ନୂଆଦିଲ୍ଲୀ: ଆସାମର ଜୋରହାଟ ଏୟାର ବେସ୍ରୁ ଭାରତୀୟ ବାୟୁସେନାର ୧୩ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଧରି ଗତକାଲି ମଧ୍ୟାହ୍ଣରୁ ଅରୁଣାଚଳ ପ୍ରଦେଶର ମେଚୁକା ଆଡ୍ଭାନ୍ସଡ୍ ଲାଣ୍ଡିଂ ଗ୍ରାଉଣ୍ଡ ଅଭିମୁଖେ ଉଡ଼ାଣ ଭରିଥିବା ବାୟୁସେନାର ପରିବହନ ସେବା ଯୋଗାଣକାରୀ ଆଣ୍ଟୋନୋଭ ଏଏନ୍-୩୨ ବିମାନ ଆକାଶ ପଥରେ ନିଖୋଜ ହେବାର ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ଏଯାବତ୍ ନିଖୋଜ ବିମାନଟିର କୌଣସି ପତ୍ତା ମିଳି ପାରିନାହିଁ।
ବିମାନଟି ଆକାଶ ପଥରେ କୌଣସି କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିବା ଆଶଙ୍କା କରା ଯାଉଥିଲେ ମଧ୍ୟ ଏଯାବତ୍ ବହୁ ଖୋଜାଖୋଜି ପରେ ମଧ୍ୟ ନିଖୋଜ ବିମାନର ଧ୍ୱଂସାବଶେଷ ପାଇବାରେ ସମର୍ଥ ହୋଇପାରି ନାହିଁ ବାୟୁସେନା। ଶେଷରେ ଅନୋନ୍ୟପାୟ ହୋଇ ବାୟୁସେନା ତା’ର ବିମାନର ଧ୍ୱଂସାବଶେଷକୁ ଠାବ କରିବାକୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ସାହାଯ୍ୟ ନେଇଛି। ଏବଂ ଇସ୍ରୋ ଏବେ ନିଜର ସାଟେଲାଇଟର ଉପଯୋଗ କରି ନିଖୋଜ ବିମାନର ଧ୍ୱଂସାବଶେଷକୁ ଖୋଜିବା ଆରମ୍ଭ କରିଛି।
/sambad/media/post_attachments/wp-content/uploads/2019/06/IAF-1.jpg)
ତେବେ, ଏହି ଘଟଣା ଏବେ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏସଂକ୍ରାନ୍ତୀୟ ଆଉ ଏକ ଖବର ଚର୍ଚ୍ଚାର ପରିସରକୁ ଆସିଛି। ଜାଣିବାକୁ ମିଳିଛି, ଏହି ଘଟଣାର ଠିକ୍ ୧୦ ବର୍ଷ ପୂର୍ବେ ଅର୍ଥାତ୍ ୨୦୦୯ ଜୁନ୍ ମାସ ୯ ତାରିଖରେ ବାୟୁସେନାର ଅନ୍ୟ ଏକ ଆଣ୍ଟୋନୋଭ ଏଏନ୍-୩୨ ବିମାନ ସେଇ ଅରୁଣାଚଳ ପ୍ରଦେଶର ମେଚୁକା ଆଡ୍ଭାନ୍ସଡ୍ ଲାଣ୍ଡିଂ ଗ୍ରାଉଣ୍ଡର ସମାନ ସ୍ଥାନରୁ (ଯେଉଁଠୁ ଗତ କାଲିର ବିମାନ ନିଖୋଜ ହେଲା; ମାଚୁକା ଲାଣ୍ଡିଂର ୩୦ କିଲୋମିଟର ଦୂରରୁ) ରାଡାରରୁ ଅନ୍ତର୍ଧ୍ୟାନ ହୋଇଯିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଥିଲା। ସଂଯୋଗକ୍ରମେ ବା କାକତାଳିକ ନ୍ୟାୟ କ୍ରମେ ସେଇ ବିମାନରେ ମଧ୍ୟ ଭାରତୀୟ ବାୟୁସେନାର ୧୩ ଜଣ ଅଧିକାରୀ ଓ କର୍ମଚାରୀ ସବାର ଥିଲେ। ଏବଂ ଏହି ଦୁର୍ଘଟଣାରେ ସମସ୍ତଙ୍କର ମୁତ୍ୟୁ ଘଟିଥିଲା।
/sambad/media/post_attachments/wp-content/uploads/2019/06/IAF2.jpg)
ଦୀର୍ଘ ଗୋଟିଏ ଦିନ ଧରି ଖୋଜାଖୋଜି କରିବା ପରେ ବାୟୁସେନାର ଏକ ଏମ୍ଆଇ- ୧୭ ହେଲିକପ୍ଟର ମାଚୁକା ଲାଣ୍ଡିଂର ୨୫ କିଲୋମିଟର ଦୂରରେ ଦୁର୍ଘଟଣାଗ୍ରସ୍ତ ବିମାନର ଧ୍ୱଂସାବଶେଷ ସହ ବିମାନରେ ସବାର ଥିବା ସମସ୍ତ ୧୩ ଜଣଙ୍କର ମୃତ ଦେହକୁ ଠାବ କରିଥିଲା। ଏହି ୧୩ ଜଣଙ୍କ ମଧ୍ୟରୁ ବାୟୁସେନାର ୨ ଜଣ ଓ୍ଵିଙ୍ଗ୍ କମାଣ୍ଡର, ୨ ଜଣ ସ୍ୱାର୍ଡନ ଲିଡର, ଜଣେ ଫ୍ଲାଇଟ୍ ଲେଫଟନାଣ୍ଟ, ୨ ଜଣ ଫ୍ଲାଇଟ୍ ଇଞ୍ଜିନିୟରଙ୍କ ସମେତ ୬ ଜଣ ସେନା ଯବାନ ଥିଲେ।
ସେହିପରି ଏଥରକ ନଖୋଜ ଥିବା ବିମାନରେ ସବାର ଥିବା ୧୩ ଜଣଙ୍କ ମଧ୍ୟରୁ ଜଣେ ଓ୍ଵିଙ୍ଗ୍ କମାଣ୍ଡର, ୪ ଜଣ ଫ୍ଲାଇଟ୍ ଲେଫ୍ଟନାଣ୍ଟ, ଜଣେ ସ୍କାର୍ଡନ ଲିଡର ଓ ଅନ୍ୟ ୭ ଜଣ ବାୟୁସେନାର ଉଡ଼ାଣ କର୍ମଚାରୀ ଥିବା ଜାଣିବାକୁ ମିଳିଛି।