୨୬/୧୧କୁ ୧୦ ପୂରିଲା:ପାକିସ୍ତାନକୁ ‌ଘେରିଲା ଭାରତ

ଏବେ ବି ଅଭିଯୁକ୍ତ ଖୋଲା ବୁଲୁଛି

ନୂଆଦିଲ୍ଲୀ: ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ଆଜି ୧୦ ବର୍ଷ ପୂରିଥିବା ‌ବେଳେ ଏ ପ୍ରସଙ୍ଗର‌େ ପାକିସ୍ତାନକୁ ଭାରତ ପକ୍ଷରୁ କଡ଼ା ଭର୍ତ୍ସନା କରାଯାଇଛି। ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ପାକିସ୍ତାନ ଦ୍ବାରା ପ୍ରୋତ୍ସାହିତ ଆତଙ୍କବାଦୀ ସଂଗଠନ ଲସ୍କର ଏ ତଇବାର ଆତଙ୍କବାଦୀମାନେ ଭାରତରେ ଆକ୍ରମଣ କରି ୧୬୬ ଲୋକଙ୍କ ଜୀବନ ନେଇଗଲେ। ଏହାକୁ ଭାରତ କଦାପି ଭୁଲିପାରିବ ନାହିଁ। କିନ୍ତୁ ଦୁଃଖର ବିଷୟ ଯେ ଏବେ ବି ଏହି ଆକ୍ରମଣର ଅଭିଯୁକ୍ତ ପାକିସ୍ତାନରେ ଗଳିକନ୍ଦିରେ ଖୋଲାରେ ବୁଲିପାରୁଛନ୍ତି। ଏଥିପାଇଁ ସେମାନଙ୍କୁ ଦେଶର ସରକାରଙ୍କ ପକ୍ଷରୁ ଦଣ୍ଡବିଧାନ କରାଯିବା ବଦଳରେ ସେମାନଙ୍କୁ ଓଲଟା ବିଭିନ୍ନ ସୁଯୋଗ ଦିଆଯାଉଛି। ଏହାଠାରୁ ଦୁର୍ଭାଗ୍ୟଜନକ କଥା କିଛି ନାହିଁ ବୋଲି ବୈଦେଶିକ ମନ୍ତ୍ରାଳୟ କହିଛି।
ଅନ୍ୟପକ୍ଷରେ ୨୬/୧୧ ଆକ୍ରମଣ ବାବଦରେ ଆମେରିକା କରିଥିବା ଘୋଷଣାକୁ ନେଇ ଭାରତର ବୈଦେଶିକ ମନ୍ତ୍ରାଳୟ ସନ୍ତୋଷ ବ୍ୟକ୍ତ କରିଛି। ଆମେରିକାର ଏଭଳି ଆତଙ୍କବାଦୀ ନିରୋଧୀ କାର୍ଯ୍ୟ ପ୍ରଶଂସନୀୟ ବୋଲି କହିଛି। ଉଲ୍ଲେଖଯୋଗ୍ୟ, ୨୬/୧୧ ଆକ୍ରମଣକାରୀଙ୍କ ସମ୍ପର୍କରେ ସୂଚନା ଦେଲେ ଆମେରିକା ୫ ନିୟୁତ ଡଲାର ପୁରସ୍କାର ଦେବ ବୋଲି ଘୋଷଣା କରିଛି। ୨୬/୧୧ ଆକ୍ରମଣକାରୀଙ୍କୁ ଠାବ କରିବାରେ ଏହ‌ା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଭାରତ ଦର୍ଶାଇଛି।

କସାବ୍‌ ପାଇଁ ଲଢ଼ିଥିବା‌ ୨ ଆଇନଜୀବୀ ପାଉଣା ପାଇନାହାନ୍ତି
ମୁମ୍ବାଇ : ୨୦୦୮ ମୁମ୍ବାଇ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଅଜମଲ କସାବ୍‌ ଗତ ୨୦୧୨ ନ‌ଭେମ୍ବର ୨୧ ତାରିଖରେ ଫାଶିଖୁଣ୍ଟରେ ଝୁଲିଥିଲା। ତେବେ କସାବ୍‌ ସପକ୍ଷରେ ବମ୍ବେ ହାଇକୋର୍ଟରେ ମାମଲା ଲଢ଼ିଥିବା ୨ ଜଣ ଆଇନଜୀବୀ ଏଯାବତ୍‌ ସେମାନଙ୍କ ପାଉଣା ପାଇନାହାନ୍ତି। କସାବ୍‌କୁ ଟ୍ରାଏଲ୍‌ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାପରେ ସେ ବମ୍ବେ ହାଇକୋର୍ଟରେ ଟ୍ରାଏଲ୍‌ କୋର୍ଟଙ୍କ ରାୟକୁ ଚାଂଲେଜ କରିବାପାଇଁ ଇଚ୍ଛା ପ୍ରକାଶ କରିଥିଲା। ଏହାପରେ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମହାରାଷ୍ଟ୍ର ରାଜ୍ୟ ଆଇନ ସେବା ବିଭାଗ ଦ୍ବାରା କସାବ୍‌ ସପକ୍ଷରେ ମାମଲା ଲଢ଼ିବାପାଇଁ ଦୁଇ ଆଇନଜୀବୀ ଅମିନ ସୋଲକାର ଏବଂ ଫରହାନା ଶାହ ନିଯୁକ୍ତ ହୋଇଥିଲେ। ଏନେଇ ୨୦୧୦ ମସିହ ଜୁନ୍‌ ୮ ତାରିଖରେ ଏକ ବିଜ୍ଞପ୍ତି ଜାରି ହୋଇଥିଲା।

ସମ୍ବନ୍ଧିତ ଖବର