ୍ବରରେ ସେ ବିହାରର ସୀତାମଢ଼ିରୁ ପ୍ରଥମେ ରାମ ଜନ୍ମଭୂମି ଆନ୍ଦୋଳନ ଯାତ୍ରା ଆରମ୍ଭ କରିଥିଲେ।
କୋଠାରି ବ୍ରଦର୍ସ
ରାମ କୁମାର କୋଠାରୀ ଏବଂ ଶରଦ କୁମାର କୋଠାରୀ ଦୁଇ ଭାଇ। ସେମାନେ ଅକ୍ଟୋବର ୧୯୯୦ରେ କରସେବା ପାଇଁ କୋଲକାତାରୁ ଅଯୋଧ୍ୟା ଆସିଥିଲେ। ୧୯୯୦, ଅକ୍ଟୋବର ୩୦ରେ ସେମାନେ ଅଯୋଧ୍ୟାରେ କର ସେବାରେ ସାମିଲ ହୋଇଥିଲେ। ଏହାର ୨ ଦିନ ପରେ ନଭେମ୍ବର ୨ ତାରିଖରେ ସେମାନେ କର ସେବା କରୁଥିବା ସମୟରେ ପୁଲିସ ଗୁଳିରେ ପ୍ରାଣ ହାରିଥିଲେ। ସେ ସମୟରେ ରାମ କୁମାରଙ୍କୁ ମାତ୍ର ୨୩ ବର୍ଷ ଏବଂ ଶରଦଙ୍କୁ ମାତ୍ର ୨୦ ବର୍ଷ ହୋଇଥିଲା। କୋଠାରି ବ୍ରଦର୍ସ୍‌ଙ୍କ ହତ୍ୟା ସମଗ୍ର ଦେଶରେ ହିନ୍ଦୁମାନଙ୍କୁ କ୍ରୋଧିତ କରିଥିଲା ଏବଂ ସେମାନଙ୍କୁ ରାମ ଜନ୍ମଭୂମି ଆନ୍ଦୋଳନର ହିରୋ ବିବେଚନା କରାଯାଇଥିଲା।